ନୂଆଦିଲ୍ଲୀ,୧୬/୦୭ : ଭାରତର ପୋଷାକ ରପ୍ତାନିରେ ବଡ଼ ଧରଣର ବୃଦ୍ଧି ଘଟିପାରେ । କାରଣ ପୋଷାକ ରପ୍ତାନିରେ ଦୃଢ଼ ଉପସ୍ଥିତି ଥିବା କିଛି ଏସୀୟ ଦେଶଗୁଡ଼ିକ ସହ ଆମେରିକାର ବ୍ୟାପାର ଏବେ ଠିକ୍ ନାହିଁ । ଏହାର ଲାଭ ଉଠାଇପାରିବ ଭାରତ । ଭାରତୀୟ ଷ୍ଟେଟ୍ ବ୍ୟାଙ୍କ(ଏସ୍ବିଆଇ) ପକ୍ଷରୁ ଜାରି ହୋଇଥିବା ଏକ ରିପୋର୍ଟରେ ଏହା ଉଲ୍ଲେଖ କରାଯାଇଛି ।
ରିପୋର୍ଟରେ କୁହାଯାଇଛି ଯେ, ଆମେରିକାର ପୋଷାକ ଆମଦାନି ବଜାରରେ ଭାରତର ଅଂଶ ଏବେ ୬% ରହିଛି । ଯଦି ଭାରତ ଏହି ଅଂଶକୁ ଆଉ ୫% ବଢ଼ାଏ ତେବେ ଏହାକୁ ଅଧିକ ଫାଇଦା ହେବ । ଏହାଦ୍ୱାରା ଭାରତର ଜିଡିପିରେ ୦.୧% ବୃଦ୍ଧି ଘଟିପାରେ । ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି ଯେ, ଭାରତ ରସାୟନ କ୍ଷେତ୍ରରେ ମଜଭୁତ ଥିବା ସହ ପୋଷାକ କ୍ଷେତ୍ରରେ ବି ଏହାର ସ୍ଥିତି ଦୃଢ଼ ରହିଛି । ଏହା ଆମେରିକାକୁ ପୋଷାକ ଏବଂ ତତ୍ସମ୍ବନ୍ଧୀୟ ଉତ୍ପାଦ ବିକ୍ରି କରିଥାଏ । ବୟନ ଶିଳ୍ପ କ୍ଷେତ୍ରରେ ଭାରତକୁ ବାଂଲାଦେଶ, କମ୍ବୋଡିଆ, ଇଣ୍ଡୋନେସିଆ ଏବଂ ଭିଏତ୍ନାମ ଭଳି ଦେଶଗୁଡ଼ିକରୁ କଡ଼ା ପ୍ରତିଯୋଗିତା ମିଳିଥାଏ । ଏଥିମଧ୍ୟରୁ ଭିଏତ୍ନାମ ଉପରେ ଏବେ ଆମେରିକା ପକ୍ଷରୁ କମ୍ ଟାରିଫ୍ ଲଗାଯାଇଛି, ଯାହାଦ୍ୱାରା ଏହାକୁ ଫାଇଦା ହେବ । କିନ୍ତୁ ବାଂଲାଦେଶ, କମ୍ବୋଡିଆ ଏବଂ ଇଣ୍ଡୋନେସିଆକୁ ଆମେରିକାର ଟିକସ ନିୟମ ଯୋଗୁ ବଡ଼ କ୍ଷତି ସହିବାକୁ ପଡୁଛି ।
ଏଥିରେ ଆହୁରି କୁହାଯାଇଛି ଯେ, ବାଂଲାଦେଶ, କମ୍ବୋଡିଆ ଏବଂ ଇଣ୍ଡୋନେସିଆର ପୋଷାକ ରପ୍ତାନି ଭାଗକୁ ଭାରତ ହାସଲ କରିପାରେ । ଏହାର ଅର୍ଥ ଭାରତ ଏହି ଦେଶଗୁଡ଼ିକ ତୁଳନାରେ ଆମେରିକାକୁ ଅଧିକ ପୋଷାକ ବିକ୍ରି କରିପାରେ । ଆମେରିକା ବାଂଲାଦେଶ, କମ୍ବୋଡିଆ ଏବଂ ଇଣ୍ଡୋନେସିଆରୁ ଯେଉଁ ସାମଗ୍ରୀ କିଣିଥାଏ ସେଥିମଧ୍ୟରୁ ଅଧିକାଂଶ ହେଉଛି ପୋଷାକ ଏବଂ ତତ୍ସମ୍ବନ୍ଧୀୟ ଉତ୍ପାଦ । ବାଂଲାଦେଶ ଏହାର ମୋଟ ରପ୍ତାନିର ୮୮.୨% ଭାଗ କପଡ଼ା ଆକାରରେ ଆମେରିକାକୁ ପଠାଇଥାଏ । କମ୍ବୋଡିଆ ୩୦.୮% ଏବଂ ଇଣ୍ଡୋନେସିଆ ୧୫.୩% ପୋଷାକ ପଠାଇଥାଏ । ଏବେ ଏହି ଦେଶଗୁଡ଼ିକୁ ଆମେରିକାରେ ଅଧିକ ଟିକସ ଦେବାକୁ ପଡ଼ିବ । ଏହା ଦ୍ୱାରା ଭାରତ ପାଇଁ ନୂତନ ସୁଯୋଗ ସୃଷ୍ଟି ହେବ । ଫଳରେ ଏହା ନିଜର କାରବାର ବଢ଼ାଇପାରିବ । ଏସ୍ବିଆଇ ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି ଯେ, ଭାରତ ଅନ୍ୟ କ୍ଷେତ୍ରରେ ବି ଏହାର ରପ୍ତାନି ବଢ଼ାଇପାରେ । ଏହାମଧ୍ୟରେ ରହିଛି କୃଷି ସାମଗ୍ରୀ ଏବଂ ପଶୁଜାତ ଉତ୍ପାଦ । ବର୍ତ୍ତମାନ ସ୍ଥିତିରେ ଭାରତକୁ ଏହି ବାଣିଜ୍ୟିକ ପରିବର୍ତ୍ତନର ଲାଭ ଉଠାଇବାକୁ ପଡ଼ିବ ଏବଂ ରପ୍ତାନିକୁ ମଜଭୁତ କରିବାକୁ ପଡ଼ିବ ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି ।