ନୂଆଦିଲ୍ଲୀ: ପ୍ରଥମେ ଇସ୍ତଫା…ଆଉ ଏହାର କିଛି ଘଣ୍ଟା ପରେ ପୁଣି ଇସ୍ତଫା ପ୍ରତ୍ୟାହାର । ଆସାମ କଂଗ୍ରେସରେ ସୋମବାର ଏଭଳି ଘଟଣା ଘଟିଛି। ଆସାମ କଂଗ୍ରେସର ପୂର୍ବତନ ସଭାପତି ଭୂପେନ କୁମାର ବୋରାଙ୍କୁ ନେଇ ଏବେ ଚର୍ଚ୍ଚା, କାହିଁକି ନା ବୋରା ଆଜି (ସୋମବାର) ଦଳର ସଭାପତି ମଲ୍ଲିକାର୍ଜୁନ ଖାର୍ଗେଙ୍କ ନିକଟରେ ଇସ୍ତଫା ଦାଖଲ କରିବାର କିଛି ଘଣ୍ଟା ପରେ ତାଙ୍କ ଇସ୍ତଫାପତ୍ର ପ୍ରତ୍ୟାହାର କରି ନେଇଛନ୍ତି । କଂଗ୍ରେସ ସଭାପତିଙ୍କୁ ଲେଖିଥିବା ଇସ୍ତଫାପତ୍ରରେ ସେ ଦାବି କରିଥିଲେ ଯେ, ତାଙ୍କୁ ଦଳୀୟ ନେତୃତ୍ୱ ଅଣଦେଖା କରୁଛନ୍ତି। ବୋରା ପୂର୍ବରୁ କହିଥିଲେ ଯେ, ସେ ସକାଳ ପ୍ରାୟ ୮ଟା ସମୟରେ ଦଳର କେନ୍ଦ୍ରୀୟ ନେତୃତ୍ୱକୁ ତାଙ୍କର ଇସ୍ତଫାପତ୍ର ପଠାଇଛନ୍ତି।

ଦଳ ହାଇକମାଣ୍ଡଙ୍କ ବିରୋଧରେ ଅଭିଯୋଗ…

ସେ କହିଥିଲେ, "ମୁଁ କଂଗ୍ରେସରୁ ଇସ୍ତଫା ଦେଇଛି। ମୁଁ ପୂର୍ବରୁ କେନ୍ଦ୍ରୀୟ ନେତୃତ୍ୱକୁ ମୋର ଇସ୍ତଫାପତ୍ର ପଠାଇ ଦେଇଛି। ମୋର ଆତ୍ମସମ୍ମାନ ରକ୍ଷା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି।" କଂଗ୍ରେସର କାର୍ଯ୍ୟଶୈଳୀ ପ୍ରତି ଅସନ୍ତୋଷ ପ୍ରକାଶ କରି ବୋରା କହିଛନ୍ତି ଯେ, ଦଳର ହାଇକମାଣ୍ଡ ସାଂଗଠନିକ ପ୍ରସଙ୍ଗରେ ସମୟୋଚିତ ଏବଂ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାରେ ବିଫଳ ହୋଇଛନ୍ତି।

ସୂଚନାଥାଉକି, ଏହି ବର୍ଷ ଆସାମରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି, ଭୂପେନ ବୋରାଙ୍କ ଇସ୍ତଫା ରାଜନୈତିକ ମହଲରେ ହଇଚଇ ସୃଷ୍ଟି କରିଛି। ଇସ୍ତଫା ପରେ, କଂଗ୍ରେସ ନେତା ଗୌରବ ଗୋଗୋଇ, ଭଂବର ଜିତେନ୍ଦ୍ର ସିଂହ ଏବଂ ପ୍ରଦ୍ୟୁତ ବୋର୍ଡୋଲୋଇ, ରାଇଜୋର ଡୋଲ ପ୍ରମୁଖ ଅଖିଳ ଗୋଗୋଇଙ୍କ ସହିତ, ଭୂପେନ ବୋରାଙ୍କ ସହ କଥାବାର୍ତ୍ତା କରିବା ପାଇଁ ଗୌହାଟିରେ ତାଙ୍କ ବାସଭବନକୁ ଯାଇଥିଲେ।

କାହିଁକି ହଠାତ୍ ନିଷ୍ପତ୍ତି ପରିବର୍ତ୍ତନ ? 

