ଭୁବନେଶ୍ୱର: ଓଡିଶାର ବହୁ ଚର୍ଚ୍ଚିତ ପରୀ ହତ୍ୟାକାଣ୍ଡ ମାମଲା। ୨୦୨୦ ମସିହାର ଏହି ଚର୍ଚ୍ଚିତ ମାମଲା ସାରା ଓଡିଶାକୁ ଦୋହଲାଇ ଦେଇଥିଲା। ଏହି ୫ ବର୍ଷୀୟା ନାବାଳିକାଙ୍କ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଅଭିଯୁକ୍ତ ଜଣେ ଯୁବକଙ୍କୁ କୋର୍ଟ ଦୁଷ୍କର୍ମ ପାଇଁ ୨୦ ବର୍ଷ ଏବଂ ହତ୍ୟା ପାଇଁ ଆଉ ୨୦ ବର୍ଷ କାରାଦଣ୍ଡ ମଧ୍ୟ ଶୁଣାଇଛନ୍ତି। ତେବେ ଏହି ମାମଲାର ଅନୁସନ୍ଧାନ ଦାୟିତ୍ୱରେ ଥିବା ବରିଷ୍ଠ ପୋଲିସ ଅଧିକାରୀ ଅରୁଣ ବୋଥ୍ରା ଦୀର୍ଘ ୫ ବର୍ଷ ପରେ ଏକ୍ସ (ଟୁଇଟର) ପ୍ଲାଟଫର୍ମରେ ଏହି ଘଟଣାର ବିସ୍ତୃତ ବିବରଣୀ ପ୍ରଦାନ କରିଛନ୍ତି। ଯାହା ସାମାଜିକ ଗଣମାଧ୍ୟମରେ ବେଶ୍ ଚର୍ଚ୍ଚା ସୃଷ୍ଟି କରିଛି।
ଅରୁଣ ବୋଥ୍ରା ତାଙ୍କ ପୋଷ୍ଟରେ ଉଲ୍ଲେଖ କରିଛନ୍ତି ଯେ, ଅପରାଧ ଅନୁସନ୍ଧାନରେ ପ୍ରମାଣ ସଂଗ୍ରହ ହିଁ ମୁଖ୍ୟ ଭୂମିକା ଗ୍ରହଣ କରେ। କାରଣ କୋର୍ଟ ରାୟ ଦେବା ସମୟରେ ପ୍ରମାଣର ବିଶ୍ୱସନୀୟତା ଉପରେ ନିର୍ଭର କରିଥାନ୍ତି। ଏହି ମାମଲାରେ ଅଭିଯୁକ୍ତ ଯୁବକଙ୍କ ସହ ବାରମ୍ବାର କଥାବାର୍ତ୍ତା ପରେ ତାଙ୍କର ସମ୍ପୃକ୍ତି ସ୍ପଷ୍ଟ ହୋଇଥିଲା। ଅନୁସନ୍ଧାନ ସମୟରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ମଧ୍ୟ ସାମ୍ନାକୁ ଆସିଥିଲା। ଏହି ଆଶ୍ଚର୍ଯ୍ୟଜନକ ଘଟଣା ଉପରୁ ପରଦା ଉଠେଇ ସେ ସାମାଜିକ ଗଣମାଧ୍ୟମ ଏକ୍ସ ରେ ଏହି ପୋଷ୍ଟ ଜାରି କରିଛନ୍ତି।
ତେବେ ଏହି ଘଟଣାରେ ମୁଖ୍ୟ ସନ୍ଦିଗ୍ଧ ଥିଲା ଜଣେ ଅଳ୍ପ ବୟସର ପିଲା। ଅଭିଯୁକ୍ତଙ୍କ ଘରକୁ ଯାଇ ତାଙ୍କୁ ପଚରାଉଚରା କରିବା ସମୟରେ ଅରୁଣ ଦେଖିଥିଲେ ଯେ ତାଙ୍କ ମାଆ ଏକ ଦେଶୀ ଟୋଟକା କରୁଛନ୍ତି। ମହିଳା ଜଣକ ନିଜ ପୁଅ ମୁଣ୍ଡ ଚାରି ପାଖେ ଲଙ୍କା ଲେମ୍ବୁ ବୁଲାଉଥିଲେ। ଏନେଇ ଅରୁଣ ବଥ୍ରା ଅଭିଯୁକ୍ତଙ୍କ ମାଆଙ୍କୁ ପ୍ରଶ୍ନ କରିବାରୁ ସେ କହିଥିଲେ ଯେ ତାଙ୍କ ପୁଅ ପ୍ରତି ରାତିରେ ମୃତ ଝିଅକୁ ସ୍ୱପ୍ନରେ ଦେଖୁଛି ଏବଂ ଭୟରେ ରାତିରେ ଝାଳରେ ଭିଜି ନିଦରୁ ଉଠି ଯାଉଛି। ଏହି ଘଟଣା ଅଭିଯୁକ୍ତଙ୍କ ମାନସିକ ଅବସ୍ଥା ଏବଂ ଅପରାଧବୋଧର ଏକ ସୂଚନା ଦେଇଥିଲା, ଯଦିଓ ଏହା କୋର୍ଟରେ ପ୍ରମାଣ ଭାବେ ଉପସ୍ଥାପନ କରାଯାଇ ପାରିନଥିଲା।
