ଲଣ୍ଡନ, ୧୮/୦୪: ଏକ ସୁଦୂର ଗ୍ରହରେ ଜୀବସତ୍ତାର ମିଳିଛି ପ୍ରମାଣ । କେମ୍ବ୍ରିଜ  ବିଶ୍ୱବିଦ୍ୟାଳୟର ବୈଜ୍ଞାନିକ ଟିମ୍‌ ‘କେ୨-୧୮ବି’  ନାମକ ଏକ ଗ୍ରହର ବାୟୁମଣ୍ଡଳକୁ ଅଧ୍ୟୟନ କରୁଛନ୍ତି । ଅଧ୍ୟୟନରୁ ସେମାନେ ଏକ ଅଣୁର  ସଙ୍କେତ ଚିହ୍ନଟ କରିଛନ୍ତି, ଯାହା ପୃଥିବୀରେ  କେବଳ ସରଳ ଜୀବଙ୍କ ଦ୍ୱାରା ଉତ୍ପନ୍ନ ହୋଇଥାଏ ।

ନାସାର ଜେମ୍ସ ୱେବ୍‌ ସ୍ପେସ୍‌ ଟେଲିସ୍କୋପ୍‌  ଦ୍ୱାରା ଗ୍ରହର ବାୟୁମଣ୍ଡଳରେ ଜୀବନ ସହ ଜଡ଼ିତ ରସାୟନ ଚିହ୍ନଟ ହେବାର ଏହା ଦ୍ୱିତୀୟ ତଥା ଅଧିକ ଆଶାଜନକ ଘଟଣା । କିନ୍ତୁ ଏହାର ନିଷ୍କର୍ଷରେ ପହଞ୍ଚିବା ପାଇଁ ଅଧିକ ତଥ୍ୟ ଆବଶ୍ୟକ ବୋଲି ବୈଜ୍ଞାନିକ ଟିମ୍‌ ଓ ଅନ୍ୟ ନକ୍ଷତ୍ରବିଜ୍ଞାନୀ ଜୋର ଦେଇଛନ୍ତି ।  

ଅଧ୍ୟୟନର ମୁଖ୍ୟ ଗବେଷକ ପ୍ରଫେସର  ନିକ୍କୁ ମଧୁସୂଦନ କହିଛନ୍ତି, ଆମେ ଖୁବ୍‌ଶୀଘ୍ର ଏ ନେଇ ଠୋସ୍‌ ପ୍ରମାଣ ହାସଲ କରିବୁ ।  ବାହ୍ୟ ଗ୍ରହରେ ଜୀବନ ସମ୍ଭାବନାର ଏହା ଏ ପର୍ଯ୍ୟନ୍ତର ସବୁଠୁ ଠୋସ୍‌ ପ୍ରମାଣ । ବର୍ଷେ- ଦୁଇ ବର୍ଷ ମଧ୍ୟରେ ଏହି ସଙ୍କେତକୁ ଆମେ  ସ୍ପଷ୍ଟ କରିପାରିବୁ।

କେ୨-୧୮ବି ପୃଥିବୀ ଆକାରଠୁ ଅଢ଼େଇ  ଗୁଣ ବଡ଼ ଏବଂ ଆମଠୁ ୭୦୦ ଟ୍ରିଲିଅନ୍‌ ମାଇଲ  ବା ୧୨୪ ଆଲୋକ ବର୍ଷ ଦୂରରେ ଅବସ୍ଥିତ । ମନୁଷ୍ୟ ନିଜର ଜୀବନକାଳ ମଧ୍ୟରେ ଏହି ଦୂରତା  ଅତିକ୍ରମ କରିବା ସମ୍ଭବ ନୁହେଁ । ଅର୍ଥାତ୍‌ ଏହି  ଗ୍ରହରେ ପହଞ୍ଚିବା ମନୁଷ୍ୟ ପାଇଁ ଅସମ୍ଭବ । ଜେମ୍ସ ୱେବ୍‌ ସ୍ପେସ୍‌ ଟେଲିସ୍କୋପ୍‌ ଏତେ  ଶକ୍ତିଶାଳୀ ଯେ କେ୨-୧୮ବି ପରିକ୍ରମା କରୁଥିବା  ଏକ ଛୋଟ ଲାଲ୍‌ ସୂର୍ଯ୍ୟ (ନକ୍ଷତ୍ର) ଜରିଆରେ ଅତିକ୍ରମ କରୁଥିବା ଆଲୋକରୁ ବାୟୁମଣ୍ଡଳର  ରାସାୟନିକ ମିଶ୍ରଣକୁ ବିଶ୍ଳେଷଣ କରିପାରେ ।

