ଭୁବନେଶ୍ଵର, ୧୮/୦୭ : ଏମ୍ସ ଭୁବନେଶ୍ୱର ହସ୍ପିଟାଲ ଅଡିଟୋରିୟମରେ ଷଷ୍ଠ ଦୀକ୍ଷାନ୍ତ ସମାରୋହ ଆୟୋଜିତ। ଡିଗ୍ରୀ ପାଇଲେ ୬୮୧ ଜଣ ଛାତ୍ରଛାତ୍ରୀ। ୧୯୩ ଜଣ ଏମବିବିଏସ୍ ଏବଂ ୧୬୩ ଜଣ MD-MS ଡିଗ୍ରୀ ପାଇଛନ୍ତି। ଏହି କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ଭାବେ କେନ୍ଦ୍ର ସ୍ୱାସ୍ଥ୍ୟ ରାଜ୍ୟମନ୍ତ୍ରୀ ଅନୁପ୍ରିୟା ପଟେଲ ଏବଂ ସମ୍ମାନିତ ଅତିଥି ଭାବେ ଓଡ଼ିଶା ସ୍ୱାସ୍ଥ୍ୟମନ୍ତ୍ରୀ ଡା. ମୁକେଶ ମହାଲିଙ୍ଗ ଯୋଗ ଦେଇଥିଲେ। ଏହି ଅବସରରେ ଏମ୍ସର ନିର୍ଦ୍ଦେଶକ ପ୍ରଫେସର ଆଶୁତୋଷ ବିଶ୍ୱାସ ତାଙ୍କ ସମ୍ବୋଧନରେ କହିଥିଲେ ଯେ, ଏମ୍ସ ଭୁବନେଶ୍ୱର ଏବେ ଭାରତର ୧୦ମ ଶ୍ରେଷ୍ଠ ମେଡିକାଲ କଲେଜ। ଏଠାରେ ଗତ ବର୍ଷ ୧୧ ଲକ୍ଷ ରୋଗୀ ବହିର୍ବିଭାଗରେ ଚିକିତ୍ସିତ ହୋଇଛନ୍ତି। ମାସକୁ ପ୍ରାୟ ୨୦୦୦ ଅସ୍ତ୍ରୋପଚାର ଏବଂ ୧୦୦ଟି ରୋବୋଟିକ୍ ସର୍ଜରୀ ହୋଇସାରିଛି।

ଅଙ୍ଗ ପ୍ରତିରୋପଣରେ ମଧ୍ୟ ଏମ୍ସ ଅଗ୍ରଣୀ। ଏପର୍ଯ୍ୟନ୍ତ ୭୬ଟି କିଡନୀ, ୩୦ଟି ବୋନ୍ ମ୍ୟାରୋ ଏବଂ ୬ଟି ଯକୃତ ପ୍ରତିରୋପଣ ସଫଳତାର ସହ ହୋଇଛି। ଆୟୁଷ୍ମାନ ଭାରତ ଡିଜିଟାଲ ମିଶନରେ ଏମ୍ସ ଭୁବନେଶ୍ୱର ଦେଶରେ ନମ୍ବର ୧ ସରକାରୀ ସଂସ୍ଥା ଭାବେ ସ୍ୱୀକୃତ ହୋଇଛି। ସେବା, କରୁଣା ଏବଂ ଗବେଷଣା ମାଧ୍ୟମରେ ଏମ୍ସ ଭୁବନେଶ୍ୱର ବିଶ୍ୱସ୍ତରୀୟ ଶ୍ରେଷ୍ଠ କେନ୍ଦ୍ର ହେବାର ଲକ୍ଷ୍ୟ ରଖିଛି ବୋଲି ନିର୍ଦ୍ଦେଶକ କହିଛନ୍ତି।

ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ସ୍ଵାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ବଡ଼ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ, ସ୍ୱାସ୍ଥ୍ୟ ବିଭାଗ ଡିଜିଟାଲାଇଜେସନ ହେବ। ରାଜ୍ୟର ସମସ୍ତ ଘରୋଇ ଓ ସରକାରୀ ମେଡିକାଲ ସହ ନର୍ସିଂହୋମ ଆରୋଗ୍ୟ 2.0 ଆପରେ ଯୋଡି ହେବ। ମେଡିକାଲ ଦୋକାନ ଓ ବ୍ଲଡ ବ୍ୟାଙ୍କକୁ ମଧ୍ୟ ଏଥିରେ ସାମିଲ କରାଯିବ। ଖୁବଶୀଘ୍ର ରାଜ୍ୟରେ ଏହାର ଉଦଘାଟନ କରାଯିବ। ଏବେ ରେଜିଷ୍ଟ୍ରେସନ ଆରମ୍ଭ ହୋଇ ସାରିଥିବା ବେଳେ ଆଭା ଆଇଡି ସହ ଏହାକୁ ଲିଙ୍କ କରାଯିବ। ଏଥିରେ ସ୍କାନ କରି ଡିଜି ଲକରରେ ରଖି ହେବ। AI ମୋଡରେ ଏଥିରେ ରୋଗୀର ସମସ୍ତ ତଥ୍ୟ ରହିବ। 

ସେହିପରି ମୁଖ୍ୟମନ୍ତ୍ରୀ କ୍ୟାନ୍ସର ଆରୋଗ୍ୟ ଯୋଜନା ଖୁବଶୀଘ୍ର ଶୁଭାରମ୍ଭ ହେବ। ଚଳିତ ବର୍ଷ ବଜେଟରେ ଏନେଇ ଘୋଷଣା କରାଯାଇଛି। ୧୨୧ ପ୍ରକାର ପ୍ୟାକେଜକୁ ଏଥିରେ ଯୋଡ଼ା ଯିବ। ରାଜ୍ୟ ସରକାର ନିଜସ୍ଵ ବଜେଟରୁ ଏହାକୁ ଖର୍ଚ୍ଚ କରିବେ ବୋଲି ସ୍ଵାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଛନ୍ତି।

ଆହୁରି ପଢନ୍ତୁ-  ଦିଲ୍ଲୀରେ ଇନଭେଷ୍ଟର୍ସ ମିଟ୍‌ କରିବ ଓଡ଼ିଶା: ଖାଦ୍ୟ ପ୍ରକ୍ରିୟାକରଣ ସେକ୍ଟରକୁ ଦିଆଯିବ ଗୁରୁତ୍ୱ ,ରୋଡ଼ ଶୋ'ର ନେତୃତ୍ୱ ନେବେ ମୁଖ୍ୟମନ୍ତ୍ରୀ