ଲଖନପୁର,୧୬/୧୧: ଝାରସୁଗୁଡ଼ା ଜିଲ୍ଲା ବନହରପାଲି ସ୍ଥିତ ଓଡିଶା ପାୱାର ଜେନେରେସନ କର୍ପୋରେସନ ଓପିଜିସିର ପାଉଁଶ ପାଇପ ଲାଇନ ଫାଟି ଯାଇଛି l ଫଳରେ ଲୋକଙ୍କ ଘରେ ଏବଂ ଚାଷ ଜମିରେ ପାଉଁଶ ପାଣି ପଶି ଯାଇଛି । ଆଜି ଭୋର ୩ଟାରୁ ଏହି ପାଉଁଶ ପାଇପ ଫାଟିଥିବା ସ୍ଥାନୀୟ ଲୋକେ ସୂଚନା ଦେଇଛନ୍ତି । ପାଉଁଶ ପାଣି ମାଡି ଯାଇ ୪ ଏକରରୁ ଉର୍ଦ୍ଧ୍ୱ ଚାଷ ଜମି ନଷ୍ଟ ହୋଇଛି । ସେହିପରି ବନହରପାଲିର ଉମାଶଙ୍କର ସିଂହଙ୍କ ଘରେ ପାଉଁଶ ପାଣି ପଶିଛି ।

ଗୋଟେ ବର୍ଷ ପୂର୍ବରୁ ଓପିଜିସିର ପାଉଁଶ ପୋଖରୀ ହିଡ଼ ଭାଙ୍ଗି ପଶି ଯାଇଥିଲା । ଫଳରେ ବ୍ୟାପକ କ୍ଷତି ହୋଇଥିବା ବେଳେ ଆଜି ପୁଣି ପାଇପ ଫାଟି ପାଉଁଶ ମାଡି ଯିବାରୁ ଲୋକେ ଭୟଭୀତ ଅଛନ୍ତି । ଏହି ପାଉଁଶ ପାଣି ଚାଷ ଜମି, ଘର ଦ୍ୱାର, ଗାଁ ପୋଖରୀରେ ମାଡ଼ିଯାଇ ବ୍ୟାପକ କ୍ଷତି କରିଛି । ଓପିଜିସି ଏହାର ଆକଳନ କରି ତୁରନ୍ତ କ୍ଷତିପୂରଣ ଯୋଗାଉ ଏବଂ ଜିଲ୍ଲା ପ୍ରଶାସନ ଓପିଜିସି ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ବୋଲି ସ୍ଥାନୀୟ ଲୋକେ ଦାବି କରିଛନ୍ତି । ଅନ୍ୟପଟେ ବହୁଥିବା ପାଉଁଶ ପାଣିକୁ ରୋକାଯିବା ସହ ଏହାର ମରାମତି କାର୍ଯ୍ୟ ଆରମ୍ଭ କରାଯାଇଥିବା ଓପିଜିସି ପକ୍ଷରୁ ସୂଚନା ଦିଆଯାଇଛି ।