ଖରା କ୍ରମଶଃ ବଢିଚାଲିଛି । ଏହି ସମୟରେ କୁଆଡେ ଯା’ଆସ କରିବା ଅନୁଚିତ୍ । ଯଦି ଜରୁରି ହୁଏ, ତେବେ କିଛି ଦିଗ ପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ । ଖରାରେ ଯାତ୍ରା କରିବାଠାରୁ ଦୂରେଇ ରୁହନ୍ତୁ ଯଦି ଖୁବ୍ ଜରୁରି ନଥାଏ, ତେବେ ଖରାରେ ଲମ୍ବା ଯାତ୍ରା କରିବାଠାରୁ ଦୂରେଇ ରୁହନ୍ତୁ । ଅତ୍ୟଧିକ ତାପମାତ୍ରା ଶରୀରରେ ଜଳଶୁଷ୍କତା, ହିଟ୍ ଷ୍ଟ୍ରେକ୍ ଓ ଥକାପଣର କାରଣ ସାଜିଥାଏ । ବିଶେଷକରି ବୟସ୍କ ଲୋକ, ପିଲା ଓ ଗର୍ଭବତୀ ମହିଳାମାନଙ୍କ ପାଇଁ ସମସ୍ୟା ଅଧିକ ବଢିଥାଏ । ଯଦି ଟ୍ରାଭେଲ୍କୁ ରୋକିପାରିବେ, ତେବେ ଭଲ । ନଚେତ୍ ସୁରକ୍ଷିତ ଉପାୟ ସହ ବାହାରକୁ ବାହାରନ୍ତୁ ।
କ'ଣ ସାବଧାନତା ଅବଲମ୍ବନ କରିବେ?
ଉଚିତ୍ ସମୟ ବାଛନ୍ତୁ: ହେଭି ୱେଟ୍ରେ ସବୁଠାରୁ ଜରୁରୀ କଥା ହେଲା ସିଧାସଳଖ ଖରା ସଂସ୍ପର୍ଶରେ ଆସନ୍ତୁ ନାହିଁ । ଟ୍ରାଭେଲ୍ରେ ଯିବାର ଥିଲେ ସକାଳୁ କିମ୍ବା ସଂଧ୍ୟା ସମୟକୁ ଚୟନ କରନ୍ତୁ । ଦିନ ୧୨ରୁ ଅପରାହ୍ନ ୪ଟା ଭିତରେ ଆଦୌ ବାହାରନ୍ତୁ ନାହିଁ ।
ଜଳ ଶୁଷ୍କତାକୁ ଧ୍ୟାନ ଦିଅନ୍ତୁ: ଯାତ୍ରା କରୁଥିବା ବେଳେ ଶୋଷ ଲାଗିବା ପୂର୍ବରୁ କିଛି ସମୟ ଅନ୍ତରରେ ଅଳ୍ପ ଅଳ୍ପ ପାଣି ପିଅନ୍ତୁ । ଏହି ସମୟରେ କେବଳ ସାଧା ପାଣି ଯଥେଷ୍ଟ ନୁହେଁ । ଶରୀରରେ ଇଲେକ୍ଟ୍ରୋଲାଇଟ୍ସର ସନ୍ତୁଳନ ରକ୍ଷା ପାଇଁ ଓଆର୍ଏସ୍, ଲେମ୍ବୁପାଣି, ଗୁ୍ଲକୋଜ୍ ବା ନଡ଼ିଆ ପାଣି ପିଅନ୍ତୁ । କ୍ୟାଫିନ୍ ପାନୀୟ ଯେପରିକି ଚା’ ବା କଫି ଓ ଥଣ୍ଡା ପାନୀୟଠାରୁ ଦୂରେଇ ରୁହନ୍ତୁ ।