କେମ୍ବ୍ରିଜ ବୈଜ୍ଞାନିକ ଟିମ୍‌ ଗ୍ରହର  ବାୟୁମଣ୍ଡଳରେ ଜୀବନ ସହ ସଂଶ୍ଳିଷ୍ଟ  ଦୁଇଟି ଅଣୁ: ଡାଇମିଥାଇଲ ସଲ୍‌ଫାଇଡ୍‌ (ଡିଏମ୍‌ଏସ୍‌)  ଓ ଡାଇମିଥାଇଲ ଡାଇସଲ୍‌ଫାଇଡ୍‌ (ଡିଏମ୍‌ଡିଏସ୍‌)ରୁ  ଅତିକମ୍‌ରେ ଗୋଟିଏ ଅଣୁର ରାସାୟନିକ ସଙ୍କେତ  ପାଇଛନ୍ତି । ପୃଥିବୀରେ ଏହି ଗ୍ୟାସ୍‌ ସାମୁଦ୍ରିକ  ଫାଇଟୋପ୍ଲାଙ୍କ୍‌ଟନ୍‌ ଓ ବ୍ୟାକ୍ଟେରିଆ ଦ୍ୱାରା ଉତ୍ପନ୍ନ ହୁଏ । 

ପ୍ରଫେସର ମଧୁସୂଦନ କହିଛନ୍ତି, ଯେତିକି ଗ୍ୟାସ୍‌  ଗୋଟିଏ ଅବଲୋକନରେ ଚିହ୍ନଟ ହେଲା, ତାହା ତାଙ୍କୁ  ଚକିତ କରିଦେଲା । ଗ୍ରହର ବାୟୁମଣ୍ଡଳରେ ଏହି  ଗ୍ୟାସ୍‌ର ମାତ୍ରା ପୃଥିବୀ ତୁଳନାରେ ହଜାର ହଜାର  ଗୁଣ ଅଧିକ । ତେଣୁ ଜୀବନ ସହ ଏହାର ସମ୍ପର୍କ  ଯଦି ବାସ୍ତବ, ତେବେ ଏହି ଗ୍ରହ ଜୀବଜଗତରେ  ପରିପୂର୍ଣ୍ଣ ହେବ । କେ୨-୧୮ବି ଗ୍ରହରେ ଯଦି ଜୀବନର  ପ୍ରମାଣ ସ୍ପଷ୍ଟ ହୁଏ, ତେବେ ଏଥିରୁ ସ୍ପଷ୍ଟ ହେବ ଯେ ଆକାଶଗଙ୍ଗାରେ ଜୀବନ ଖୁବ୍‌ ସାଧାରଣ କଥା ।  

ମଧୁସୂଦନ ଗଣମାଧ୍ୟମକୁ କହିଛନ୍ତି, ବିଜ୍ଞାନରେ ଏହା  ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ମୁହୂର୍ତ୍ତ । ଯଦି ଏହା ଜୀବଜଗତର  ଏକ ଉଦାହରଣ ହୁଏ ଏବଂ ବ୍ରହ୍ମାଣ୍ଡ ଅନନ୍ତ³ ତେବେ  ଆହୁରି ଅନେକ ଗ୍ରହରେ ଜୀବନର ସମ୍ଭାବନା ରହିଛି । ଅଧ୍ୟୟନ ଟିମ୍‌ର ସଦସ୍ୟ କାର୍ଡିଫ୍‌  ବିଶ୍ୱବିଦ୍ୟାଳୟର ନକ୍ଷତ୍ରବିଜ୍ଞାନ ପ୍ରାଧ୍ୟାପକ ସୁବୀର  ସରକାର କହିଛନ୍ତି, କେ୨-୧୮ବି ଗ୍ରହରେ ଏକ  ମହାସାଗର ଥାଇପାରେ, ଯାହା ଜୀବନରେ ପରିପୂର୍ଣ୍ଣ  ହୋଇପାରେ । ତେବେ ବୈଜ୍ଞାନିକମାନେ ଅଦ୍ୟାବଧି ଏ  ନେଇ ସ୍ପଷ୍ଟ ନୁହନ୍ତି । ଏହି ଗ୍ରହ ଉପରେ ନଜର ରଖିବା  ସହିତ ଅନ୍ୟ ଗ୍ରହରେ ଜୀବନର ସନ୍ଧାନ ଉପରେ  ବୈଜ୍ଞାନିକଙ୍କ କାମ ଜାରି ରହିବ ବୋଲି ସେ କହିଛନ୍ତି । 

