ନୂଆଦିଲ୍ଲୀ,୨୯/୦୫: ଭାରତର ପ୍ରଥମ ମହାକାଶ ଯାତ୍ରୀ ରାକେଶ ଶର୍ମାଙ୍କ ପରେ ଆଉ ଜଣେ ଭାରତୀୟ ଇତିହାସ ରଚିବାକୁ ଯାଉଛନ୍ତି । ସେ ହେଉଛନ୍ତି ଗ୍ରୁପ୍‌ କ୍ୟାପ୍ଟେନ୍‌ ଶୁଭାଂଶୁ ଶୁକ୍ଲା । ଆକ୍ସିଓମ୍‌-୪ ମିଶନରେ ସେ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରକୁ ଯିବେ । ଏହି ମିଶନରେ ଶୁଭାଂଶୁ ଦୁଇଟି ସ୍ୱତନ୍ତ୍ର ଓମେଗା ସ୍ପିଡ୍‌ମାଷ୍ଟର୍‌ ଘଡ଼ି  ପିନ୍ଧିବେ, ଯାହାକୁ ମହାକାଶର କଠିନ ପରିସ୍ଥିତିର ମୁକାବିଲା ପାଇଁ ସ୍ୱତନ୍ତ୍ର ରୂପେ ଡିଜାଇନ୍‌ କରାଯାଇଛି । ଏହି ଘଡ଼ି କେବଳ ସମୟ  କହିବ ନାହିଁ, ମହାକାଶରେ ଶୁଭାଂଶୁଙ୍କ ମିଶନ୍‌କୁ ସହଜ କରିବାରେ ମଧ୍ୟ ସାହାଯ୍ୟ  କରିବ । 

ଶୁଭାଂଶୁ ଏକ୍ସ-୩୩ ସ୍କାଇୱାକର୍‌ ଘଡ଼ିକୁ ମହାକାଶ ଯାନ ଭିତରେ ପିନ୍ଧିବେ । ଅନ୍ୟଟି ମାନୁଆଲ ୱାଇଣ୍ଡିଂ ସ୍ପିଡ୍‌ମାଷ୍ଟର୍‌  ପ୍ରଫେସ୍‌ନାଲ ମୁନ୍‌ୱାଚ୍‌, ଯାହା ମହାକାଶରେ ବାହାରକୁ ବାହାରିବା ସମୟରେ କାମ କରିବ । ଆକ୍ସିଓମ୍‌ ସ୍ପେସ୍‌ ଓମେଗାର ଦୁଇ ଘଡ଼ିକୁ ପୁଣି ଥରେ ମହାକାଶକୁ ନେବା ପାଇଁ ଉତ୍ସାହିତ ଥିବା କହିଛି । ଏହି ପରମ୍ପରା ୬୦  ବର୍ଷ ପୂର୍ବେ ନାସା ଦ୍ୱାରା ସ୍ପିଡ୍‌ମାଷ୍ଟର୍‌କୁ ପ୍ରମାଣିତ  କରିବା ସହିତ ଆରମ୍ଭ ହୋଇଥିଲା । ଏହି ଘଡ଼ି  ସୂକ୍ଷ୍ମମାଧ୍ୟାକର୍ଷଣ, ଚରମ ତାପମାତ୍ରା, ଭୟଙ୍କର  ଝଟ୍‌କା, ଭାକ୍ୟୁମ୍‌ ଓ ୧.୬ ବାୟୁମଣ୍ଡଳର ଚାପକୁ  ସହ୍ୟ କରିପାରିବେ । 

ଓମେଗାର ସ୍ପିଡ୍‌ମାଷ୍ଟର୍‌  ଘଡ଼ିକୁ ୧୯୬୫ ମସିହାରେ ନାସା ସମସ୍ତ ମାନବ ମିଶନ ପାଇଁ ଉପଯୁକ୍ତ ପ୍ରମାଣିତ କରିଥିଲା । ସେବେଠୁ ଏହା ମହାକାଶଯାତ୍ରୀଙ୍କର ପ୍ରଥମ  ପସନ୍ଦ ହୋଇଛି । ଆକ୍ସିଓମ୍‌-୪ ମିଶନ ଆସନ୍ତା  ଜୁନ୍‌ ୮ରେ ନାସାର କେନେଡି ସ୍ପେସ୍‌ ସେଣ୍ଟର୍‌ରୁ  ଲଞ୍ଚ୍‌ ହେବ । ଏହି ମିଶନ ଭାରତ, ପୋଲାଣ୍ଡ ଓ  ହଙ୍ଗେରୀ ପାଇଁ ସ୍ୱତନ୍ତ୍ର । କାରଣ ଏହି  ୩ ଦେଶର ପ୍ରଥମ ସରକାରୀ ମହାକାଶ  ଯାତ୍ରୀ ୪୦ ବର୍ଷ ପରେ ମହାକାଶ  କେନ୍ଦ୍ରକୁ ଯାଉଛନ୍ତି । ଏହି ମିଶନରେ  ୬୦ରୁ ଅଧିକ ବୈଜ୍ଞାନିକ ପ୍ରୟୋଗ  ହେବ, ଯାହା ଅନ୍ତର୍ଜାତୀୟ ସହଯୋଗ  ଓ ମହାକାଶ ଅନୁସନ୍ଧାନରେ ଏକ ନୂଆ  ଅଧ୍ୟାୟ ଯୋଡ଼ିବ । ଶୁଭାଂଶୁ ଭାରତୀୟ  ବାୟୁସେନାର ଗ୍ରୁପ୍‌ କ୍ୟାପ୍ଟେନ୍‌ । ତାଙ୍କ ପାଖରେ ୨୦୦୦ ଘଣ୍ଟାରୁ ଅଧିକ ସମୟ  ଉଡ଼ାଣ ଅନୁଭବ ରହଛି । ସେ ମଧ୍ୟ ଇସ୍ରୋର  ଗଗନଯାନ ମିଶନ ପାଇଁ ଚୟନ ହୋଇଥିବା ୪ ମହାକାଶ ଯାତ୍ରୀଙ୍କ ମଧ୍ୟରେ ଅନ୍ୟତମ ।