ଉପଯୁକ୍ତ ପୋଷାକ ପରିଧାନ କରନ୍ତୁ: ଟ୍ରାଭେଲ ସମୟରେ ଷ୍ଟାଇଲ୍ ଅପେକ୍ଷା ଆରାମକୁ ଗୁରୁତ୍ୱ ଦିଅନ୍ତୁ । ହାଲ୍କା ରଙ୍ଗର ଢିଲା ବା ସୂତା କିମ୍ବା ଲିନନ୍ ପୋଷାକ ପିନ୍ଧନ୍ତୁ । ସୂତା ପୋଷାକ ଝାଳକୁ ଶୁଖାଇବା ସହ ଶରୀରରେ ପବନ ବାଜିବାର ସୁଯୋଗ ରହିଥାଏ ।
ଖାଦ୍ୟପାନୀୟରେ ସାବଧାନ ରୁହନ୍ତୁ: ଯାତ୍ରା କରିବା ସମୟରେ ଶରୀରକୁ ଓଜନିଆ କରୁଥିବା ଖାଦ୍ୟ କିମ୍ବା ଛଣାଛଣିଠାରୁ ଦୂରେଇ ରୁହନ୍ତୁ । ହାଲ୍କା ଖାଦ୍ୟ ଖାଆନ୍ତୁ ଯେପରିକି ତରଭୁଜ, କାକୁଡି, ସନ୍ତରା ପରି ପାଣିରେ ଭରା ଖାଦ୍ୟକୁ ଗୁରୁତ୍ୱ ଦିଅନ୍ତୁ । ରାସ୍ତା କଡ଼ରେ ମିଳୁଥିବା କଟା ଫଳ ଖାଆନ୍ତୁନି, ନଚେତ୍ ସଂକ୍ରମଣର ଶିକାର ହୋଇପାରନ୍ତି ।
ସନ୍ସ୍କ୍ରିନ୍ ଓ ତ୍ୱଚାର ଯତ୍ନ: ତ୍ୱଚା ଖରାରେ ଝାଉଁଳି ନ ପଡିବା ପାଇଁ ଯାତ୍ରା ପୂର୍ବରୁ ଏସ୍ପିଏଫ୍ ୩୦ ରୁ ଅଧିକ କ୍ଷମତା ଥିବା ସନ୍ସ୍କ୍ରିନ୍ ବ୍ୟବହାର କରିବା ଉଚିତ୍ । ନିଜ ସାଙ୍ଗରେ ଗୋଲାପ ଜଳ ବା ସାଧା ପାଣିର ସ୍ପ୍ରେ ବୋତଲ ରଖନ୍ତୁ । ମଝିରେ ମଝିରେ ତ୍ୱଚାରେ ସ୍ପ୍ରେ କରି ସତେଜ ଅନୁଭବ କରିବେ ।
ଗାଡ଼ିର ବନ୍ଦୋବସ୍ତ: ଯଦି କାର୍ରେ ଯାଉଥାନ୍ତି, ତେବେ ବାହାରିବା ପୂର୍ବରୁ ଗାଡ଼ିର ପ୍ରେସର୍ ଓ ଏସି ଯାଞ୍ଚ କରି ନିଅନ୍ତୁ । କାରଣ କାର୍ ବନ୍ଦ ହେବା ପରେ ବିନା ଏସିରେ ତାପମାତ୍ରା ଖୁବ୍ ବଢିଯାଇଥାଏ ।
ଶରୀରର ସଙ୍କେତକୁ ବୁଝନ୍ତୁ: ଯଦି ମୁଣ୍ଡ ବୁଲାଏ କିମ୍ବା ଦୁର୍ବଳ ଅନୁଭବ ହୁଏ, ତେବେ କୌଣସି ଥଣ୍ଡା ଜାଗାରେ ଆରାମ କରନ୍ତୁ । ଆବଶ୍ୟକ ହେଲେ ନିକଟସ୍ଥ ଡାକ୍ତରଙ୍କ ପରାମର୍ଶ ନିଶ୍ଚୟ ନିଅନ୍ତୁ ।