ନୂଆଦିଲ୍ଲୀ,୧୦/୦୯: ସୋସିଆଲ ମିଡିଆ ନିଆଁରେ ଜଳୁଛି ପଡୋଶୀ ନେପାଳ । ଦେଶକୁ କବଜା କରିଛି ଅରାଜକତା । ଯୁଆଡ଼େ ଚାହିଁଲେ ଖାଲି ପୋଡ଼ାଜଳା-ଭାଙ୍ଗାରୁଜା । ସୋସିଆଲ ମିଡିଆ ବ୍ୟାନ୍ ଆଦେଶ ପ୍ରତ୍ୟାହାର ପରେ ବି ସୁଧୁରୁନି ସ୍ଥିତି । ଉଗ୍ର ହେଉଛି ଆନ୍ଦୋଳନ । ରାଜରାସ୍ତାରୁ ସଂସଦ, ପାର୍ଲାମେଣ୍ଟ ସବୁଠି ବିଦ୍ରୋହ ନିଆଁ । ଦେଶରେ ବିକ୍ଷୋଭ ଏବଂ ହିଂସା ତୃତୀୟ ଦିନରେ ପହଞ୍ଚିଛି । ନେପାଳ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି ମଙ୍ଗଳବାର ଇସ୍ତଫା ଦେଇଛନ୍ତି । ସ୍ଥିତି ଅଣାୟତ ହେବାରୁ ନେପାଳ ସେନା ଦେଶକୁ ନିୟନ୍ତ୍ରଣକୁ ନେଇଛି । ରାଜଧାନୀ କାଠମାଣ୍ଡୁ ସହତି ଅନେକ ସମ୍ବେଦନଶୀଳ ସ୍ଥାନରେ ସୁରକ୍ଷା ନିଜ ହାତକୁ ନେଇଛି । ସେନାମୁଖ୍ୟ ଜେନେରାଲ ଅଶୋକ ରାଜ ସିନ୍ଦେଲ ବିକ୍ଷୋଭକାରୀଙ୍କୁ ହିଂସା, ଭଙ୍ଗାରୁଜା ବନ୍ଦ କରିବାକୁ ଅପିଲ୍ କରିଛନ୍ତି । ତେବେ କିଏ ଏହି ସେନା ମୁଖ୍ୟ ଅଶୋକ ରାଜ ? କ'ଣ ସେ ଅଶାନ୍ତ ନେପାଳରେ ଶାନ୍ତି ଫେରାଇ ଆଣିପାରିବେ ?
ତୃତୀୟ ଦିନରେ ପହଞ୍ଚିଛି ନେପାଳ ହିଂସା । ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲିଙ୍କ ଇସ୍ତଫା ପରେ ମଧ୍ୟ ବିରୋଧ ପ୍ରଦର୍ଶନ ଥମିବାର ନାଁ ନେଉନାହିଁ । ବିକ୍ଷୋଭକାରୀ ଯୁବକମାନେ ସଂସଦ ଭାଙ୍ଗିବା ଏବଂ ନାଗରିକ ନେତୃତ୍ୱାଧୀନ ସରକାର ଗଠନ ଦାବିରେ ଅଟଳ ଅଛନ୍ତି । ପରିସ୍ଥିତି ଖରାପ ହେବା ପରେ ସେନା ସିଧାସଳଖ ହସ୍ତକ୍ଷେପ କରିଛି । ନେପାଳ ସେନା ମୁଖ୍ୟ ଜେନେରାଲ ଅଶୋକ ରାଜ ଜନସାଧାରଣଙ୍କୁ ସଂଯମତା ବଜାୟ ରଖିବା ଏବଂ ସମ୍ପତ୍ତିକୁ ସୁରକ୍ଷା ଦେବାକୁ ନିବେଦନ କରିଛନ୍ତି । ଆଜି ରାଷ୍ଟ୍ରପତି ରାମ ଚନ୍ଦ୍ର ପାଉଡେଲଙ୍କ ଉପସ୍ଥିତିରେ ପ୍ରତିବାଦକାରୀ ଯୁବକ ଏବଂ ସେନା ମଧ୍ୟରେ ଆନୁଷ୍ଠାନିକ ଆଲୋଚନା ହେବାକୁ ଯାଉଛି । ନୂତନ ସରକାର ଗଠନ ଏବଂ ନିର୍ବାଚନ କରାଇବା ମୁଖ୍ୟ ଏଜେଣ୍ଡା ହେବ । କାଠମାଣ୍ଡୁ ମହାନଗର ମେୟର ବାଲେନ ଶାହ ମଧ୍ୟ ଏହି ପ୍ରସ୍ତାବକୁ ସମର୍ଥନ କରିଛନ୍ତି । ପ୍ରଶ୍ନ ହେଉଛି ସେ ଦେଶ ଏହି ସଙ୍କଟରୁ ବାହାର କରିପାରିବେ କି ?