ଅନୁସନ୍ଧାନ ଆଗକୁ ବଢ଼ିବା ସହ ପୋଲିସ ଅଭିଯୁକ୍ତଙ୍କର ଏକ ପଲିଗ୍ରାଫ ଟେଷ୍ଟ କରାଇଥିଲା। ଏହି ପରୀକ୍ଷା ସମୟରେ ଅଭିଯୁକ୍ତ ଭାଙ୍ଗି ପଡ଼ିଥିଲେ ଏବଂ ନିଜେ କରିଥିବା ଅପରାଧକୁ ସ୍ୱୀକାର କରିଥିଲେ। ତାଙ୍କର ସ୍ୱୀକାରୋକ୍ତି ଏବଂ ଅନ୍ୟାନ୍ୟ ସାମଗ୍ରୀ ପ୍ରମାଣ ଆଧାରରେ କୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରି ମୋଟ ୪୦ ବର୍ଷ ଜେଲ୍ ଦଣ୍ଡ ଶୁଣାଇଥିଲେ।
ଏହି ଘଟଣା ସାମାଜିକ ଗଣମାଧ୍ୟମରେ ବେଶ୍ ଚର୍ଚ୍ଚା ସୃଷ୍ଟି କରିଛି। ଅରୁଣ ବୋଥ୍ରାଙ୍କ ଅନୁସନ୍ଧାନ କୌଶଳ ଏବଂ ଧୈର୍ଯ୍ୟକୁ ସମସ୍ତେ ପ୍ରଶଂସା କରିଛନ୍ତି। ଅନେକ ଇଉଜର ମନ୍ତବ୍ୟ ଦେଇ କହିଛନ୍ତି ଯେ ତାଙ୍କର ପ୍ରଫେସନାଲ ଆଭିମୁଖ୍ୟ ଏବଂ ମାନସିକ ଅବସ୍ଥା ପର୍ଯ୍ୟବେକ୍ଷଣ କ୍ଷମତା ଏହି ମାମଲା ସମାଧାନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି।
ସୂଚନାଯୋଗ୍ୟ, ୨୦୨୦ ମସିହା ଜୁଲାଇ ୧୪ ତାରିଖରେ ନୟାଗଡ଼ ନିକଟ ଯଦୁପୁର ଗାଁରେ ପରୀକୁ ହତ୍ୟା କରାଯାଇଥିଲା। ଘର ଆଗରେ ଖେଳୁଥିବାବେଳେ ପରୀ ନିଖୋଜ ହୋଇଯାଇଥିଲା। ନିଖୋଜର ୧୦ ଦିନ ପରେ ପରୀର ଗଳିତ ଦେହାବଶେଷ ମିଳିଥିଲା। ଏକ ଅଖା ବସ୍ତାରୁ ଦେହାବଶେଷ, ହାଡ଼ ଉଦ୍ଧାର କରାଯାଇଥିଲା। ଘଟଣାର ଏସଆଇଟି ତଦନ୍ତ କରି ସରୋଜ ସେଠୀକୁ ଗିରଫ କରିଥିଲା। ନାବାଳକ ଥିବାରୁ ସରୋଜ କିଛି ସମୟ ବାଳସୁଧାର ଗୃହରେ ରଖାଯାଇଥିଲା। ସାବଳକ ହେବା ପରେ କୋର୍ଟ ତାକୁ ଦୁଷ୍କର୍ମ ପାଇଁ ୨୦ ବର୍ଷ ଓ ହତ୍ୟା ପାଇଁ ଆଉ ୨୦ ବର୍ଷ ମୋଟ ୪୦ ବର୍ଷର ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି।