ଭୁବନେଶ୍ଵର, ୦୮/୦୫ : ବାଲିଅନ୍ତା ବର୍ବରତା ନେଇ ରାଜନୀତି ସରଗରମ। ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ସରକାରଙ୍କ ଉପରେ ବର୍ଷିଲେ ବିଜେଡି ବିଧାୟକ ଅରୁଣ ସାହୁ। କହିଲେ ଆମେ ଯାହା ରିଲ୍ ରେ ଦେଖୁଥିଲୁ ଏବେ ରିଅଲ୍ ରେ ଦେଖୁଛୁ। ସରକାର ସକ୍ଷମ ହୁଅନ୍ତୁ ନହେଲେ ଇସ୍ତଫା ଦିଅନ୍ତୁ। ନିର୍ବାଚନ ବେଳେ ବିଜେପି ନେତା କହିଲେ ଓଡ଼ିଶା ଏକ ନମ୍ବର ହେବ। ଓଡ଼ିଶା ଏବେ ଅପରାଧ ଆଇନ ଶୃଙ୍ଖଳା ପରିସ୍ଥିତି ବିଗିଡ଼ିବାରେ ନମ୍ବର ୱାନ ହୋଇଛି। ହତ୍ୟା, ଦୁଷ୍କର୍ମ, କିଡନାପରେ ଓଡ଼ିଶା ୧ ନମ୍ବର ହୋଇଛି। ହିଞ୍ଜିଳି, କଣାସ, ଢେଙ୍କାନାଳ ଦୁଷ୍କର୍ମ ଘଟଣା ପରେ ବାଲିଅନ୍ତା ଘଟଣା ମର୍ମନ୍ତୁଦ। ଦୃଶ୍ୟ ଛାତି ଥରାଇ ଦେଲା ଭଳି। ସବୁ ଘଟଣାରେ କ୍ରାଇମ ହେଉଛି ଆଉ ତାର ଭିଡିଓ ମଧ୍ୟ ରେକର୍ଡିଂ ହେଉଛି। ଓଡ଼ିଶା କ'ଣ ୟୁପି ନା ବିହାର ହେଇଗଲା ବୋଲି ପ୍ରଶ୍ନ କରିଛନ୍ତି ଅରୁଣ।
ବିଧାୟକ ପୁଣି କହିଛନ୍ତି ଯେ, ପୁଲିସ ଉପସ୍ଥିତିରେ ହତ୍ୟା ହେଉଛି। ପୁଲିସକୁ ଜଣାଇକି ବି ହତ୍ୟା ହେଉଛି। ଆଇନ ଶୃଙ୍ଖଳା ପରିସ୍ଥିତି ବିଗିଡ଼ିବା ନେଇ ସରକାର ନା ସମ୍ବେଦନଶୀଳତା ପ୍ରକାଶ କରୁଛନ୍ତି ନା ଗୁରୁତ୍ୱ ଦେଇ ସମୀକ୍ଷା କରୁଛନ୍ତି। ରାଜ୍ୟକୁ କେବଳ ଜଗନ୍ନାଥ ଭରସା। ନିର୍ବାଚନ ଜିତି ଖୁସି ମନାଉଛନ୍ତି ସରକାର। ଅସୁରକ୍ଷିତ ରାଜ୍ୟରେ ସୁରକ୍ଷାକୁ ନେଇ ବଡ଼ ପ୍ରଶ୍ନବାଚୀ। ରାଜ୍ୟ ସରକାର ଇସ୍ତଫା ଦିଅନ୍ତୁ। ସରକାର ଆସହାୟ... ସାଧାରଣ ଲୋକ କ'ଣ କରିବେ। ସରକାର ସକ୍ଷମ ହୁଅନ୍ତୁ ନହେଲେ ଇସ୍ତଫା ଦିଅନ୍ତୁ।
ସେପଟେ କଂଗ୍ରେସ ସାମ୍ବାଦିକ ସମ୍ବିଳନୀ କରି ଜୋରଦାର୍ ବର୍ଷିଛି। କଂଗ୍ରେସ ମୁଖପାତ୍ର ସୋନାଲି ସାହୁ କହିଛନ୍ତି ଯେ, ଓଡ଼ିଶାରେ ତାଲିବାନି ଶାସନ ଚାଲିଛି। ପୂର୍ବ ସରକାରଠୁ ବଳିଗଲା ଡବଲ ଇଞ୍ଜିନ ସରକାର। ରାଜ୍ୟରେ ଆଇନ ଶୃଖଳା ବିପର୍ଯ୍ୟସ୍ତ। ସରକାରଙ୍କ ମନ୍ତ୍ରୀ ବିଧାୟକ ଏଠି ଝାଲମୁଢି ଖାଇବାରେ ବ୍ୟସ୍ତ। କଣାସ ଘଟଣା, ହିଞ୍ଜିଳି ଘଟଣା ଛାତି ଥରେଇ ଦେଇଥିଲା। ମନରୁ ଏ ଘଟଣା ନଲିଭିଣୁ ଗତକାଲି ବାଲିଅନ୍ତାର ଭିଡ଼ ହିଂସା ଘଟଣା ସାମ୍ନାକୁ ଆସିଲା। ଏସବୁ ଘଟଣା ପାଇଁ ସରକାରୀ ବ୍ୟବସ୍ଥା ଦାୟୀ। ପୁଲିସ କେବଳ ନେତାଙ୍କୁ ଜଗିବାରେ ବ୍ୟସ୍ତ। ପୁଲିସ ଠିକଣା ସମୟରେ ପହଁଚି କାର୍ଯ୍ୟାନୁଷ୍ଠାନ ନେଇଥିଲେ ଆଜି ଏତେ ବଡ଼ ଘଟଣା ଘଟିନଥାନ୍ତା। ପୁଲିସର ନିଷ୍କ୍ରିୟତା ପାଇଁ ଏ ଘଟଣା ଘଟିଛି। ଓଡ଼ିଶା ପୁଲିସ କଣ୍ଟ୍ରୋଲ ରୁମକୁ କିଏ ଚଳାଇଛନ୍ତି। ସରକାର ସ୍ପଷ୍ଟୀକରଣ ରଖନ୍ତୁ। ଏ ଘଟଣା ପାଇଁ ପୁଲିସ ଦାୟୀ।
ବିଜେପି ବିଧାୟକ ଅଗସ୍ଥି ବେହେରା ଅରୁଣଙ୍କ ଟାର୍ଗେଟର ଜବାବ ରଖିଛନ୍ତି । ସେ କହିଛନ୍ତି ଯେ, ବିଜେଡି ଶାସନ ସମୟରେ ବହୁତ ଘଟଣା ଘଟୁଥିଲା। ବାଲିଅନ୍ତା ଘଟଣା ଲୋକଙ୍କ ଆକ୍ରୋଶ ଯୋଗୁଁ ଏମିତି ଘଟିଲା। ଦୋଷୀଙ୍କୁ ଗିରଫ କରାଯାଇଛି। ମୁଖ୍ୟମନ୍ତ୍ରୀ ପୁଲିସକୁ ନିର୍ଦ୍ଦେଶ ଦେଇଛନ୍ତି। ମହିଳା କମିଶନ ମଧ୍ୟ ଘଟଣା ସ୍ଥଳକୁ ଯାଇଛନ୍ତି। ଆମ ସରକାରରେ ଯେଉଁଠି ବି କ୍ରାଇମ ହେଉଛି ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆଯାଉଛି। କିନ୍ତୁ ବିରୋଧୀ ରାଜନୀତି ନକରନ୍ତୁ। ବିରୋଧୀ ଏଭଳି ଘଟଣାରେ ସମ୍ବେଦନଶୀଳତା ଦେଖାଇବାର କଥା। ରାଜନୀତି କରିବା ଠିକ ନୁହେଁ।
ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ବିଜେପି ସାଂସଦ ପ୍ରଦୀପ ପୁରୋହିତ। ସେ କହିଛନ୍ତି ଯେ, ବୁଲେଟ ଚଢେଇ ମାରିଦେବା, ପିଟିପିଟି ମାରିଦେବା ଘଟଣା ବିଚଳିତ କରିଛି। ବିଜେଡିର ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି ଲଜ୍ୟାଜନକ। କିଛି ଦିନ ହେଲାଣି ରାଜ୍ୟରେ ବିଚଳିତ କଲା ଭଳି ଘଟଣା ଘଟୁଛି। ଶାସନ ବ୍ୟବସ୍ଥାରେ ପରିବର୍ତ୍ତନ ହେଉଛି। ଏବେ ସ୍ଥିତି ସୁଧାରିବାକୁ ଉଦ୍ୟମ କରୁଛନ୍ତି ମୋହନ ସରକାର। ଯେଉଁ ଘଟଣା ସାମ୍ନାକୁ ଆସିଛି ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଘଟଣାରେ ଜଡିତ କିଛି ଲୋକ ଗିରଫ ହୋଇଛନ୍ତି। ଆଗକୁ ଆହୁରି କାର୍ଯ୍ୟାନୁଷ୍ଠାନ ହେବ।
ଆହୁରି ପଢନ୍ତୁ- ବାଲିଅନ୍ତା ବର୍ବରତା : ଅଭିଯୋଗକାରିଣୀ କହିଲେ କେହି ହତ୍ୟା କରି ନାହାଁନ୍ତି, ସ୍ଥାନୀୟ ଲୋକଙ୍କୁ ଗିରଫ କରିବା ଭୁଲ୍