କେନ୍ଦୁଝର/ଭୁବନେଶ୍ୱର, ୧୧।୪ : କେନ୍ଦୁଝର ସଦର ଅନ୍ତର୍ଗତ ବୋଦାପାଳସା ଗ୍ରାମପଂଚାୟତ ପାଇଲା ନୂତନ ପରିଚୟ। ଅରଡେଇ ନାଳ ଉପରେ ନିର୍ମାଣ ହୋଇଥିବା ପୋଲକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଦଘାଟନ କରି ଏହାକୁ ଜନସାଧାରଣଙ୍କୁ ଉତ୍ସର୍ଗୀକୃତ କରିଛନ୍ତି।
ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ବୋଦାପାଳସା ଗ୍ରାମପଂଚାୟତ ଏବଂ ଏହାର ଆଖପାଖ ଗ୍ରାମର ଲୋକଙ୍କୁ ଆଉ ଯିବା ଆସିବାରେ କୌଣସି ଅସୁବିଧା ରହିବ ନାହିଁ। ୧୦୦ ମିଟରରୁ ଉର୍ଦ୍ଧ୍ୱ ଲମ୍ବ ବିଶିଷ୍ଟ ଏହି ପୋଲ କେନ୍ଦୁଝର ସଦର ଅଞ୍ଚଳ ପାଇଁ ଏକ ନୂତନ ପରିଚୟ ଆଣିବ।
ଉକ୍ତ ଉଦଘାଟନ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ସମେତ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଡଃ ଫକୀର ମୋହନ ନାଏକ, ପାଟଣା ବିଧାୟକ ଅଖିଳ ନାଏକ ଓ ଜିଲ୍ଲାପାଳ ବିଶାଲ ସିଂହ ପ୍ରମୁଖ ଉପସ୍ଥିତ ଥିଲେ। ଏହି ପୋଲ ପ୍ରାୟ ୫୦୦୦ରୁ ଉର୍ଦ୍ଧ୍ୱ ଅଂଚଳବାସୀଙ୍କ ଦୈନନ୍ଦିନ ଗମନାଗମନର ମୁଖ୍ୟ ଧାରା ସାଜିଛି।
ସେହିପରି ମୁଖ୍ୟମନ୍ତ୍ରୀ ଚନ୍ଦ୍ରଶେଖର ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ଉତ୍ସବରେ ଯୋଗ ଦେଇଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ରାଜ୍ୟରେ ୪୫ ହଜାର ନୂତନ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟା ଜାରି ରହିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଚନ୍ଦ୍ରଶେଖର ସରକାରୀ ଉଚ୍ଚ ବିଦ୍ୟାଳୟର ବିଦ୍ୟାଳୟ ଭିତ୍ତିଭୂମି ବିକାଶ ପାଇଁ ୧୦ କୋଟି ଅନୁଦାନ ଘୋଷଣା କରିଛନ୍ତି। ଏଥିସହ ୭ ଏକର ଜମି ପ୍ରଦାନ କରାଯିବ ବୋଲି କହିଛନ୍ତି।