ମାଲକାନଗିରି /ଖଇରପୁଟ, ୩/୭ : ମିଟିଂରେ ତାଳି ତାଳି ମାରି ମାରି ସବୁ ଦିନ ପାଇଁ ଟଳି ପଡ଼ିଛନ୍ତି ଜଣେ ବଣ୍ଡା ମହିଳା ଆଶାକର୍ମୀ । ଏପରି ଅଭାବନୀୟ ଘଟଣା ଘଟିଛି ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ ବଣ୍ଡାଘାଟି ମୁଦୁଲିପଡ଼ା ପଞ୍ଚାୟତ କିର୍ସାନିପଡା ଗ୍ରାମରେ ।
ମିଳିଥିବା ସୂଚନା ଅନୁଯାୟୀ ଖଇରପୁଟ କଲ୍ୟାଣ ମଣ୍ଡପଠାରେ ଗତକାଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏକ ତିନି ଦିନିଆ ଆଶାକର୍ମୀମାନଙ୍କ ପ୍ରଶିକ୍ଷଣ ଶିବିର ଚାଲିଥିଲା। ଏହି ଶିବିରରେ ଖଇରପୁଟ ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ର ଅଧୀନରେ କାର୍ଯ୍ୟ କରୁଥିବା ୪୦ଜଣ ଆଶାକର୍ମୀ ଯୋଗ ଦେଇଥିଲେ । ଗତକାଲି ଅପରାହ୍ନରେ ପ୍ରଶିକ୍ଷଣ ଶିବିର ଚାଲିଥିବାବେଳେ ହଠାତ କିର୍ସାନିପଡ଼ା ଗ୍ରାମର ଆଶାକର୍ମୀ ମଙ୍ଗୁଳି କିର୍ସାନି ତାଳି ମାରି ମାରି ସେଠାରେ ଟଳି ପଡ଼ିଥିଲେ। ତୁରନ୍ତ ତାଙ୍କୁ ଖଇରପୁଟ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା । ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ । ମଙ୍ଗୁଳିଙ୍କର ହୃଦଘାତ ଯୋଗୁଁ ମୃତ୍ୟୁ ହୋଇଥିବା ଡାକ୍ତର କହିଛନ୍ତି । ପୁଲିସ ଘଟଣାସ୍ଥଳରେ ପହଁଚି ମୃତଦେହ ଜବତ କରି ଶବ ବ୍ୟବଚ୍ଛେଦ ଲାଗି ପଠାଇ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ଆଶା କର୍ମୀଙ୍କ ମୃତ୍ୟୁ ଘଟଣା ସମଗ୍ର ବଣ୍ଡା ଘାଟି ଓ ଖଇରପୁଟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।