ଭୁବନେଶ୍ୱର, ୦୭/୦୮: ଅକ୍ଟୋବର ୧୧ରୁ  ୧୫ ତାରିଖ ପର୍ଯ୍ୟନ୍ତ କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ହେବ ୨୮ତମ ଆଇଟିଟିଏଫ୍‌-ଏଟିଟିୟୁ ଏସିଆନ  ଟେବୁଲ ଟେନିସ ଟିମ୍‌ ଚାମ୍ପିଅନସିପ୍‌ । ଟେବୁଲ ଟେନିସ  ଫେଡେରେସନ୍‌ ଅଫ୍‌ ଇଣ୍ଡିଆ (ଟିଟିଏଫ୍‌ଆଇ)  ପକ୍ଷରୁ ଏ ବିଷୟରେ  ଘୋଷଣା ହୋଇଛି ।  

ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗର ପୂର୍ଣ୍ଣ  ସହଯୋଗ ଏବଂ ଟିଟିଏଫ୍‌ଆଇ ଓ ଓଡ଼ିଶା ସଂଘର  ମିଳିତ ଆନୁକୂଲ୍ୟରେ ଏହି ଚାମ୍ପିଅନସିପ୍‌ ଆୟୋଜିତ  ହେବ । ଏସିଆର ପ୍ରମୁଖ ଦେଶର ପୁରୁଷ ଓ ମହିଳା ଦଳ ଏଥିରେ ଅଂଶ ଗ୍ରହଣ କରିବେ ।

୨୦୨୪ରେ କାଜାଖସ୍ତାନରେ ଟୁର୍ଣ୍ଣାମେଣ୍ଟର  ୨୭ତମ ସଂସ୍କରଣ ଆୟୋଜିତ ହୋଇଥିଲା ।  ଅକ୍ଟୋବର ୭ରୁ ୧୩ ତାରିଖ ପର୍ଯ୍ୟନ୍ତ ଆୟୋଜିତ ଏହି  ଚାମ୍ପିଅନସିପ୍‌ରେ ସିଙ୍ଗଲ୍ସ, ଡବଲ୍ସ ଓ ଟିମ୍‌ ଇଭେଣ୍ଟରେ  ପ୍ରତିଯୋଗିତା ହୋଇଥିଲା । କିନ୍ତୁ ଭୁବନେଶ୍ୱରରେ  କେବଳ ଦଳଗତ ଇଭେଣ୍ଟର ଆୟୋଜନ କରାଯିବ ।  ଗତ ସଂସ୍କରଣରେ ଭାରତକୁ ୩ଟି ବ୍ରୋଞ୍ଜ ପଦକ  ମିଳିଥିଲା । ପୁରୁଷ ଓ ମହିଳା ଦଳଗତ ଏବଂ  ମହିଳା ଡବଲ୍ସରେ ବ୍ରୋଞ୍ଜ ପଦକ ମିଳିଥିଲା ।  

ଦ୍ୱିତୀୟ ଥର ପାଇଁ ଓଡ଼ିଶାରେ ଅନ୍ତର୍ଜାତୀୟ  ଟେବୁଲ ଟେନିସ ପ୍ରତିଯୋଗିତା ଆୟୋଜିତ  ହେଉଛି । ୨୦୧୯ରେ କଟକ ଜବହାରଲାଲ ନେହରୁ  ଷ୍ଟାଡିୟମରେ ୨୧ତମ ରାଜ୍ୟଗୋଷ୍ଠୀ ଟେବୁଲ ଟେନିସ  ଚାମ୍ପିଅନସିପ୍‌ ବେଶ ସଫଳତା ସହ ଆୟୋଜିତ ହୋଇଥିଲା । ଫଳରେ ଓଡ଼ିଶାକୁ ପ୍ରଥମ ଥର ଏସିଆନ ଟେବୁଲ ଟେନିସ  ଟିମ୍‌ ଚାମ୍ପିଅନସିପ୍‌ ଆୟୋଜନର ସୁଯୋଗ ମିଳିଛି ।  

ପୂର୍ବରୁ କଳିଙ୍ଗ ଷ୍ଟାଡିୟମରେ ଏସିଆନ ଆଥଲେଟିକ୍ସ  ଚାମ୍ପିଅନସିପ୍‌-୨୦୧୭, ପୁରୁଷ ହକି ବିଶ୍ୱକପ୍‌ ୨୦୧୮ ଓ  ୨୦୨୩, ୧୭ ବର୍ଷରୁ କମ୍‌ ମହିଳା ଫିଫା ବିଶ୍ୱକପ୍‌ ଏବଂ  ଚଳିତ ବର୍ଷ ଅଗଷ୍ଟ ୧୦ ତାରିଖରେ ବିଶ୍ୱ ଆଥଲେଟିକ୍ସ  କଣ୍ଟିନେଣ୍ଟାଲ ଟୁର (ବ୍ରୋଞ୍ଜ) ପ୍ରଭୃତି ପ୍ରତିଯୋଗିତା  ବେଶ ସଫଳତାର ସହ ଆୟୋଜିତ ହୋଇଥିଲା ।