ନୂଆଦିଲ୍ଲୀ,୧୭/୦୮: 'ଭାରତ ମାତା କି ଜୟ ନାରାରେ କମ୍ପୁଛି ଗଗନ ପବନ । ବାଜୁଛି ଢୋଲ । ସମସ୍ତଙ୍କ ମନରେ ଆନନ୍ଦ- ଉଲ୍ଲାସ । ଭାରତ ଫେରିଛନ୍ତି ଦ୍ବିତୀୟ ମହାକାଶଚାରୀ ତଥା ଅନ୍ତର୍ଜାତୀୟ ମହାକାଶ ଷ୍ଟେସନ ଯାଇଥିବା ସୁନାପୁଅ ବାୟୁସେନା ଗ୍ରୁପ କ୍ୟାପ୍ଟେନ୍‌ ଶୁଭାଂଶୁ ଶୁକ୍ଳା । ଶନିବାର ବିଳମ୍ବିତ ରାତିରେ ଦିଲ୍ଲୀ ବିମାନ ବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ଗ୍ରାଣ୍ଡ ୱେଲକମ୍ କରାଯାଇଛି । ବିମାନ ବନ୍ଦରରେ ତାଙ୍କ ପତ୍ନୀ କାମନା ଶୁକ୍ଳା ଓ ପୁଅଙ୍କ ସହିତ କେନ୍ଦ୍ର ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଜିତେନ୍ଦ୍ର ସିଂହ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ଓ ଇସ୍ରୋ ମୁଖ୍ୟ ଭି. ନାରାୟଣନ ଉପସ୍ଥିତ ଥିଲେ । 

ଶୁଭାଂଶୁ ଶୁକ୍ଳା ଆସିବା ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା  ପୁଷ୍ପଗୁଚ୍ଛ ଦେଇ ତାଙ୍କୁ ସ୍ୱାଗତ କରିଥିଲେ । ସେଠାରେ ଉପସ୍ଥିତ ଲୋକ ହାତରେ ତ୍ରିରଙ୍ଗା ଧରି ଭାରତ ମାତା କି ଜୟ ନାରା ଦେଇଥିଲେ । ଏୟାରପୋର୍ଟ ବାହାରେ ବି ତାଙ୍କୁ ଗ୍ରାଣ୍ଡ ୱେଲକମ୍ କରାଯାଇଥିଲା । ନାସାର ଆକ୍ସିଅମ୍-୪ ମହାକାଶ ମିସନର ପାଇଲଟ୍ ତଥା ମହାକାଶରେ ତ୍ରିରଙ୍ଗା ଉଡ଼ାଇଥିବା ଭାରତର ଦ୍ୱିତୀୟ ମହାକାଶଚାରୀ ଶୁଭାଂଶୁ ଶୁକ୍ଲା ଭାରତ ଫେରିଛନ୍ତି । ଆସନ୍ତା ୨୩ ଇସ୍ରୋର ଏକ କାର୍ଯ୍ୟକ୍ରମରେ ସାମିଲ ହେବେ ଶୁଭାଂଶୁ ଶୁକ୍ଳା । ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମଧ୍ୟ ଭେଟିବାର କାର୍ଯ୍ୟକ୍ରମ ରହିଛି । ନାସାର ଆକ୍ସିଓମ୍‌-୪ ସ୍ପେସ୍‌ ମିଶନ୍‌ର ପାଇଲଟ ଥିଲେ ଶୁଭାଂଶୁ  । ଆଇଆଇଏସ୍‌ରେ ୧୮ଦିନ ରହି  ୬୦ରୁ ଅଧିକ ବୈଜ୍ଞାନିକ ପ୍ରୟୋଗ ଓ ୨୦ରୁ ଅଧିକ ଅବଜରଭେସନ୍ ସେସନ୍‌ କରି ଇତିହାସ ରଚିଥିଲେ ଶୁଭାଂଶୁ । ଜୁଲାଇ ୨୫ରେ ସ୍ପେସ୍‌ଏକ୍ସ ଫାଲକନ ରକେଟ୍‌ରେ ମହାକାଶ ଯାତ୍ରା କରିଥିଲେ । 

ଶୁଭାଂଶୁଙ୍କ ଫେରିବାକୁ ନେଇ କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ କହିଛନ୍ତି,'' ଭାରତର ମହାକାଶ କାର୍ଯ୍ୟକ୍ରମ ପାଇଁ ଗର୍ବର ମୂହୁର୍ତ୍ତ ଆସିଥିଲା ଯେବେ ଗଗନଯାନ ମିଶନ ପାଇଁ ମହାକାଶଚାରୀ ଶୁଭାଂଶୁ ଶୁକ୍ଳା ଆଜି ଦିଲ୍ଲୀରେ ପହଞ୍ଚିଲେ ।''

ଭାରତ ଫେରିବାକୁ ନେଇ ଶୁଭାଂଶୁ କହିଛନ୍ତି, ଯେତେବେଳେ ମୁଁ ଭାରତ ଫେରିବା ପାଇଁ ବିମାନରେ ବସିଲି, ''ସେତେବେଳେ ମୋ ହୃଦୟ ଭାବନାରେ ଭରି ଯାଇଥିଲା । ଏହି ମିଶନରେ ମୋ ସହ ଥିବା ମୋର ବନ୍ଧୁଙ୍କୁ ଛାଡ଼ି ମୁଁ ଦୁଃଖିତ । ମିଶନ ପରେ ପ୍ରଥମ ଥର ପାଇଁ ମୋର ସମସ୍ତ ବନ୍ଧୁ, ପରିବାର ଏବଂ ଦେଶର ସମସ୍ତଙ୍କୁ ଭେଟିବାକୁ ନେଇ ମୁଁ ଉତ୍ସାହିତ। ମୁଁ ଭାବୁଛି ଜୀବନ ଏହା ହିଁ - ଏକାଥରେ ସବୁକିଛି ।''