ନୂଆଦିଲ୍ଲୀ, ୧୪/୧୧: ଇଣ୍ଡିଆନ୍ ସାଇବର କ୍ରାଇମ୍ କୋଅର୍ଡିନେଶନ୍ ସେଣ୍ଟର ପକ୍ଷରୁ ସୋସିଆଲ ମିଡିଆରେ ଅନ୍ଲାଇନ୍ ଆଷ୍ଟ୍ରୋଲୋଜର ସ୍କାମ୍କୁ ନେଇ ସତର୍କ କରାଯାଇଛି । ସାଇବର ଅପରାଧୀମାନେ ନିଜକୁ ସାର୍ଟିଫାଏଡ୍ ଆଷ୍ଟ୍ରୋଲୋଜର ଦର୍ଶାଇ ଲୋକଙ୍କୁ ଫସାଉଛନ୍ତି । ମାଗଣା ପରାମର୍ଶ ମାଧ୍ୟମରେ ପ୍ରଥମେ ଲୋକଙ୍କ ଭରସା ଜିତୁଛନ୍ତି ଏବଂ ପରେ ଟଙ୍କା ଲୁଟୁଛନ୍ତି ।
ଜଣେ ପୀଡ଼ିତଙ୍କ କହିବାନୁସାରେ, ମାଗଣା ପରାମର୍ଶ ପରେ ଜଣେ ନକଲି ଜ୍ୟୋତିଷ ତାଙ୍କୁ ୧୦,୦୦୦ ଟଙ୍କା ମାଗିଥିଲେ । କିନ୍ତୁ ପେମେଣ୍ଟ ଲିଙ୍କ୍ରୁ ତାଙ୍କ ବ୍ୟାଙ୍କ୍ ଆକାଉଣ୍ଟ ଖାଲି ହୋଇଯାଇଥିଲା । ସାଇବର କ୍ରାଇମ୍ କୋଅର୍ଡିନେଶନ୍ ସେଣ୍ଟର ପ୍ରକାଶ କରିଛି ଯେ, ବିଷାଦଗ୍ରସ୍ତ ଲୋକେ ତତ୍କାଳ ସମାଧାନ ସନ୍ଧାନରେ ଫସି ଯାଆନ୍ତି । ଏଥିପାଇଁ ସାବଧାନ ରହିବା ଜରୁରୀ । ଭାରତରେ ଆଷ୍ଟ୍ରୋଲୋଜି ବଜାର ଦ୍ରୁତ ବେଗରେ ବଢ଼ିଚାଲିଛି । ଏହାର ଆକାର ଏତେ ମାତ୍ରାରେ ବଡ଼ ହୋଇଗଲାଣି ଯେ, କେଉଁ କେଉଁ ସ୍ଥାନରେ ଆଷ୍ଟ୍ରୋଲୋଜି ବ୍ୟବହାର ହେଉଛି ତାହାର ଠିକଣା ନାହିଁ । ଏଭଳି ସ୍ଥିତିରେ ସାଇବର ଠକେଇରୁ ବଞ୍ଚିବା ପାଇଁ ଅନେକ ବିଷୟ ଉପରେ ଧ୍ୟାନ ଦେବାକୁ ପଡ଼ିବ ।
ରେଡ୍ସୀର ଷ୍ଟ୍ରାଟେଜି କନ୍ସଲ୍ଟାଣ୍ଟ୍ସ ମୁତାବକ, ଭାରତରେ ଆଷ୍ଟ୍ରୋ ବଜାର ୬୦,୦୦୦ କୋଟି ଟଙ୍କାରୁ ଅଧିକ ହୋଇଯାଇଛି । କେବଳ ଡିଜିଟାଲ ସେଗ୍ମେଣ୍ଟରେ ଏହା ୨୦୩୦ ସୁଦ୍ଧା ୧୦ ଗୁଣ ବଢ଼ିବା ଅନୁମାନ ରହିଛି । କେବଳ ଭାରତରେ ନୁହେଁ, ଆମେରିକା ବଜାରରେ ବି ଏହା ଲୋକପ୍ରିୟ ହେଉଛି । ଆଲାଇଡ୍ ମାର୍କେଟ୍ ରିସର୍ଚ୍ଚ ରିପୋର୍ଟ ଅନୁସାରେ, ଆମେରିକାରେ ଅନ୍ଲାଇନ୍ ଆଷ୍ଟ୍ରୋଲୋଜି ବଜାରର ମୂଲ୍ୟ ପ୍ରାୟ ୩ ବିଲିୟନ ଡଲାର ରହିଛି । ଆସନ୍ତା ୫ ବର୍ଷରେ ଏହା ୩ ଗୁଣା ବଢ଼ିପାରେ । ସବୁଠାରୁ ଲୋକପ୍ରିୟ ଜ୍ୟୋତିଷ୍ୟ ଆପ୍ ମଧ୍ୟରୁ ଅନ୍ୟତମ କୋ-ଷ୍ଟାର ନିକଟରେ ୩ କୋଟି ପଞ୍ଜୀକୃତ ୟୁଜର ଅଛନ୍ତି । ସେହିଭଳି ପ୍ୟୁ ରିସର୍ଚ୍ଚ ସେଣ୍ଟରର ଏକ ଅନୁଧ୍ୟାନ ଅନୁସାରେ, ଆମେରିକାର ପ୍ରାୟ ୩୦% ଲୋକ ବର୍ଷକରେ ଅନ୍ୟୁନ ଥରେ ହରୋସ୍କୋପ୍, ଟେରୋ କାର୍ଡସ କିମ୍ବା ଫର୍ଚ୍ୟୁନ୍ ଟେଲର୍ସଙ୍କ ପରାମର୍ଶ ନେଇଥାନ୍ତି । ଭାରତରେ ଜ୍ୟେତିଷ ଶାସ୍ତ୍ରର ବହୁଳ ବ୍ୟବହାର ହୋଇଥାଏ । ବିବାହ, ଧନ, ବେବି ନେମ୍ସ ପର୍ଯ୍ୟନ୍ତ ନିଷ୍ପତ୍ତି ନେବା ସମୟରେ ଏହାର ଉପଯୋଗ ହୋଇଥାଏ । କିନ୍ତୁ ଅନ୍ଲାଇନ୍ ପ୍ଲାଟ୍ଫର୍ମ ଆସିବା ଦ୍ୱାରା ବିବାହ ଏବଂ କ୍ୟାରିୟରଠାରୁ ଆଗକୁ ଯାଇ ଲୋକେ ଟ୍ରେଡିଂ ପାଇଁ ବି ଜ୍ୟୋତିଷଶାସ୍ତ୍ରର ସାହାଯ୍ୟ ନେଉଛନ୍ତି । କେତେକ ଟ୍ରେଡର୍ସ ଏବେ ବାଲାନ୍ସ ସିଟ୍ ସହ ଗ୍ରହ-ନକ୍ଷତ୍ର ଚେକ୍ କରୁଛନ୍ତି ।
୪୩ ବର୍ଷୀୟ କମୋଡିଟି ଟ୍ରେଡର ଜୟ ପଟେଲ କୁହନ୍ତି, ବୁଧ ଟ୍ରେଡିଂ ଟାଇମ୍ କହିଥାଏ, ଗୁରୁ ସମ୍ପ୍ରସାରଣର ସଂକେତ ଦେଇଥାଏ ଏବଂ ଶନି ମନ୍ଥରତାକୁ କମାଇଥାଏ । ପଟେଲ ନିଜର ସବୁଠାରୁ ସ୍ମରଣୀୟ ଟ୍ରେଡ୍କୁ ନେଇ କୁହନ୍ତି ଯେ, ସମସ୍ତ ଜ୍ୟୋତିଷୀୟ ଗଣନା କରିବା ପରେ ସେ ଥରେ ଏହି ଆଷ୍ଟ୍ରୋଲୋଜିକାଲ ୱିଣ୍ଡୋରେ କଲ୍ ଅପ୍ସନ କିଣିଥିଲେ । ଆଷ୍ଟ୍ରୋ ଆଧାରରେ ନିଆଯାଇଥିବା ଏହି ଟ୍ରେଡ୍ରେ ତାଙ୍କୁ ୯୦ ଗୁଣା ରିଟର୍ଣ୍ଣ ମିଳିଥିଲା । ଆଜିକାଲି ୩୫ ବର୍ଷରୁ କମ୍ ବୟସ୍କ ପୁଅଝିଅମାନେ ବିପୁଳ ସଂଖ୍ୟକ ଆପ୍ ବ୍ୟବହାର କରନ୍ତି । କ୍ୟାରିୟର, ପ୍ରେମ ଜୀବନ କିମ୍ବା ଚାକିରିର ସମସ୍ୟା ଥିଲେ ସେମାନେ ସୋସିଆଲ ମିଡିଆରେ ସ୍କ୍ରୋଲ କରି କ୍ୱିକ୍ କନ୍ସଲଟେସନ ନେଇଥାନ୍ତି । ଏଆଇ ଟୁଲ୍ସ ଗଣନାକୁ ଦ୍ରୁତ କରିଦେଇଛି । ଏହା ମନୁଷ୍ୟଠାରୁ ୫ ଗୁଣା ଅଧିକ ପ୍ରଶ୍ନର ଉତ୍ତର ଦ୍ରୁତ ବେଗରେ ଦେଇଥାଏ । ଏହା ଶସ୍ତା ବି ହୋଇଥାଏ ।
ଆଷ୍ଟ୍ରୋଟକ୍ ଭଳି ପ୍ଲାଟ୍ଫର୍ମରେ ମାସରେ ୫୦ ଲକ୍ଷ ପେଡ୍ କନ୍ସଲ୍ଟେସନ ହୋଇଥାଏ । ଏହାର ପ୍ରତିଷ୍ଠାତା ପୁନୀତ ଗୁପ୍ତା କୁହନ୍ତି, ଆପ୍ରେ ୭ କୋଟି ୟୁଜର ଅଛନ୍ତି, ଯେଉଁଥିରୁ ୮୪% ଙ୍କ ବୟସ ୩୫ ବର୍ଷରୁ କମ୍ । ଆଷ୍ଟ୍ରୋ ଆପ୍ଗୁଡ଼ିକର ପ୍ରସାର ମଧ୍ୟରେ ସାଇବର ଅପରାଧ ମାତ୍ରା ବଢ଼ିଚାଲିଛି । ସାମାନ୍ୟ ଅସାବଧାନତାରୁ ସମ୍ପୂର୍ଣ୍ଣ ବ୍ୟାଙ୍କ ଆକାଉଣ୍ଟ ଖାଲି ହୋଇଯିବାର ସମ୍ଭାବନା ରହିଥିବା ବିଶେଷଜ୍ଞମାନେ ପ୍ରକାଶ କରିଛନ୍ତି । ବିଶେଷଜ୍ଞଙ୍କ କହିବାନୁସାରେ, ବ୍ୟକ୍ତିଗତ କିମ୍ବା ବିତ୍ତୀୟ ବିବରଣୀ ଆଦୌ ପ୍ରଦାନ କରନ୍ତୁ ନାହିଁ । କୌଣସି ପେମେଣ୍ଟ ଲିଙ୍କ୍ରେ କ୍ଲିକ୍ କରିବାରୁ ଦୂରେଇ ରହିବା ଲାଗି ଏମାନେ ପରାମର୍ଶ ଦିଅନ୍ତି । ବିନା ଯାଞ୍ଚରେ ଆପ୍ ଡାଉନ୍ଲୋଡ୍ କିମ୍ବା ଓଟିପି ସେୟାର ନ କରିବାକୁ ୟୁଜରଙ୍କୁ ପରାମର୍ଶ ଦିଆଯାଇଛି । ପ୍ରକୃତ ଜ୍ୟୋତିଷ କଦାପି ବ୍ୟାଙ୍କ ବିବରଣୀ କିମ୍ବା ଓଟିପି ମାଗନ୍ତି ନାହିଁ । ପ୍ରଥମେ ଜ୍ୟୋତିଷଙ୍କ ପ୍ରତ୍ୟୟ ଯାଞ୍ଚ କରିବା ପାଇଁ ଏବଂ ନିଜେ ସଚେତନ ରହିବାକୁ ପରାମର୍ଶ ଦିଆଯାଇଛି