ସଦ୍ୟତମ ତଥ୍ୟ କୌଣସି ଏକ ଆବିଷ୍କାରକୁ ଦାବି  କରିବା ପାଇଁ ଆବଶ୍ୟକ ମାନକ ପୂରଣ କରୁନାହିଁ ।  ଏଥିପାଇଁ ବୈଜ୍ଞାନିକଙ୍କୁ ୯୯.୯୯୯୯୯ ପ୍ରତିଶତ ନିଶ୍ଚିତ  ହେବାକୁ ପଡ଼ିବ, ଯାହା ସ୍ପଷ୍ଟ କରିବ ଯେ ସେମାନଙ୍କ  ଫଳାଫଳ ଠିକ୍‌ ଏବଂ ଏହା କୌଣସି ସଂଯୋଗ ନୁହେଁ । ବୈଜ୍ଞାନିକ ଭାଷାରେ ଏହାକୁ ‘ଫାଇଭ୍‌ ସିଗ୍‌ମା’  ପରିଣାମ କୁହାଯାଏ । କିନ୍ତୁ ସଦ୍ୟତମ ଅଧ୍ୟୟନର  ପରିଣାମ ‘ଥ୍ରୀ ସିଗ୍‌ମା’ ବା ୯୯.୭ ପ୍ରତିଶତ ଠିକ୍‌ ।  ଏହା ବହୁତ ଅଧିକ ହୋଇଥିଲେ ହେଁ ବୈଜ୍ଞାନିକ  ସମୁଦାୟ ବିଶ୍ୱାସ କରିବା ପାଇଁ ପର୍ଯ୍ୟାପ୍ତ ନୁହେଁ ।  

ଏଡିନ୍‌ବର୍ଗ ବିଶ୍ୱବିଦ୍ୟାଳୟ ଓ ସ୍କଟ୍‌ଲାଣ୍ଡର  ଆଷ୍ଟ୍ରୋନୋମର ରୟାଲ୍‌ର ପ୍ରଫେସର କ୍ୟାଥରିନ୍‌  ହେମନ୍ସ କହିଛନ୍ତି, କେମ୍ବ୍ରିଜ ଟିମ୍‌ ଫାଇଭ୍‌ ସିଗ୍‌ମା  ପରିଣାମ ହାସଲ କଲେ ମଧ୍ୟ ଗ୍ରହରେ ଜୀବଜଗତ  ଅଛି ବୋଲି ତାହା ନିର୍ଣ୍ଣାୟକ ପ୍ରମାଣ ହେବ  ନାହିଁ । ଉକ୍ତ ନିଶ୍ଚିତତା ସତ୍ତେ୍ୱ ଗ୍ୟାସ୍‌ର ଉତ୍ପତ୍ତିକୁ  ନେଇ ପ୍ରଶ୍ନବାଚୀ ରହିଛି ବୋଲି ସେ କହିଛନ୍ତି । 

କ୍ୟାଥରିନ୍‌ ଆହୁରି କହିଛନ୍ତି, ପୃଥିବୀରେ  ଏହି ଗ୍ୟାସ୍‌ ସମୁଦ୍ରରେ ସୂକ୍ଷ୍ମଜୀବଙ୍କ ଦ୍ୱାରା ଉତ୍ପନ୍ନ  ହୁଏ । ଉପଯୁକ୍ତ ତଥ୍ୟ ଥାଇ ମଧ୍ୟ ଆମେ ନିଶ୍ଚିତ  ଭାବେ କହିପାରିବା ନାହିଁ ଯେ ଏହା କୌଣସି ବାହ୍ୟ  ଗ୍ରହରେ ଜୈବିକ ଉତ୍ପତ୍ତିର ତତ୍ତ୍ୱ । କାରଣ ବ୍ରହ୍ମାଣ୍ଡରେ  ଅସଂଖ୍ୟ ଅଦ୍ଭୁତ ଘଟଣା ଘଟୁଛି । ତେଣୁ ନୂଆ  ଗ୍ରହରେ ଆଉ କ’ଣ ଭୂବୈଜ୍ଞାନିକ ଗତିବିଧି ଘଟୁଛି,  ଯାହା ଜୀବନ ସହ ସଂଶ୍ଳିଷ୍ଟ ଉକ୍ତ ଅଣୁକୁ ଉତ୍ପନ୍ନ  କରୁଥାଇପାରେ, ସେ ବିଷୟରେ ଆମର ଧାରଣା ନାହିଁ ।

ସନ୍ତାନଙ୍କ ଆର୍ମି ଗଢ଼ିବେ ଏଲନ ମସ୍କ, ଜାପାନୀ ମହିଳାଙ୍କୁ ପଠାଇଲେ ଶୂକ୍ରାଣୁ