ନୂଆଦିଲ୍ଲୀ,୨୪/୧୨; ଆସାମର କାର୍ବି ଆଙ୍ଗଲୋଙ୍ଗ ଜିଲ୍ଲାରେ ହିଂସାର ନିଆଁ ଜଳୁଛି । ଦୀର୍ଘ ଦିନ ହେବ ଜମି ଖାଲି କରିବାକୁ ନେଇ ଉପୁଜିଥିବା ବିବାଦ ଭୟଙ୍କର ରୂପ ନେଇଛି । ଘଟଣାର ତାଜା ଅପଡେଟରେ ହିଂସାରେ ୨ ଜଣଙ୍କର ମୃତ୍ୟୁ ହୋଇଛି । ୩୮ ପୁଲିସକର୍ମୀଙ୍କ ସମେତ ୪୫ରୁ ଅଧିକ ଲୋକ ଆହତ ହୋଇଛନ୍ତି । ସ୍ଥିତି ବିଗୁଡୁଥିବାରୁ ରାଜ୍ୟରେ ସରକାର ଇଣ୍ଟରନେଟ୍ ସେବା ବନ୍ଦ କରିବାକୁ କଡ଼ା ନିର୍ଦ୍ଦେଶ ଜାରି କରିଛନ୍ତି । ପୁଲିସ୍ ଅନୁସାରେ ଖେରୋନୀ ଏବଂ ଆଖପାଖ ଅଞ୍ଚଳରେ ଏକାଧିକ ଘର, ଦୋକାନ ଏବଂ ସାର୍ବଜନୀକ ସମ୍ପତ୍ତି କ୍ଷୟକ୍ଷତି ହୋଇଛି । ଭଙ୍ଗାରୁଜା ସହ ପୋଡ଼ାଜଳା ହୋଇଛି ।

ଧୀରେ ଧୀରେ ହିଂସାର ନିଆଁ ଡୋଙ୍ଗକାମୁକାମକୁ ବ୍ୟାପିଛି । ଯେଉଁଠାରେ ପ୍ରଦର୍ଶନକାରୀମାନେ କାର୍ବି ଆଙ୍ଗଲୋଙ୍ଗ ସ୍ୱାୟଂଶାସିତ ପରିଷଦ ମୁଖ୍ୟ ତୁଲିରାମ ରୋଙ୍ଗହାଙ୍ଗଙ୍କ ପୈତୃକ ଘରକୁ ନିଆଁ ଲଗାଇ ଦେଇଛନ୍ତି । ଧୀରେ ଧୀରେ ସ୍ଥିତି ନିୟନ୍ତ୍ରଣକୁ ଆସୁଥିବା ପ୍ରଶାସନ କହିଛି । ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି ହୋଇଛି । ପୁଲିସଫୋର୍ସ ନିୟୋଜିତ ହୋଇଛନ୍ତି ।

ଆସାମ ହିଂସାର ୧୦ ତାଜା ଅପଡେଟ୍
୧. ଇଣ୍ଟନରନେଟ୍ ବନ୍ଦ- ହିଂସା ପରେ କାର୍ବି ଆଙ୍ଗଲଙ୍ଗ ଏବଂ ପଶ୍ଚିମ ଆଙ୍ଗଲଙ୍ଗ ଜିଲ୍ଲାରେ ମୋବାଇଲ୍ ଇଣ୍ଟରନେଟ୍ ସେବାକୁ ବନ୍ଦ କରି ଦିଆଯାଇଛି । ଭଏସ୍ କଲ୍ ଏବଂ ଫିକ୍ସଡ-ଲାଇନ ବ୍ରଡବ୍ୟାଣ୍ଡ ସେବା କାର୍ଯ୍ୟକ୍ଷମ ରହିଛି ।

୨. ୨ ମୃତ, ୩୮ ପୁଲିସ୍ ଆହତ- ଖେରାନୀ ଏବଂ ଡୋଙ୍ଗାକାମୁକାମରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷରେ ୨ ଜଣଙ୍କର ମୃତ୍ୟୁ ହୋଇଛି । ୩୮ ପୁଲିସଙ୍କ ସମେତ ୪୫ ଜଣ ଆହତ ହୋଇଛନ୍ତି । ପରିସ୍ଥିତି ନୟନ୍ତ୍ରଣ ପାଇଁ ପୁଲିସ୍ ଲାଠିଚାର୍ଜ ସହିତ ଲୁହବୁହା ଗ୍ୟାସ ପ୍ରୟୋଗ କରିବାକୁ ବାଧ୍ୟ ହୋଇଥିଲା ।

୩. ବିବାଦର କାରଣ କଣ ? ସମ୍ବିଧାନର ଷଷ୍ଠ ଅନୁସୂଚୀ ଅନୁଯାୟୀ ସୁରକ୍ଷିତ ଗାଁ ଚରଣ ସଂରକ୍ଷଣ ଏବଂ ବୃତ୍ତିଗତ ଚରଣ ସଂରକ୍ଷଣ ଜମିରୁ କଥିତ ଜବରଦଖଲ ହଟାଇବା ଦାବିରୁ ହିଂସା ସୃଷ୍ଟି ହୋଇଛି ।

