ଗୋପାଳପୁର, ୧୩/୦୫: ଗୋପାଳପୁର ଥାନା ଅନ୍ତର୍ଗତ କମଳାପୁର ଗାଁରେ ଆର୍ମିରେ କାର୍ଯ୍ୟରତ ଜଣେ ଯବାନଙ୍କ ମୃତ୍ୟୁ ହୋଇଥିବା ନେଇ ଥାନାରେ ଲିଖିତ ଅଭିଯୋଗ ହୋଇଛି l ମୃତକ ଜଣକ ହେଲେ କମଳାପୁର ଗାଁର ଟି.ନବୀନ (୨୮)। ସୂଚନା ଅନୁସାରେ, କମଳାପୁର ଗାଁର ମୃତ ନବୀନ ଦିଲ୍ଲୀରେ ସିଗନାଲ ମେକାନିକଲ ଭାବେ ଆର୍ମିରେ କାର୍ଯ୍ୟରତ ଥିଲେ। ସେ ଗତ ରବିବାର ଦିନ ଛୁଟିରେ ଘରକୁ ଆସିଥିଲେ। ସୋମବାର ଦିନ କୌଣସି କାରଣରୁ ମୁଣ୍ଡ ବୁଲାଇବା ସହ ପେଟ କାଟିବାରୁ ତାଙ୍କୁ ପ୍ରଥମେ ବ୍ରହ୍ମପୁରର ଏକ ଘୋରାଇ ମେଡିକାଲରେ ଭର୍ତ୍ତି କରାଯାଇଥିଲା।
ପରେ ଗୋଲାବନ୍ଧ ଆର୍ମି ପରିସରରେ ଥିବା ମେଡିକାଲରେ ଭର୍ତ୍ତୀ କରିଥିଲେ। ମଙ୍ଗଳବାର ସକାଳୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପରେ ଶବ ବ୍ୟବଛେଦ ନିମନ୍ତେ ବ୍ରହ୍ମପୁର ପଠାଯାଇଥିଲା। ତାଙ୍କ ମା ଗୋପାଳପୁର ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ପୁଲିସ କେସ ନମ୍ବର ୧୦/୨୫ ରେ ମାମଲା ରୁଜୁ କରି ଶବ ବ୍ୟବଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲେ। ପରେ ମୃତ ନବୀନଙ୍କ ମରଶରୀରକୁ ନିଜ ଗାଁ ସ୍ମଶାନରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ ସମ୍ପର୍ଣ୍ଣ କରାଯାଇଥିଲା।