ନୂଆଦିଲ୍ଲୀ: ଯୋଧପୁର ସ୍ଥିତ ନିଜ ଗୁରୁକୁଳର ଜଣେ ନାବାଳିକା ଛାତ୍ରୀଙ୍କୁ ଯୌନ ନିର୍ଯାତନା ଦେବା ଅଭିଯୋଗରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଆଶାରାମ ବାପୁ ଆଜି (ଗୁରୁବାର) ହଠାତ୍ ଅସୁସ୍ଥ ହୋଇପଡ଼ିଥିଲେ। ମିଳିଥିବା ସୂତ୍ର ଅନୁଯାୟୀ, ଯୋଧପୁର କେନ୍ଦ୍ରୀୟ କାରାଗାରରେ ସେ ହଠାତ୍ ଶ୍ୱାସକ୍ରିୟାରେ କଷ୍ଟ ଅନୁଭବ କରିଥିଲେ, ଯାହା ଫଳରେ ଜେଲ ପ୍ରଶାସନ ତାଙ୍କୁ ତୁରନ୍ତ ଚିକିତ୍ସା ପାଇଁ ଘରୋଇ ହସ୍ପିଟାଲ ଆରୋଗ୍ୟମରେ ଭର୍ତ୍ତି କରିଛି ।

ରିପୋର୍ଟ ଅନୁଯାୟୀ, ଆଶାରାମ କିଛି ଦିନ ହେବ ବିଭିନ୍ନ ରୋଗରେ ପୀଡିତ ଅଛନ୍ତି ଏବଂ ପ୍ରାୟତଃ ଶ୍ୱାସକ୍ରିୟାରେ କଷ୍ଟ ଅନୁଭବ କରୁଛନ୍ତି। ଜେଲ ପ୍ରଶାସନ କହିଛି ଯେ ଡାକ୍ତରୀ ଦଳ ତାଙ୍କ ଉପରେ ନିରନ୍ତର ନଜର ରଖୁଛନ୍ତି। ସୂତ୍ର ଅନୁଯାୟୀ ବର୍ତ୍ତମାନ ତାଙ୍କ ଅବସ୍ଥା ଗୁରୁତର ଥିବା ସୂଚନା ମିଳିଛି ।

ଏଠାରେ ଉଲ୍ଲେଖନୀୟ ଯେ, ଆଶାରାମଙ୍କୁ ୨୦୧୮ ମସିହାରେ ଯୋଧପୁରର ଏକ ସ୍ୱତନ୍ତ୍ର POCSO କୋର୍ଟ ଜଣେ ନାବାଳିକା ଛାତ୍ରୀଙ୍କୁ ବଳାତ୍କାର କରିବା ଅଭିଯୋଗରେ ଆଜୀବନ କାରାଦଣ୍ଡ ଶୁଣାଇଥିଲେ। ସେବେ ଠାରୁ ସେ ଯୋଧପୁର କେନ୍ଦ୍ରୀୟ କାରାଗାରରେ ବନ୍ଦୀ ଅଛନ୍ତି। ସୁରକ୍ଷା ଦୃଷ୍ଟିରୁ, ହସ୍ପିଟାଲ ପ୍ରଶାସନ ଆଶାରାମଙ୍କ ୱାର୍ଡରେ ବାହାର ଲୋକଙ୍କ ପ୍ରବେଶକୁ ସମ୍ପୂର୍ଣ୍ଣ ପ୍ରତିବନ୍ଧିତ କରିଛି। ଜେଲ ପୋଲିସର ଏକ ସ୍ୱତନ୍ତ୍ର ଦଳ ହସ୍ପିଟାଲରେ ୨୪ ଘଣ୍ଟା ନିୟୋଜିତ ରହିଛି।

୨୦୧୩ ମସିହାର ଅଗଷ୍ଟ ମାସରେ, ଜଣେ ୧୬ ବର୍ଷୀୟା ଝିଅ ରାଜସ୍ଥାନର ଯୋଧପୁର ନିକଟସ୍ଥ ତାଙ୍କ ଆଶ୍ରମରେ ଆଶାରାମଙ୍କ ଉପରେ ଯୌନ ନିର୍ଯାତନା ଅଭିଯୋଗ ଆଣିଥିଲା। ପୀଡିତାଙ୍କ ପିତାମାତା ପରବର୍ତ୍ତୀ ସମୟରେ ଏକ ଅଭିଯୋଗ ଦାଖଲ କରିଥିଲେ। ପୋଲିସ ଅଗଷ୍ଟ ୩୧, ୨୦୧୩ ରେ ଆଶାରାମଙ୍କୁ ଗିରଫ କରିଥିଲା।

ପରେ, ଏପ୍ରିଲ ୨୦୧୮ ମସିହାରେ, ଯୋଧପୁର କୋର୍ଟ ଆଶାରାମଙ୍କୁ ନାବାଳିକାଙ୍କୁ ବଳାତ୍କାର କରିବା ଅଭିଯୋଗରେ ଦୋଷୀ ସାବ୍ୟସ୍ତ କରିଥିଲେ ଏବଂ ଭାରତୀୟ ଦଣ୍ଡ ସଂହିତା, ଯୌନ ଅପରାଧରୁ ଶିଶୁ ସୁରକ୍ଷା ଆଇନ ଏବଂ କିଶୋର ନ୍ୟାୟ ଆଇନର ବିଭିନ୍ନ ଧାରା ଅନୁଯାୟୀ ତାଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ।