ନୂଆଦିଲ୍ଲୀ: ଜାତୀୟ ରାଜଧାନୀ ଦିଲ୍ଲୀକୁ ପୁଣି ଫେରିଲା କଟକଣା ।  ବାୟୁ ପ୍ରଦୂଷଣ ବଢ଼ିବା ଫଳରେ ଦିଲ୍ଲୀରେ ଗ୍ରାପ୍‌-୩ କଟକଣା ଲାଗୁ ହୋଇଛି । ଦିଲ୍ଲୀ ଏବଂ ଏନସିଆରରେ ପ୍ରଦୂଷଣ ବୃଦ୍ଧି ପାଇଥିବା ଜଣାପଡ଼ିଛି । ରାଜଧାନୀର ବାୟୁମଣ୍ଡଳରେ ଧୂଆଁର ଏକ ମୋଟା ଆସ୍ତରଣ ପଡ଼ିଯାଇଛି । ଗତ ୨୪ ଘଣ୍ଟାରେ ଦିଲ୍ଲୀରେ ଏକ୍ୟୁଆଇ ୩୭୧ ବା ଅତ୍ୟନ୍ତ ଖରାପ ସ୍ଥିତିରେ ରହିଛି । ଭାରତୀୟ ପାଣିପାଗ ବିଭାଗ ଏନେଇ ଚେତାବନୀ ମଧ୍ୟ ଜାରି କରିଛି । ଏହାକୁ ନଜରରେ ରଖି ଏୟାର କ୍ବାଲିଟି ମ୍ୟାନେଜମେଣ୍ଟ କମିଶନ (ସିଏକ୍ୟୁଏମ) ଦିଲ୍ଲୀରେ ଗ୍ରାପ୍- ୩ କଟକଣା ଲଗାଇଛନ୍ତି ।   

ଗ୍ରାପ୍‌-୩ କଟକଣା

ଦିଲ୍ଲୀରେ କଟକଣା ଲାଗୁ ହେବା ପରେ ସମସ୍ତ ପ୍ରକାର ନିର୍ମାଣ କାର୍ଯ୍ୟ ବନ୍ଦ ହୋଇଛି । ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ଏବେ ହାଇବ୍ରିଡ୍‌ ମଡେଲ୍‌ରେ ପଢ଼ିବେ ।  ଏପରିକି ଅନଲାଇନ୍‌ରେ ପଢ଼ିବା ଲାଗି ମଧ୍ୟ ଛାତ୍ରଛାତ୍ରୀଙ୍କୁ ବିକଳ୍ପ ଦିଆଯାଇଛି । ସେହିଭଳି ବିଏସ୍‌-୩ ପେଟ୍ରୋଲ ଏବଂ ବିଏସ-୪ ଡିଜେଲ୍‌ ଚାଳିତ ଚାରି ଚକିଆ ଯାନ ଚଳାଚଳ ଉପରେ ରୋକ ଲାଗିଛି । ଅତି ଆବଶ୍ୟକ ନଥିବା ମାଲବୁହା ଗାଡ଼ିଗୁଡ଼ିକୁ ମଧ୍ୟ ଦିଲ୍ଲୀ ଭିତରକୁ ପ୍ରବେଶ ପାଇଁ ଅନୁମତି ମିଳିବ ନାହିଁ ।  ଦିଲ୍ଲୀରେ ପୁଣି ଥରେ କଠୋର କଟକଣା ଲଗାଇବା ଦ୍ବାରା ବାୟୁ ପ୍ରଦୂଷଣ ମାତ୍ରା କମିପାରିବ ବୋଲି ଆଶା କରାଯାଉଛି । 

ସୂଚନାଯୋଗ୍ୟ, ୨୪ ଡିସେମ୍ବର ୨୦୨୪ରେ ରାଜଧାନୀ ଦିଲ୍ଲୀରେ ପ୍ରଦୂଷଣର ମାତ୍ରା କମିଥିବାରୁ ଗ୍ରାପ୍-୪ କଟକଣା ହଟାଇ ଦିଆଯାଇଥିଲା । ଗ୍ରେଡେଡ୍‌ ରେସପନ୍ସ ଆକ୍ସନ ପ୍ଲାନ (ଗ୍ରାପ୍‌)-୪ ପ୍ରତ୍ୟାହାର କରିନେବା ପରେ ସାଧାରଣ ଜୀବନ ଯାତ୍ରା ସ୍ବାଭାବିକ ହୋଇଥିଲା  । ଗ୍ରାପ୍‌-୪ କଟକଣା ପ୍ରତ୍ୟାହାର ହୋଇଥିଲେ ହେଁ ଗ୍ରାପ୍‌ ୧,୨ କଟକଣା ବଳବତ୍ତର ଥିଲା । 

ପ୍ରତିବର୍ଷ ଜାତୀୟ ରାଜଧାନୀ ଦିଲ୍ଲୀରେ ଶୀତ ଋତୁରେ ବାୟୁର ମାନ ଅତ୍ୟନ୍ତ ଖରାପ ହୋଇପଡ଼େ । ଧିମା ପବନ, ଗାଡ଼ିମୋଟରରୁ ନିର୍ଗତ ଧୂଆଁ ଏବଂ ନଡ଼ାପୋଡ଼ି ଲାଗି ରାଜଧାନୀର ବାୟୁ ପାଲିଟି ଯାଏ ଜହର ଏବଂ ଲୋକେ ହନ୍ତସନ୍ତ ହୁଅନ୍ତି । ଏହାକୁ ନଜରରେ ରଖି, ଦିଲ୍ଲୀ ସରକାର ବର୍ଷ ସାରା ବାଣ ଉପରେ ବ୍ୟାନ ଲଗାଇଛନ୍ତି । ସେପଟେ ସୁପ୍ରିମକୋର୍ଟ ଉତ୍ତର ପ୍ରଦେଶ ଏବଂ ହରିୟାଣା ସରକାରଙ୍କୁ ବାଣ ବ୍ୟାନ୍‌ କରିବାକୁ ମଧ୍ୟ ପରାମର୍ଶ ଦେଇଛନ୍ତି ।