୪. ଅନଶନରୁ ବଢିଲା ଉତ୍ତେଜନା- ପୁଲିସ୍ ଯେତେବେଳେ ୯ ଜଣ ଅନଶନକାରୀଙ୍କୁ ଡାକ୍ତରୀ ପରୀକ୍ଷା ପାଇଁ ହସ୍ପିଟାଲରେ ଭର୍ତ୍ତି କରିଥିଲା ପରିସ୍ଥିତି ଆହୁରି ଜଟିଳ ହୋଇଗଲା । ସେମାନଙ୍କ ଗିରଫଦାରୀର ଗୁଜବ ଲୋକଙ୍କ କ୍ରୋଧର କାରଣ ହେଲା ।

୫.କେଏଏସି ମୁଖ୍ୟଙ୍କ ଘରକୁ ଆକ୍ରମଣ- ପ୍ରଦର୍ଶନକାରୀମାନେ ତୁଲିରାମ ରୋଙ୍ଗହାଙ୍ଗଙ୍କ ପୈତୃକ ଘରେ ନିଆଁ ଲଗାଇ ଦେଇଥିଲେ । ଅନେକ ଦୋକାଲ, ଗାଡ଼ି ଏବଂ ସରକାରୀ ସମ୍ପତ୍ତିକୁ କ୍ଷତି ପହଞ୍ଚାଇଛନ୍ତି ।

୬. ଧାରା ୧୬୩ ଲାଗୁ- ପ୍ରଶାସନ ଭାରତୀୟ ଦଣ ସଂହିତା ବା ବିଏନଏସ ଧାରା ୧୬୩ ଲାଗୁ କରିଛି । ଏହା ୫ କିମ୍ବା ତାଠାରୁ ଅଧିକ ଲୋକ ଏକାତ୍ରିତ ହେବା, ରାଲି, ଶୋଭାଯାତ୍ରା ଏବଂ ଲାଉଡସ୍ପିକର ବ୍ୟବହାର ନିଷେଧ କରିଛି । ସନ୍ଧ୍ୟା ୫ଟାରୁ ସକାଳ ୬ଟା ପର୍ଯ୍ୟନ୍ତ ଗତିବିଧି ଉପରେ କଟକଣା ଲଗାଯାଇଛି ।

୭. ଗୁଜବରେ ରୋକ୍ ଲଗାଇବାକୁ ପ୍ରୟାସ- ଆସାମ ଗୃହ ଏବଂ ରାଜନୈତିକ ବିଭାଗ କହିଛି ଯେ ଗୁଜବ ଏବଂ ଉତ୍ତେଜନାମୂଳକ ବିଷୟବସ୍ତୁ ପ୍ରସାରଣକୁ ରୋକିବା ପାଇଁ ଇଣ୍ଟରନେଟ୍ ବନ୍ଦ କରିବାର ନିଷ୍ପତ୍ତି ନିଆଯାଇଛି ।

୮. ପୁଲିସର ଅପିଲ୍- ପୁଲିସ୍ ଆଇଜି ଅଖିଳେଶ କୁମାର ସିଂହ କହିଛନ୍ତି ଶାନ୍ତି ଆଲୋଚନା ଚାଲିଛି । ଆଇନକୁ ହାତକୁ ନ ନେଇ ଆଇନଗତ ବାଟ ଅନୁସରଣ କରିବାକୁ ଲୋକଙ୍କୁ ଅପିଲ କରିଛନ୍ତି ଆଇଜି ।

୯. ମୁଖ୍ୟମନ୍ତ୍ରୀଙ୍କ ପ୍ରତିକ୍ରିୟା- ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା କହିଛନ୍ତି କି, ପରିସ୍ଥିତି ଉପରେ ନଜର ରଖାଯାଇଛି । ଅତିରିକ୍ତ ପୁଲିସ୍ ଫୋର୍ସ ମୁତୟନ ହୋଇଛନ୍ତି । ମୃତକଙ୍କ ପରିବାର ପ୍ରତି ମୋର ସମବେଦନା ରହିଛି ।​​​​​​​

୧୦. ପୁରୁଣା ଏବଂ ଜଟିଳ ଜମି ବିବାଦ- ଷଷ୍ଠ ଅନୁସୂଚୀ ପାହାଡ଼ ଜିଲ୍ଲାରେ ୭, ୧୮୪ ଏକରରୁ ଅଧିକ ସଂରକ୍ଷିତ ଜମି ଉପରେ କଥିତ ଜବରଦଖଲ ସହିତ ଏହି ଆନ୍ଦୋଳନ ଜଡ଼ିତ ।