ଭୁବନେଶ୍ୱର ୩୧/୦୩: ମନୁଷ୍ୟ ଶରୀରକୁ ସୁସ୍ଥ ରଖିବା ପାଇଁ ଯୋଗର ସୃଷ୍ଟି । ଆସନରେ ଏମିତି  ଅନେକ ଗୁଣ ରହିଛି, ଯାହା ପ୍ରକୃତିରୁ ମିଳୁଥିବା ଗୁଣର ପ୍ରତିରୂପ  ମଧ୍ୟ । ଅର୍ଦ୍ଧ ଚକ୍ରାସନ ହେଉଛି ଚକ୍ରାସନର ଅନ୍ୟ ଏକ ଭାରିଏଣ୍ଟା ।  ଏହା କରିବା ଦ୍ୱାରା ଶରୀରର ନମନୀୟତା ବଢିଥାଏ । ଯୋଗାସନ  କରିବା ଦ୍ୱାରା ଶରୀର ଓ ଅଣ୍ଟାର ଯନ୍ତ୍ରଣା ମଧ୍ୟ କମ୍‌ ହୋଇଥାଏ ।  ଯୋଗ ସମୟରେ ଆଗପଛ  ଝୁଙ୍କିବା ଦ୍ୱାରା ଫୁସ୍‌ଫସ୍‌  ଓ ଛାତିର ମାଂସପେଶୀ  ମଜଭୁତ ହୋଇଥାଏ ।  ସକାଳ ବା ସନ୍ଧ୍ୟା  କୌଣସି ସମୟରେ   ଯୋଗ କରାଯାଇପାରିବ ।  କିନ୍ତୁ ୪/୫ ଘଣ୍ଟା ପେଟ  ଖାଲି ଥିବା ଦରକାର । 

 ଅର୍ଦ୍ଧ ଚକ୍ରାସନ :

-ଯୋଗ ମ୍ୟାଟ୍‌ରେ ସିଧା ହୋଇ ଠିଆ ହୋଇଯାନ୍ତୁ ।

- ପାଦକୁ ସିଧା ରଖିବା ସହ ହାତକୁ ଶରୀରରେ ଲଗାଇ  ରଖନ୍ତୁ ।   

- ନିଜ ଓଜନକୁ ଦୁଇ ପାଦ ଉପରେ ସନ୍ତୁଳିତ କରି ରଖନ୍ତୁ ।  

- ଏବେ ପ୍ରଶ୍ୱାସକୁ ଭିତରକୁ ଟାଣି ଦୁଇ ହାତକୁ ଉପରକୁ ଉଠାନ୍ତୁ ।  ଦୁଇ ହାତର ପାପୁଲିକୁ ପରପ୍ସରକୁ ସାମ୍‌ନା କରି ରଖନ୍ତୁ ।  

- ଏବେ ନିଶ୍ୱାସକୁ ଛାଡିବା ସହ ପେଟ ଅଂଶକୁ ଆଗ ଆଡକୁ ମୋଡନ୍ତୁ ।

- ଦୁଇ ହାତ ଓ ଶରୀରକୁ ପଛକୁ ଟାଣିବା ସହ କାନ, କହୁଣୀ ଓ ଆଣ୍ଠୁକୁ ସିଧା  ରଖିବାକୁ ପ୍ରୟାସ କରନ୍ତୁ । 

- ମୁଣ୍ଡ ଓ ଛାତିକୁ ଉପର ଆଡକୁ ଉଠାଇବା ସହ ହାତକୁ ପଛ ଆଡେ ତଳକୁ  ଟାଣନ୍ତୁ । ଏହି ସମୟରେ ନିଶ୍ୱାସ-ପ୍ରଶ୍ୱାସ ରୋକନ୍ତୁ ନାହିଁ ।  

- ଏବେ ପ୍ରଶ୍ୱାସ ଭିତରକୁ ନେବା  ସହ ପ୍ରାରମ୍ଭିକ ମୁଦ୍ରାକୁ ଫେରି  ଆସନ୍ତୁ । ପ୍ରଥମେ କୌଣସି ଯୋଗ  ପ୍ରଶିକ୍ଷକଙ୍କ ଦ୍ୱାରା ଟ୍ରେନିଂ ନିଅନ୍ତୁ । 

ଫାଇଦା :

ଅର୍ଦ୍ଧା-ଚକ୍ରାସନ କରିବା ଦ୍ୱାରା କାନ୍ଧ,  ଛାତି ଓ ମାଂସପେଶୀ ନମନୀୟ  ହୋଇଥାଏ । ଏହି ଯୋଗ ଦ୍ୱାରା  ପେଟ, ପାଦ, କାନ୍ଧ ଓ ମେରୁଦଣ୍ଡ ହାଡ଼ ଆଦି ମଜଭୁତ ହୋଇଥାଏ । ସେହିପରି   ପିଠିର ତଳ ଅଂଶରେ ହେଉଥିବା ଯନ୍ତ୍ରଣା ମଧ୍ୟ କମ୍‌ ହୋଇଥାଏ । ଏହି ଆସନ  ଅଭ୍ୟାସ କରିବା ଦ୍ୱାରା ଚିନ୍ତା ଓ ଚାପକୁ କମ୍‌ କରାଯାଇପାରିବ ।  

ସାବଧାନ :

ଅଣ୍ଟା, ମେରୁଦଣ୍ଡ ହାଡ଼ ଓ ବେକ ଆଦିରେ ଯନ୍ତ୍ରଣା ଥିଲେ ଏହି ଆସନ କରନ୍ତୁ ନାହିଁ ।  ଆର୍ଥ୍ରାଇଟିସ୍‌ ଥିଲେ ବିନା ଯୋଗଗୁରୁରେ ଏହି ଆସନ କରନ୍ତୁ ନାହିଁ । ସେହିପରି  ହୃଦୟ ଓ ଉଚ୍ଚ ରକ୍ତଚାପ ସମସ୍ୟା ଥିଲେ ମଧ୍ୟ ଏହି ଆସନ କରନ୍ତୁ ନାହିଁ ।