ନୂଆଦିଲ୍ଲୀ: ଗତ ସପ୍ତାହରେ ସିରିଆରେ ହୋଇଥିବା ବିଦ୍ରୋହରେ ଦେଶଛାଡି ଚାଲିଯାଇଥିଲେ ସିରିଆର ପୂର୍ବତନ ରାଷ୍ଟ୍ରପତି ବଶର ଅଲ-ଅସଦ। ଦୀର୍ଘ ସପ୍ତାହେ ପରେ ଗଣମାଧ୍ୟମ ସାମ୍ନାରେ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି ଅସଦ। ଗଣମାଧ୍ୟମକୁ ସାକ୍ଷାତକାର ଦେଇ “ମୁଁ ଋଷିଆରେ ଶରଣ ନେଇନାହିଁ। ଡମାସ୍କସରେ ଡ୍ରୋନ ଆକ୍ରମଣ ବଢିବା ଯୋଗୁଁ ଋଷିଆ ମତେ ଏଠାକୁ ନେଇଆସିଛି।” ବୋଲି ସେ କହିଛନ୍ତି।
ଯୁଦ୍ଧ୍ୟର ଶେଷ ସମୟ ପର୍ଯ୍ୟନ୍ତ କେଉଁଠି ଶରଣ ନେବା ମୋ ଯୋଜନାରେ ନଥିଲା। ରବିବାର ଡିସେମ୍ବର ୮ ତାରିଖ ଦିନ ଋଷିଆ ମତେ ବାଧ୍ୟ କରିବାରୁ ମୁଁ ଦେଶ ଛାଡିଥିଲି ବୋଲି ଅସଦ କହିଛନ୍ତି।
ସିରିଆରେ ୧୯୭୧ ମସିହାରେ ହାଫିଜ ଅଲ-ଅସଦ ନୂତନ ରାଷ୍ଟ୍ରପତି ଭାବେ ଶପଥ ନେବା ପରେ ସେ ତାଙ୍କ ମୃତ୍ୟୁ ଯାଏ ଏହି ଗାଦି ଛାଡି ନଥିଲେ। ୨୦୦୦ ମସିହାରେ ହାଫିଜଙ୍କ ମୃତ୍ୟୁ ହୋଇଥିଲା। ବାପାଙ୍କ ମୃତ୍ୟୁ ପରେ ପୁଅ ବଶର ଅଲ-ଅସଦ ୨୦୦୦ ମସିହାରୁ ଏଯାଏ ରାଷ୍ଟ୍ରପତି ଭାର ସମ୍ଭାଳିଥିଲେ। ବିଦ୍ରୋହି ସଂଗଠନ ହୟାତ ଅଲ-ଶାମ(ଏଚଟିଏସ) ଡିସେମ୍ବର ୮ ତାରିଖ ଦିନ ସିରିଆର ରାଜଧାନି ଡମାସ୍କସକୁ ଦଖଲ କରିବାପରେ ଅସଦଙ୍କ ଶାସନର ଅନ୍ତ ଘଟିଥିଲା।
ଏହି ସାକ୍ଷାତକାର ଅବସରରେ ଅସଦ ସିରିଆକୁ ନେଇ ଚିନ୍ତା ବ୍ୟକ୍ତ କରିଥିଲେ। ସିରିଆ ଏବେ ଆତଙ୍କବାଦୀ ମାନଙ୍କ ହାତରେ ରହିଛି ବୋଲି କହିଥିଲେ। ସେ ନିଜକୁ ସିରିଆର ଜଣେ ଭଲ ଶାସକ ବୋଲି କହିବା ସହ ଋଷିଆକୁ ଆସିବା ପଛରେ କୈଣସି ବ୍ୟକ୍ତିଗତ କାରଣ ନାହିଁ ବୋଲି କହିଥିଲେ।
ସିରିଆରେ ନିକଟରେ ହୋଇଯାଇଥିବା ଘଟଣାକୁ ନେଇ ଅସଦ ଦୁଃଖ ପ୍ରକାଶ କରିଛନ୍ତି। ସିରିଆର ଲୋକ ମାନେ ଏହି ବାହ୍ୟଶକ୍ତିକୁ ପ୍ରତିହତ କରିବେ ବୋଲି ସେ କହିଛନ୍ତି