କୋଇଡା, ୧୩/୧୧ : ସୁନ୍ଦରଗଡ଼ ଜିଲ୍ଲା ଲହୁଣୀପଡ଼ା ଥାନା ଅଞ୍ଚଳରେ ଲୁଟେରାଙ୍କ ଆତଙ୍କରାଜ୍। ବନ୍ଧୁକ ଦେଖାଇ ସଶସ୍ତ୍ର ଡକାୟତି। ବୁଧବାର ବିଳମ୍ଵିତ ରାତିରେ ବରସୁଆଁ ରେଳ ସାଇଡିଂ ନିକଟରେ ଡକାୟତି ହୋଇଛି। ଦୁଇଟି ଗାଡିରେ କିଛି ମୁଖାପିନ୍ଧା ଡକାୟତ ଆସି ସ୍ଥାନୀୟ ବିଏନଆର କାର୍ଯ୍ୟାଳୟରୁ ଲୁଟ୍ କରିଛନ୍ତି। ବ୍ୟାପକ ଭଙ୍ଗାରୁଜା କରିବା ସହ ୪ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି।
ବିଏନଆର କାର୍ଯ୍ୟାଳୟର ପ୍ରବନ୍ଧକ ଏନେଇ ଲହୁଣୀପଡା ଥାନାରେ ଏତଲା ଦେଇଛନ୍ତି। ପୁଲିସ ସିସିଟିଭି ଫୁଟେଜ୍ ଆଧାରରେ ତଦନ୍ତ ଆରମ୍ଭ କରିଛି। ବଣାଇଁ ଉପଖଣ୍ଡର ସମସ୍ତ ଥାନା ଅଞ୍ଚଳରେ ବାରମ୍ଵାର ଏଭଳି ଲୁଟ୍ ହେଉଛି। ଦୈନିକ ଡକାୟତି ପାଇଁ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି। ପୁଲିସ ପାଇଁ ଖୋଲା ଚ୍ୟାଲେଞ୍ଜ୍ ସୃଷ୍ଟି ହୋଇଛି।