ଆସାମ କଂଗ୍ରେସ ପ୍ରଭାରୀ ଭଂବର ଜିତେନ୍ଦ୍ର ସିଂହ କହିଛନ୍ତି କି, "ମୁଁ ଭୂପେନ ବୋରାଙ୍କୁ ଇସ୍ତଫା ପ୍ରତ୍ୟାହାର କରିବା ପାଇଁ ଧନ୍ୟବାଦ ଜଣାଉଛି। ବରିଷ୍ଠ କଂଗ୍ରେସ ନେତା ଭୂପେନ ବୋରା କଂଗ୍ରେସ ପରିବାରର ଜଣେ ଗୁରୁତ୍ୱପୂର୍ଣ୍ଣ ସଦସ୍ୟ। ସେ ଆମ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ନିକଟକୁ ତାଙ୍କର ଇସ୍ତଫା ପଠାଇଥିଲେ। କେତେକ ସମୟରେ କଂଗ୍ରେସ ପରିବାର ମଧ୍ୟରେ ମତଭେଦ ସୃଷ୍ଟି ହୁଏ। କଂଗ୍ରେସ ସଭାପତି ତାଙ୍କ ଇସ୍ତଫା ଗ୍ରହଣ କରିନଥିଲେ। ରାହୁଲ ଗାନ୍ଧୀଙ୍କ ସମେତ ଦଳୀୟ ନେତୃତ୍ୱ ତାଙ୍କ ସହିତ ଦୀର୍ଘ ଆଲୋଚନା କରିଥିଲେ। ଆମେ ଆଲୋଚନା ମାଧ୍ୟମରେ ଏହି ମାମଲାର ସମାଧାନ କରିଥିଲୁ। ସେ ଗତ ୩୦ ବର୍ଷ ଧରି କଂଗ୍ରେସରେ ଅଛନ୍ତି।"

ବିଜେପି ଭୂପେନ ବୋରାଙ୍କୁ ଏକ ପ୍ରସ୍ତାବ ଦେଇଥିଲା…

କଂଗ୍ରେସରୁ ଇସ୍ତଫା ଦେବା ପରେ, ଭୂପେନ ବୋରାଙ୍କୁ ବିଜେପି ଏକ ଆସନ ପ୍ରଦାନ କରିଥିଲା। ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା କହିଥିଲେ ଯେ ଭାରତୀୟ ଜନତା ପାର୍ଟି (ବିଜେପି) ତାଙ୍କ ପାଇଁ ଖୋଲା ଅଛି। ସେ ଏହା ମଧ୍ୟ କହିଥିଲେ ଯେ ଯଦି ବୋରା ବିଜେପିରେ ଯୋଗ ଦିଅନ୍ତି, ତେବେ ସେ ଏକ ସୁରକ୍ଷିତ ଆସନରୁ ତାଙ୍କର ନିର୍ବାଚନ ସୁନିଶ୍ଚିତ କରିବାକୁ ଚେଷ୍ଟା କରିବେ। ମୁଖ୍ୟମନ୍ତ୍ରୀ କହିଥିଲେ, "ବୋରା ଏପର୍ଯ୍ୟନ୍ତ ମୋ ସହିତ କିମ୍ବା ବିଜେପି ସହିତ ଯୋଗାଯୋଗ କରିନାହାଁନ୍ତି, ଏବଂ ବର୍ତ୍ତମାନ ଆମର ତାଙ୍କ ସହିତ କୌଣସି ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ଯୋଗାଯୋଗ ନାହିଁ।"

ଏହା ସହ ପଢନ୍ତୁ : ସାରା ବିଶ୍ବରେ କେଉଁ ଧର୍ମର ସର୍ବାଧିକ ଜନସଂଖ୍ୟା ଅଛନ୍ତି ? ହିନ୍ଦୁଙ୍କ ସଂଖ୍ୟା କେତେ ? ଧର୍ମକୁ ନେଇ ସାମ୍ନାକୁ ଆସିଲା ଏହି ଆଶ୍ଚର୍ଯ୍ୟକର ରିପୋର୍ଟ…