ସେନାମୁଖ୍ୟ ଅଶୋକ ରାଜଙ୍କ ବିଷୟରେ- ୧୯୬୭ ଫେବୃଆରୀ ୧ରେ ରୂପନ୍ଦେହି ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ ଅଶୋକ ରାଜ ସିଗଦେଲ। ୧୯୮୬ ମସିହାରେ ନେପାଳ ସେନାରେ ଯୋଗ ଦେଇଥିଲେ । ସେ ଚୀନର ଜାତୀୟ ପ୍ରତିରକ୍ଷା ବିଶ୍ୱବିଦ୍ୟାଳୟରୁ ଷ୍ଟ୍ରାଟେଜିକ୍ ଷ୍ଟଡିରେ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି । ତ୍ରିଭୁବନ ବିଶ୍ୱବିଦ୍ୟାଳୟରୁ ଏମ୍ଏ ଡିଗ୍ରୀ ହାସଲ କରିଛନ୍ତି । ସିଗଦେଲ ଭାରତର ପ୍ରତିରକ୍ଷା ପରିଚାଳନା ପାଠ୍ୟକ୍ରମ ସମେତ ନେପାଳ, ଚୀନ୍ ଏବଂ ଭାରତରେ ଉଚ୍ଚସ୍ତରୀୟ ସାମରିକ ତାଲିମ ଗ୍ରହଣ କରିଛନ୍ତି ।
ଅନେକ ଗୁରୁତ୍ୱପୂର୍ଣ୍ଣ ପଦବୀରେ ରହିଛନ୍ତି- ଆଶୋକ ରାଜଙ୍କ ଲମ୍ବା କ୍ୟାରିୟରରେ, ସେ ଇନ୍ସପେକ୍ଟର ଜେନେରାଲ, ସାମରିକ ଅପରେସନ୍ ନିର୍ଦ୍ଦେଶକ ପଦବୀରେ ରହିଥିଲେ । ବ୍ରିଗେଡ୍ ଏବଂ ଡିଭିଜନରେ ବାଟାଲିୟନର ନେତୃତ୍ୱ ନେଇଥିଲେ । ସେ ମିଳିତ ଜାତିସଂଘ ଶାନ୍ତି ମିଶନ ଅଧୀନରେ ୟୁଗୋସ୍ଲାଭିଆ, ତାଜିକିସ୍ତାନ ଏବଂ ଲାଇବେରିଆରେ ମଧ୍ୟ ନିଯୁକ୍ତ ହୋଇଥିଲେ ।
ସେନା ମୁଖ୍ୟ ହେବା ପର୍ଯ୍ୟନ୍ତ ଯାତ୍ରା- ସେପ୍ଟେମ୍ବର ୯ , ୨୦୨୪ ମସିହାରେ ରାଷ୍ଟ୍ରପତି ରାମଚନ୍ଦ୍ର ପୋଡେଲ ତାଙ୍କୁ ନେପାଳର ୪୫ତମ ସେନାମୁଖ୍ୟ ଭାବରେ ନିଯୁକ୍ତ କରିଥିଲେ। ଏହା ପରେ, ଡିସେମ୍ବର ୨୦୨୪ ମସିହାରେ ଭାରତକୁ ତାଙ୍କର ସରକାରୀ ଗସ୍ତରେ, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କୁ ଭାରତୀୟ ସେନାର ସମ୍ମାନଜନକ ଜେନେରାଲ କରିଥିଲେ । ଏହି ସମ୍ମାନ ନେପାଳ ଏବଂ ଭାରତ ମଧ୍ୟରେ ଐତିହାସିକ ସାମରିକ ସମ୍ପର୍କର ପ୍ରତୀକ ଥିଲା ।