ଭୁବନେଶ୍ୱର,୨୧/୦୮: ସେପ୍ଟେମ୍ବର ୨୧ରେ ଗୋଟିଏ  ଦିନରେ ଆସିଷ୍ଟାଣ୍ଟ ସେକ୍ସନ ଅଫିସର(ଏଏସଓ), ସ୍ପେସାଲିଷ୍ଟ  ସିଜିଏଲ୍‌ ପରୀକ୍ଷା । ଏହାର ଦିନକ ପରେ ସବ୍‌ ଇନ୍ସପେକ୍ଟର  ପରୀକ୍ଷା । ଗୋଟିଏ ଦିନରେ ଦୁଇଟି ପରୀକ୍ଷା ହେବାକୁ ଥିବା  ବେଳେ ଚାକିରୀ ଆଶାୟୀଙ୍କ ଟେନ୍‌ସନ୍‌ ବଢ଼ିଯାଇଛି । କେଉଁ ପରୀକ୍ଷା ଦେବେ, ଗୋଟିଏ ପରୀକ୍ଷା ଦେଇସାରିବା ପରେ ଦ୍ୱିତୀୟ  ପରୀକ୍ଷା ପାଇଁ ସମୟରେ ପହଞ୍ଚି ପାରିବେ କି ନାହିଁ, ତାକୁ ନେଇ ଦ୍ୱନ୍ଦ୍ୱରେ ପରୀକ୍ଷାର୍ଥୀ । କେମିତି ଏଭଳି ଦିନ ଧାର୍ଯ୍ୟ ହେଲା ତାକୁ  ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।   

ଆସନ୍ତା ସେପ୍ଟେମ୍ବର ୨୧ ପରୀକ୍ଷା ପାଇଁ ପ୍ରସ୍ତୁତି କରୁଛନ୍ତି  ସରକାରୀ ଚାକିରି ଆଶାୟୀ । ହେଲେ ଆଶ୍ଚର୍ଯ୍ୟଜନକ ଗୋଟିଏ  ଗୋଟିଏ ଦିନରେ ଏକାଧିକ ସରକାରୀ ଚାକିରୀ ପାଇଁ ପରୀକ୍ଷା  ଥିବାରୁ ସେମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି ।  ଆସିଷ୍ଟାଣ୍ଟ ସେକ୍ସନ ଅଫିସର(ଏଏସଓ, ଆଡଭୋକେଟ୍‌  ଜେନେରାଲ ଓଡ଼ିଶା) ପରୀକ୍ଷା ଆୟୋଜନ କରୁଛି ଓଡ଼ିଶା  ପବ୍ଲିକ ସର୍ଭିସ କମିଶନ । ଏପ୍ରିଲ ମାସରେ ଏହାର ବିଜ୍ଞପ୍ତି  ପ୍ରକାଶ ପାଇଥିଲା । ସେହିପରି ଓଡ଼ିଶା ଷ୍ଟାଫ୍‌ ସିଲେକ୍ସନ କମିଶନ  ସ୍ପେସାଲିଷ୍ଟ କମ୍ବାଇନ୍‌ଡ ଗ୍ରାଜୁଏଟ୍‌ ଲେଭେଲ୍‌(ସିଜିଏଲ) ପରୀକ୍ଷା କରୁଛି । ଏହାର ବିଜ୍ଞପ୍ତି ୨୦୨୪ରେ ପ୍ରକାଶ ପାଇଥିଲା ।  

ସେପ୍ଟେମ୍ବର ୨୧ରେ ଗ୍ରୁପ-ବି, ଗ୍ରୁପ-ସି ସ୍ପେସାଲ ପୋଷ୍ଟ ପାଇଁ  ପରୀକ୍ଷା ହେବ । ଅପରପକ୍ଷେ, ଓଡ଼ିଶା ପୁଲିସ ରିକ୍ରୁଟମେଣ୍ଟ  ବୋର୍ଡ ପକ୍ଷରୁ ସବ୍‌ ଇନସପେକ୍ଟର ପରୀକ୍ଷା ହେବ । ଏହାର  ତାରିଖ ଘୋଷଣା ହୋଇନଥିବା ବେଳେ ସାମାଜିକ ଗଣମାଧ୍ୟମରେ  ଏକ ଚିଠି ଏବେ ଘୁରିବୁଲୁଛି । ସେଥିରେ ଉଲ୍ଲେଖ ଅଛି ଯେ  ସେପ୍ଟେମ୍ବର ୨୨ ତାରିଖରେ ଏହି ପରୀକ୍ଷା ହେବ । ଏହା ଦେଖିବା  ପରେ ପରୀକ୍ଷାର୍ଥୀଙ୍କ ମାନସିକ ସନ୍ତୁଳନ ବିଗିଡିବାରେ ଲାଗିଛି ।  ଗୋଟିଏ ଦିନ ଅନ୍ତରରେ ତିନିଟି ପ୍ରମୁଖ ପରୀକ୍ଷା ଦେବା ଆଦୌ ସମ୍ଭବ ନୁହେଁ ବୋଲି ଜଣେ ଆଶାୟୀ ସୁନୀଲ ମିଶ୍ର ଅଭିଯୋଗ  କରିଛନ୍ତି । ଏହି ସବୁ ଏଜେନ୍ସିଙ୍କ ତାଳମେଳ ନଥିବାରୁ ଏଭଳି  ଦ୍ୱନ୍ଦ୍ୱାତ୍ମକ ପରିସ୍ଥିତି ସୃଷ୍ଟି ହୋଇଥିବା ଅଭିଯୋଗ ହୋଇଛି । ଯଦି  ଏଭଳି ହୁଏ ତେବେ ଯେଉଁ ପରୀକ୍ଷାର୍ଥୀ ଦୁଇଟି କିମ୍ବା ତିନିଟି  ପରୀକ୍ଷା ଦେବାକୁ ଫର୍ମପୂରଣ କରିଥିବେ ସେମାନେ ଅଧିକ  ହଇରାଣ ହେବେ । ଗୋଟିଏ ପରୀକ୍ଷା ଦେଇସାରିବା ପରେ ଅନ୍ୟ ପରୀକ୍ଷା ଦେବାକୁ ସମୟ ହିଁ ନଥିବ । ତେଣୁ ସରକାର ଏଦିଗରେ  ଦୃଷ୍ଟି ଦେଇ ପରୀକ୍ଷା ତାରିଖ ପରିବର୍ତ୍ତନ କରିବାକୁ ଦାବି ହୋଇଛି ।