ନୂଆଦିଲ୍ଲୀ,୬।୧: ଦିଲ୍ଲୀ ବିଧାନସଭା ନିର୍ବାଚନ ପୂର୍ବରୁ ସେହି ବଙ୍ଗଳାକୁ ନେଇ ବିବାଦ ଆରମ୍ଭ ହୋଇଛି ଯେଉଁଥିରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ଥିଲେ। ଏବେ ଏହାକୁ ବିଜେପି ଓ କଂଗ୍ରେସ ‘ଶିଶା ମହଲ’ ବୋଲି କହିଛି। ବଙ୍ଗଳାକୁ ନେଇ ଏବେ ସିଏଜି ରିପୋର୍ଟ ମିଡିଆ ଆଗରେ ଲିକ୍ ହୋଇଯାଇଛି। ଯେଉଁଥିରୁ ଚକିତ କରିଦେବା ଭଳି ଘଟଣା ସାମନାକୁ ଆସିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ରବିବାର ପରିବର୍ତ୍ତନ ରାଲିରେ ଏହାର ଆଲୋଚନା କରି ଅରବିନ୍ଦ କେଜ୍ରିଓ୍ବାଲଙ୍କ ଉପରେ ଜୋରଦାର ଆକ୍ରମଣ କରିଛି।
ଟାଇମ୍ସ ଅଫ୍ ଇଣ୍ଡିଆର ଏକ ରିପୋର୍ଟ ଅନୁସାରେ, ସିଏଜି କହିଛି ମୁଖ୍ୟମନ୍ତ୍ରୀଙ୍କ ବାସଭବନର ନବୀକରଣରେ ୩୩ କୋଟି ଟଙ୍କାରୁ ଅଧିକ ଖର୍ଚ୍ଚ କରାଯାଇଛି। ସେଭଳି ପ୍ରାରମ୍ଭିକ ଅନୁମାନ ୭.୯ କୋଟି ଟଙ୍କାର ଥିଲା। ବଙ୍ଗଳା ନବୀକରଣ ୨୦୨୦ ରେ ଆରମ୍ଭ ହୋଇଥିଲା, ଯେତେବେଳେ ଏହା ଅରବିନ୍ଦ କେଜ୍ରିଓ୍ବାଲଙ୍କ ନାଁରେ ଆବଣ୍ଟିତ ଥିଲା। ସିଏଜି ରିପୋର୍ଟରେ ବଙ୍ଗଳାରେ ଲଗାଯାଇଥିବା ଜିନିଷ ବିଷୟରେ ମଧ୍ୟ ଆଲୋଚନା କରାଯାଇଛି।
ରିପୋର୍ଟରେ କୁହାଯାଇଛି ୮୮ ଇଞ୍ଚ OLVED TV (8K LG) ଯାହାର ମୂଲ୍ୟ ୨୮.୯ ଲକ୍ଷ ଟଙ୍କା ରହିଛି। ୧୦ ଅନ୍ୟ OLED ଟିଭି (4K Sony) ଉପରେ ୪୩.୯ ଲକ୍ଷ ଖର୍ଚ୍ଚ କରାଯାଇଛି। ମାଇକ୍ରୋଓ୍ବେଭର ମୂଲ୍ୟ ୬.୫ ଲକ୍ଷ ରହିଛି। ଓ୍ବାଶିଂ ମେସିନ୍ ୧.୯ ଲକ୍ଷ ଟଙ୍କା ରହିଛି। ୧୦ ବେଡ୍ ଓ ସୋଫାରେ ୧୩ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଛି।’ ଦିଲ୍ଲୀ ସରକାରଙ୍କ ପବ୍ଲିକ ଓ୍ବାକର୍ସ ଡିପାର୍ଟମେଣ୍ଟ(ପିଡବ୍ଲୁଡି) ପକ୍ଷରୁ ବଙ୍ଗଳାରେ ଜକୁଜି ଓ ସ୍ପା’ର ବ୍ୟବସ୍ଥା ମଧ୍ୟ କରାଯାଇଛି। ଯେଉଁଥିରେ ୧୯.୫ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଛି। ଏହାଛଡା ୭ ସର୍ଭେଣ୍ଟ କ୍ବାଟର ୧୯.୮ କୋଟି ଟଙ୍କାରେ ତିଆରି କରାଯାଇଛି। ମିଡିଆ ରିପୋର୍ଟ ସୁତ୍ର ଅନୁସାରେ, ସିଏଜି ରିପୋର୍ଟରେ ଏହି କଥା ମଧ୍ୟ ଆଲୋଚନା କରାଯାଇଛି। ପିଡବ୍ଲୁଡି ବିଭାଗ ପକ୍ଷରୁ ଅଡିଟ୍ ପାଇଁ ସବୁ ଦସ୍ତାବିଜ ଉପଲବ୍ଧ କରାଯାଇ ନାହିଁ। ବହୁବାର କହିବା ପରେ ବି ଏଭଳି କରାଯାଇନି। ସିଏଜି ରିପୋର୍ଟକୁ ଏଲଜିଙ୍କୁ ଦିଆଯାଇଛି।
ସିଏଜି ବଜେଟ୍ ବଢାଯିବା ଓ ଖର୍ଚ୍ଚ ପକ୍ରିୟାରେ ମଧ୍ୟ ଅନିୟମିତତା ଦେଖିବାକୁ ପାଇଛନ୍ତି। ୨୧୦୦୦ ସ୍କୋୟାର ଫିଟ୍ରେ ତିଆରି ୬ ଫ୍ଲାଗଷ୍ଟାଫ୍ ରୋଡ୍ ବଙ୍ଗଳାରେ ୮ ଡବଲ ବେଡରୁମ୍, ୩ ମିଟିଂ ରୁମ୍, ଦୁଇଟି ଡ୍ରଇଂ ରୁମ୍, ଦୁଇଟି କିଚେନ୍, ୧୨ ଟଏଲେଟ୍ ଓ ଗୋଟିଏ ଡାଇନିଂ ରୁମ୍ ରହିଛି। ତିନି ମହଲା ବିଶିଷ୍ଟ ଏହି ବିଲ୍ଡିଂରେ ୨୪ ସୋଫା, ୭୬ ଟେବଲ, ୪୫ ଚେୟାର,୮ ଟି ବେଡ୍, ୫ ରିକ୍ଲାଇନର ସୋଫା(ପ୍ରତି ସୋଫାର ମୂଲ୍ୟ ୮୧ ହଜାର ଟଙ୍କା)। ୧୧ ଅକ୍ଟୋବରରେ ପିଡବ୍ଲୁଡି ସୂଚନା ଅନୁସାରେ,୭୫ ବୋସ୍ ସିଲିଂ ସ୍ପିକର, ୫୦ ଏସି ଥିଲା, ଯାହାକି କିଚେନ, ଟଏଲେଟ୍, ଓ୍ବାଶିଂ ଏରିଆ, ଜିମ୍ ସହ ଅନ୍ୟ ସ୍ଥାନରେ ଲାଗିଥିଲା। ତେଣୁ ବିଜେପି ଏହାକୁ ‘ଶିଶା ମହଲ’ ବୋଲି କହିଛି।