ଦୁବାଇ,୨୧/୦୯: ଚଳିତ ଏସିଆ କପ୍ରେ ଆଜି ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଭାରତ ଓ ପାକିସ୍ତାନ ପୁଣି ଥରେ ସାମ୍ନା ସାମ୍ନି ହେବେ । ଉଭୟ ଦଳ ସବୁ ବିବାଦକୁ ଗୋଟିଏ ପାଶ୍ୱର୍ରେ ରଖି ବିଜୟ ପାଇଁ ସବୁ ଶକ୍ତି ଲଗାଇବେ । ପ୍ରଥମ ମ୍ୟାଚ୍ ପରେ ପାକିସ୍ତାନ ଦଳ ସହ ହ୍ୟାଣ୍ଡସେକ୍ ପାଇଁ ଭାରତୀୟ ଦଳ ନଆସିବା ପରଠୁ ବିବାଦ ଉଗ୍ର ରୂପ ଧାରଣ କରିଛି । ସପ୍ତାହେ ମଧ୍ୟରେ ଅନେକ ଘଟଣାକୁ ନେଇ ଆଲୋଚନା ସରଗରମ୍ ରହିଛି ।
ଆଣ୍ଡି ପାଇକ୍ରଫ୍ଟଙ୍କୁ ମ୍ୟାଚ୍ ରେଫରୀ ଦାୟିତ୍ୱରୁ ବହିଷ୍କାର କରିବା ପାଇଁ ପାକିସ୍ତାନର ଦାବିକୁ ଆଇସିସି ଅଗ୍ରାହ୍ୟ କରି ଦେଇଛି । ଏପଟେ ପାକିସ୍ତାନ ଦଳ ପ୍ରାକ୍ ମ୍ୟାଚ ସାମ୍ବାଦିକ ସମ୍ମିଳନୀଠୁ ଦୂରେଇ ରହୁଛି । ଏଭଳି ସବୁ ବିବାଦ ମଧ୍ୟରେ ପାକ୍ ଦଳ ପୂର୍ବ ପରାଜୟର ପ୍ରତିଶୋଧ ନେବାକୁ ଲକ୍ଷ୍ୟ ରଖିଛି । ଲିଗ ରାଉଣ୍ଡରେ ଅପରାଜେୟ ରହିଥିବା ଭାରତୀୟ ଦଳ ଆସନ୍ତାକାଲି ମଧ୍ୟ ଆଧିପତ୍ୟ ଜାରି ରଖିବା ଆଶା କରାଯାଉଛଛି । ହେଲେ ପରାଜୟ ଓ ହ୍ୟାଣ୍ଡସେକ ବିବାଦକୁ ନେଇ କ୍ରୋଧ ଜର୍ଜରିତ ପାକିସ୍ତାନ ଦଳ ବିଜୟ ପାଇଁ ସବୁ ଶକ୍ତି ଖଟାଇବାକୁ ପ୍ରସ୍ତୁତ ।
ଭାରତ ସବୁ ବିଭାଗରେ ଶକ୍ତିଶାଳୀ ମନେ ହେଇଥିଲେ ହେଁ ଓମାନ ବିପକ୍ଷ ମ୍ୟାଚ୍ ଫଳାଫଳ ଏକ ସତର୍କ ଘଣ୍ଟି କହିଲେ ଭୁଲ ହେବ ନାହିଁ । ପାକିସ୍ତାନ ବିପକ୍ଷରେ ବିଶାଳ ସ୍କୋର କରିବା ଜରୁରି । ଖାଲି ସେତିକି ନୁହେଁ, ପୁଣି ଥରେ କୁଲଦୀପ ଓ ସ୍ପିନ ବାହିନୀକୁ ଲୟ ଫେରି ପାଇବାକୁ ହେବ । ସେହିପରି ପାକିସ୍ତାନକୁ ବ୍ୟାଟିଂରେ ଉନ୍ନତି ଆଣିବାକୁ ହେବ ।
ଦୁବାଇ ପିଚ୍ ସ୍ପିନରଙ୍କୁ ବେଶ୍ ସହାୟତା କରୁଛି । ଉଭୟ ଦଳରେ ଦକ୍ଷ ସ୍ପିନର ରହିଥିବାରୁ ମ୍ୟାଚ ସଂଘର୍ଷପୂର୍ଣ୍ଣ ହେବା ଆଶା କରାଯାଉଛି । ଟସ୍ ସେଭଳି ଗୁରୁତ୍ୱପୂର୍ଣ୍ଣ ନୁହେଁ। ତଥାପି ଟସ ବିଜୟୀ ଦଳ ଫିଲ୍ଡିଂ ନିଷ୍ପତ୍ତି ନେବା ଏକ ପ୍ରକାର ନିଶ୍ଚିତ ।
ସମ୍ଭାବ୍ୟ ଦଳ
ଭାରତ: ଅଭିଷେକ ଶର୍ମା, ଶୁଭମନ ଗିଲ, ସୂର୍ଯ୍ୟକୁମାର ଯାଦବ (ଅଧିନାୟକ), ତିଳକ ବର୍ମା, ସଞ୍ଜୁ ସାମସନ, ହାର୍ଦ୍ଦିକ ପାଣ୍ଡ୍ୟା, ଶିବମ ଦୁବେ, ଅକ୍ଷର ପଟେଲ/ହର୍ଷିତ ରାଣା/ଅର୍ଶଦୀପ ସିଂହ, କୁଲଦୀପ ଯାଦବ, ଯଶପ୍ରୀତ ବୁମରା, ବରୁଣ ଚକ୍ରବର୍ତ୍ତୀ ।
ପାକିସ୍ତାନ: ସାହିବଜାଦା ଫରହାନ, ସାଏମ ଆୟୁବ, ଫଖାର ଜମାନ, ସଲମାନ ଆଘା (ଅଧିନାୟକ), ହାସାନ ନୱାଜ, ଖୁସଦିଲ ଶାହ, ମହମ୍ମଦ ହ୍ୟାରିସ, ମହମ୍ମଦ ନୱାଜ, ସହିନ ଆଫ୍ରିଦି, ହ୍ୟାରିସ ରୌଫ, ଅବରାର ଅହମ୍ମଦ।