ନୂଆଦିଲ୍ଲୀ,୨୭।୧୧: ଆସାମା ବିଧାନସଭାରେ ମଙ୍ଗଳବାର ପାସ୍ ହୋଇଛି ଐତିହାସକ ବିଲ୍। ବହୁବିବାହ ନିଷେଧ ବିଲ୍ ୨୦୨୫ ପାସ୍ ହୋଇଛି । ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବ ଶର୍ମାଙ୍କ ଦ୍ବାରା ଆଗତ କରାଯାଇଥିବା ଏହି ବିଲ୍ ରାଜ୍ୟରେ ବହୁବିବାହ ପ୍ରଥାକୁ ଶେଷ କରିବା ଓ ଏହାକୁ ଆଇନଗତ ଭାବରେ ଦଣ୍ଡନୀୟ ଅପରାଧ ଘୋଷିତ କରିବା ଦିଗରେ ସବୁଠାରୁ ବଡ଼ ଆଇନଗତ ଚେଷ୍ଟା ବୋଲି କୁହାଯାଉଛି। ବିଲ୍ ସପକ୍ଷରେ ବହୁସଂଖ୍ୟାରେ ମତଦାତ ହୋଇଥିଲା। ଏହା ସହ ଆସାମ ସେହି ରାଜ୍ୟରେ ସାମିଲ ହୋଇଯାଇଛି, ଯେଉଁଠି ବହୁ ବିବାହ ଉପରେ ସମ୍ପୂର୍ଣ୍ଣ ଭାବରେ ରୋକ ଲଗାଇବା ପାଇଁ କଠୋର ନିୟମ ଲାଗୁ କରାଯାଇଛି।

ଗୃହରେ ଆଗତ କରାଯାଇଥିବା ଦସ୍ତାବିଜ ଅନୁସାରେ, ଏହି ଆଇନର ଉଦେଶ୍ୟ ରାଜ୍ୟରେ ବହୁ ବିବାହ ପ୍ରଥାକୁ ଶେଷ କରିବା, ମହିଳାଙ୍କୁ ହେଉଥିବା ମାନସିକ, ସାମାଜିକ ଓ ଆର୍ଥିକ ଉତ୍ପୀଡନରୁ ରକ୍ଷା କରିବା। ଏହା ସହ ବିବାହ ସମ୍ପର୍କୀୟ ଏକ ସ୍ପଷ୍ଟ ଆଇନଗତ ଢାଞ୍ଚା ଆଣିବା। ବିଲରେ କୁହାଯାଇଛି ପ୍ରଥମ ବିବାହ ଥାଇ କୌଣସି ବ୍ୟକ୍ତି ଦ୍ବିତୀୟ ବିବାହ କରିବା ସିଧାସଳଖ ଭାବରେ ଅପରାଧ। ଏଭଳି ସ୍ଥିତିରେ ଅଭିଯୁକ୍ତକୁ ୭ ବର୍ଷ ପର୍ଯ୍ୟନ୍ତ ଜେଲ୍ ଓ ୧ ଲକ୍ଷ ୪୦ ହଜାର ପଯ୍ୟନ୍ତ ଜରିମାନା ଦେବାକୁ ହେବ। ଅଭିଯୁକ୍ତ ପ୍ରଥମ ବିବାହକୁ ଲୁଚାଇ ଦ୍ବିତୀୟ ବିବାହ କରୁଥିଲେ ତାହା ୧୦ ବର୍ଷର ସଜା ଓ ମୋଟା ଆକାରର ଜରିମାନା ହୋଇଯିବ। ଆଇନ ଏହା ମଧ୍ୟ ସ୍ପଷ୍ଟ କରୁଛି ଯେ, ଯଦି କୌଣସି ବ୍ୟକ୍ତି ଏହି ଆଇନକୁ ଦୋହରାଏ, ତେବେ ସଜା ଦୁଇଗୁଣା ହୋଇଯିବ।

ବିଲ୍ ପାସ୍ ହେବା ପୂର୍ବରୁ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବ ଶର୍ମା କହିଥିଲେ, ଇସ୍ଲାମରେ ବହୁ ବିବାହକୁ ପ୍ରୋତ୍ସାହନ ଦେଇପାରିବନି। ଯଦି ଏହି ବିଲ୍ ପା୍ସ ହୁଏ, ତେବେ ଆପଣଙ୍କୁ ଏକ ସଚ୍ଚା ମୁସଲମାନ ହେବାର ସୁଯୋଗ ମିଳିବ। ଏହି ବିଲ୍ ଇସ୍ଲାମ ବିରୋଧରେ ନୁହେଁ। ସଚ୍ଚା ଇସ୍ଲାମୀ ଲୋକ ଏହି ଆକ୍ଟକୁ ସ୍ବାଗତ କରିବେ। ତୁର୍କୀ ଭଳି ଦେଶ ମଧ୍ୟ ବହୁ ବିବାହ ଉପରେ ବ୍ୟାନ୍ ଲଗାଇ ଦେଇଛି। ଆଇନ କେବଳ ମୁଖ୍ୟ ଅଭିଯୁକ୍ତ ନୁହେଁ, ବଂର ବହୁ ବିବାହକୁ ପ୍ରୋତ୍ସାହନ ଦେଉଥିବା ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ। ଏଥିରେ ଗାଁର ମୁଖିଆ, କାଜି, ପୂଜାରୀ, ଅଭିଭାବକ କିମ୍ବା କୌଣସି ବ୍ୟକ୍ତି ସାମିଲ ଥିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ।