କୃତ୍ରିମ ତନ୍ତୁର ବ୍ୟବହାରକୁ ଯଥାସମ୍ଭବ ପରିହାର କରି ପ୍ରାକୃତିକ ତନ୍ତୁରୁ ଆନୀତ ଲୁଗାସବୁକୁ  ଆପଣେଇଲେ ଆମ ପାଇଁ ମଙ୍ଗଳକର ହେବ ।  ଏକଥା ତ ଆପେ ବୁଝାପଡ଼ିଯାଉଛି, ଏଥିସହ  ଆମ ଅଞ୍ଚଳର ବୁଣାକାରିତାର ପୁନରୁତ୍‌ଥାନ ତଥା  ପ୍ଲାଷ୍ଟିକ ପ୍ରଦୂଷଣର ନିରାକରଣ ରୂପରେ ସୁକାର୍ଯ୍ୟ  ଦୁଇଟି ବି ଆମଦ୍ୱାରା ଛାଏଁ ହୋଇଯିବ ବୋଲି ଏ  ବିବେକ ଭିତରୁ ପଦୁଟିଏ ବାହାରି ଆସୁଛି ।

ashwin rathi

ଲାଗ ଲାଗ ହୋଇ ନୂଆଁଖାଇ, ପୁଅ ଜିଉନ୍ତିଆ ଆଉ  ଦଶହରା, ଏଇଟା ଆମପାଇଁ ଲୁଗା କିଣାକିଣିର  ସମୟ । ଠିକ୍‌ ଏ କୃଷିଭିତ୍ତିକ ପରମ୍ପରା ଆଗରୁ  ହାଉଜାଉ ବଡ଼ କପଡ଼ା ଦୋକାନଟିଏ ଭିତରକୁ ଅବଶ୍ୟ  ପଶିବାକୁ ହେଲା, ଜଣେ ସହଚର ତଥା ଦାୟିତ୍ୱବାନ  ପତି ହିସାବରେ । ଭିଡ଼ ଲାଗିଥିବା ଶାଢ଼ି ଦୋକାନଟିଏ  ଭିତରେ କିଣାକିଣିରେ ମସ୍‌ଗୁଲ ଥିବା ମହିଳାଗଣ ତଥା  ଜିନିଷ ଦେଖାଇବାରେ ମଜ୍ଜିଯାଇଥିବା ଦୋକାନ ପିଲାଙ୍କ  କଥାଗୁଡ଼ା ଯିଏ ଥରେ ଅଧେ ଶୁଣିଛି ସିଏ ପଲିଷ୍ଟର୍‌,  ସିଫନ୍‌, ଜର୍ଜେଟ୍‌, ସାଟିନ୍‌, ସିଲ୍କ, ଲିନେନ୍‌, କ୍ରିପ୍‌,  ଅର୍‌ଗାଞ୍ଜା ଆଦି ନାମ ସହ ତ ଉଣାଅଧିକେ ପରିଚିତ  ହୋଇଯାଇଥିବ । ଏଥିସହ କଟନ୍‌, ପାଟ, ମଠା, ଖଦି  ଆଦି ନାମକୁ ମଧ୍ୟ ନିଶ୍ଚିତରେ ଜାଣିଯାଇଥିବ । ସେଇ  ସବୁ ଡାକହାକ ଶୁଣାଶୁଣି ଭିତରେ ହିଁ ମୋର ମନେ  ପଡ଼ିଯାଇଥିଲା ଆଗରୁ ପଢ଼ିଥିବା ୬୩ବର୍ଷ ବୟସର  ଜଣେ ୟୁରୋପୀୟ ମହିଳାଙ୍କ କଥା । ମହିଳାଙ୍କ ହାତ  ଏବଂ ମୁହଁରେ ଚର୍ମରୋଗ ଦେଖାଦେବାରୁ ସେ ହାସପାତାଳକୁ ଆସିଲେ ।

ତାଙ୍କଠାରୁ ଡାକ୍ତର  ଜାଣିବାକୁ ପାଇଲେ ଯେ, ସଦ୍ୟ କିଣା ହୋଇଥିବା  ଏକ ନୂଆ ସିନ୍ଥେଟିକ ଜାକେଟ ପିନ୍ଧି ବର୍ଷାରେ  ଭିଜିବା କାରଣରୁ ହିଁ ତାଙ୍କର ଏପରି ଅବସ୍ଥା  ବୋଲି । ଆହୁରି ମଧ୍ୟ ଆଗରୁ ସିଏ ନୂଆ ଲୁଗା  ବ୍ୟବହାର କରି ଶରୀରର ବିଭିନ୍ନ ଅଙ୍ଗରେ  ଏହିପରି ଲକ୍ଷଣଗୁଡ଼ିକୁ ଅନୁଭବ କରିସାରିଥିବା  କଥା ଜୋର୍‌ଦେଇ କହିଲେ ଚିକିତ୍ସକଙ୍କ ସାମ୍ନାରେ । ପରେ  ୟୁରୋପୀୟ ମାନକ ହିସାବରେ ଚର୍ମର ପେଚ୍‌ ଟେଷ୍ଟିଙ୍ଗ୍‌  ଆଦି କରାଯିବାରୁ ନୂଆ କପଡ଼ାଗୁଡ଼ିକରେ ରହିଥିବା  ରାସାୟନିକ ପଦାର୍ଥଗୁଡ଼ିକ ତାଙ୍କ ଚର୍ମ ଏଲର୍ଜି ପାଇଁ ଦାୟୀ  ବୋଲି ବସ୍ତୁତଃ ଜଣାପଡ଼ିଯାଇଥିଲା । ତେଣୁ, ଦେହରେ  ବିପରୀତ ପ୍ରତିକ୍ରିୟା ସୃଷ୍ଟି କରୁଥିବା କିଛି ଜିନିଷକୁ ବାରଣ  କରିବା ସହ ନୂଆ ଲୁଗାକୁ ସଦାବେଳେ ଧୋଇ ପିନ୍ଧିବା  ଏବଂ ଯଦି ହୋଇପାରେ ଧଳା କିମ୍ବା ହାଲ୍‌କା ରଙ୍ଗର  ପୋଷାକ ପରିଧାନ କରିବାକୁ ପରାମର୍ଶ ବି ଦିଆଯାଇଥିଲା  ଡାକ୍ତରଙ୍କ ତରଫରୁ । ଏକଥା ବି ଦେଖାଯାଇଥିଲା ଯେ,  ସବୁ ମାନିଘେନି ଚଳିବାରୁ ମହିଳାଙ୍କ ଚର୍ମରୋଗଟି  ଏକରକମ ଭଲ ହେବାକୁ ବସିଥିଲା । ହେଲେ, ପରବର୍ତ୍ତୀ  ୬ମାସ ଭିତରେ ଅଧୁଆ ନୂଆ କପଡ଼ାର ବ୍ୟବହାର ପୁଣି  କଷ୍ଟ ଦେଇଥିଲା ମହିଳା ଜଣଙ୍କୁ, ଏକ୍‌ଜିମା ରୂପକ  ଚର୍ମରୋଗକୁ ଡାକିଆଣି । ଏବେ ମୁଁ କହୁଥିବା କଥାଟିକୁ  ସେଇ ଡାକ୍ତର ଦଳ ‘କଣ୍ଟାକ୍ଟ ଡର୍ମାଟିଟିସ୍‌' ନାମକ  ଏକ ପ୍ରସିଦ୍ଧ ପତ୍ରିକାରେ ଲିପବଦ୍ଧ କରିଥିଲେ ୨୦୨୧  ମସିହାରେ । ଚର୍ମରୋଗକୁ ନେଇ ଘାଣ୍ଟିହେଉଥିବା ମୋର  ଜଣେ ସମ୍ପର୍କୀୟଙ୍କ ସହ ହଠାତ୍‌ ଦେଖାହେବା ବେଳକୁ  କଥାଟି ମନକୁ ଛାଏଁ ଚାଲିଆସିବାରୁ ଆମ ଦୈନନ୍ଦିନ  ଜୀବନରେ ବ୍ୟବହାର କରୁଥିବା ପିନ୍ଧାକପଡ଼ା ଉପରେ  ବିଜ୍ଞାନାଧାରିତ ଲେଖାଟିଏ ଲେଖିବାର ଦୁର୍ବାର ଇଚ୍ଛାକୁ  ଅଣଦେଖା କରିବାର କାରଣଟିଏ ଖୋଜି ପାଇଲିନାହିଁ ।

ମାନବ ସଭ୍ୟତାର କ୍ରମବିକାଶରେ ଶରୀରକୁ ଢାଙ୍କି  ରଖୁଥିବା ବସ୍ତ୍ର ନାମକ ଜିନିଷର ଆରମ୍ଭ କଥା ସଠିକ୍‌  ଭାବରେ ଆକଳନ କରିବା ଅତି କଷ୍ଟକର ବ୍ୟାପାର  ହେଲେ ହେଁ ପୃଥିବୀର ବିଭିନ୍ନ ପ୍ରାନ୍ତରେ ଏ ନେଇ  ହୋଇଥିବା ଗବେଷଣା ସବୁରୁ ଜଣାଯାଏ ଯେ ଏହା  ହୁଏତ ଡାଳପତ୍ର ବା ପଶୁମାନଙ୍କ ଚମଡ଼ା ରୂପରେ  ଆମ ନିକଟକୁ ଆସିଥିଲା । ଏ ସଂକ୍ରାନ୍ତରେ ୟୁନିଭରସିଟି  ଅଫ୍‌ ଲିଭର୍‌ପୁଲ୍‌ର ଡ. ଉମର୍‌ ହମିଦ୍‌ଙ୍କ ଏକ  ଲେଖାରୁ ଏହା ମଧ୍ୟ ଜଣାଯାଏ ଯେ, ବସ୍ତ୍ରର ଇତିହାସ  ହୁଏତ ୬୫୦୦୦୦ ବର୍ଷର ପୁରୁଣା ଓ ପ୍ରଥମ କପଡ଼ା  ଜାତୀୟ ଜିନିଷର ବ୍ୟବହାରକୁ ବି ୧୦୦୦୦୦ ବର୍ଷ  ହୋଇସାରିଲାଣି । ସବୁଠୁ ମଜାର କଥା ହେଉଛି, ଏସବୁ  ଜିନିଷ ଜାଣିବାରେ ମଣିଷ ଦେହ ଓ ମୁଣ୍ଡରେ ରହୁଥିବା ଉକୁଣିର ବିବର୍ତ୍ତନ ଉପରେ ହୋଇଥିବା ଗବେଷଣା  ବିଶେଷ ଲାଭପ୍ରଦ ହୋଇଛି । ଏଥିସହିତ ରୁଷିଆରୁ  ମିଳିଥିବା ପ୍ରାୟ ୨୦୦୦୦ ବର୍ଷ ତଳର ହାଡ଼ରେ ତିଆରି  ହୋଇଥିବା ଛୁଞ୍ଚି ସିଲାଇ କରିବାର ପ୍ରଥମ ଉପକରଣ  ହୋଇଥିବାବେଳେ କପଡ଼ା ବୁଣାବୁଣି ପାଇଁ ବ୍ୟବହାର  ହେଉଥିବା ଯନ୍ତ୍ର ଭଳି ପ୍ରାୟ ୧୦୦୦୦ ବର୍ଷ ତଳର  ଭଗ୍ନାବଶେଷର ପ୍ରମାଣ ମଧ୍ୟପ୍ରାଚ୍ୟରୁ ମିଳିସାରିଥିବା କଥା  ବି ସେଥିରେ ଉଲ୍ଲେଖ ରହିଛି, ଏବେକାର ତୁର୍କୀରୁ ପ୍ରାପ୍ତ  ଖ୍ରୀ.ପୂ. ୬୫୦୦ ମସିହାର ବୁଣା ହୋଇଥିବା ବସ୍ତ୍ର ପରି  ଆଉ କେତେ ବିଷୟ ସହ। ଏତେ ଘଣ୍ଟାଘଣ୍ଟି ଭିତରେ  ଖ୍ରୀଷ୍ଟଜନ୍ମର ବହୁ ପୂର୍ବରୁ ପ୍ରଚଳିତ ଥିବା ଜାପାନର  ଗଛ ଛାଲି, ଇଜିପ୍ଟର କପଡ଼ା, ଚୀନର ସିଲ୍କ ଆଦି  ଜିନିଷରେ ତିଆରି ହୋଇଥିବା ବୁଣା କପଡ଼ାର କଥା  ମନକୁ ନଆଣିଲେ ରହି ହବନି । ୟେ'ତ ଗଲା କୋଉ  ପୁରୁଣା କାଳର କଥା, ଯେଉଁଠି କପଡ଼ାକୁ କୃତ୍ରିମତା  ଛୁଇଁପାରିନଥିଲା । ଅସଲ ଖେଳ ତ ଆରମ୍ଭ ହେଲା ଶିଳ୍ପ  ବିପ୍ଳବ ଅମଳରେ ଯେବେ ଊନବିଂଶ ଶତାବ୍ଦୀରେ ବିଶ୍ୱର  ସର୍ବପ୍ରଥମ ମାନବ ନିର୍ମିତ ତନ୍ତୁର ଉଦ୍ଭାବନ ହୋଇଥିଲା,  ସିଏ ପୁଣି ‘ରେୟନ୍‌' ରୂପରେ, କପା ଆଦି ଗଛରୁ  ମିଳୁଥିବା ସୂତାଜାତୀୟ ପଦାର୍ଥକୁ ପରିବର୍ତ୍ତିତ କରି । କିନ୍ତୁ  ବିଂଶ ଶତାବ୍ଦୀର ତୃତୀୟ ଦଶକରେ ଏକ ସଂପୂର୍ଣ୍ଣ କୃତ୍ରିମ  ତନ୍ତୁ ‘ନାଇଲନ୍‌'ର ପ୍ରସ୍ତୁତି ମାନବକୁ ଭିନ୍ନ ଏକ ଆୟାମ  ପ୍ରଦାନ କରିଥିଲା ବୋଲି ଆମେ ଏକରକମ କହିବାକୁ  ବାଧ୍ୟ । ଅତି ସାଧାରଣ ଭାବରେ କହିଲେ, ଏକ ଏସିଡ୍‌  ସହ ଡାଇଏମିନ୍‌ ବା ଏମିନୋ ଏସିଡ୍‌ର ବିଶେଷ ପ୍ରକାରେ  ସମ୍ମିଶ୍ରଣ ହେତୁ ଏହିପରି ପୋଲିଏମାଇଡ୍‌ ତିଆରି  ହୋଇଥାଏ । ସେଇଦିନଠୁ ଗୋଟିକ ପରେ ଗୋଟିଏ  ଅନେକ ମନୁଷ୍ୟକୃତ ତନ୍ତୁ ବଜାରକୁ ଆସିବାରେ ଲାଗିଛି  ଏବଂ ମାନବର ପରିଧାନ ରୁଚି ବି ସେହି ଅନୁପାତରେ  ବଦଳିବାରେ ଲାଗିଛି । ଗାର୍‌ଟେକ୍ସଇଣ୍ଡିଆ(ଡଟ୍‌) କମ୍‌ ତରଫରୁ ପ୍ରକାଶିତ ଆଲେଖ୍ୟରେ ରେୟନ୍‌ ଏବଂ  ନାଇଲନ୍‌ ଭିନ୍ନ ପୋଲିଇଷ୍ଟର ଓ ଏକ୍ରିଲିକ୍‌ ନାମକ  ଆଉ ଦୁଇଟି କୃତ୍ରିମ ତନ୍ତୁ ବହୁଳ ଭାବରେ ବ୍ୟବହାର  ହେଉଥିବା କଥାଟି ଜଣାଯାଏ । ପେଟ୍ରୋଲିୟମ ପଦାର୍ଥରୁ  ତିଆରି ହେଉଥିବା ପୋଲିଇଷ୍ଟର ବହୁ ଇଷ୍ଟରକୁ ନେଇ  ଗଠିତ, ଯେପରିକି ପୋଲିଏଥିଲିନ୍‌ ଟେରେପ୍‌ଥାଲେଟ୍‌  (ପିଇଟି) । ଏକ୍ରିଲୋନାଇଟ୍ରାଇଲ୍‌ ନାମକ ଏକ ମୁଖ୍ୟ  ଉପଦାନ ଧାରଣ କରିଥିବା ଏକ୍ରିଲିକ୍‌ ତନ୍ତୁର ତିଆରି  ମଧ୍ୟ ପେଟ୍ରୋଲିୟମ ପରି ଜୀବାଶ୍ମ ଇନ୍ଧନ ଉପରେ  ନିର୍ଭର କରିଥାଏ ।

୨୦୨୨ ମସିହାରେ ଜର୍ଣ୍ଣାଲ୍‌ ଅଫ୍‌  ଏସିଆଟିକ୍‌ ସୋସାଇଟି ଅଫ୍‌ ମୁମ୍ବାଇରେ ପ୍ରକାଶିତ ସାରାନ୍ୟା ଏବଂ ଆରଥିଙ୍କ ଲେଖାରୁ ପ୍ରାକୃତିକ ତନ୍ତୁ ଏବଂ  କୃତ୍ରିମ ତନ୍ତୁଗୁଡିକର ଏକ ସୁନ୍ଦର ତୁଳନାତ୍ମକ ଚିତ୍ର  ଆମକୁ ମିଳିଥାଏ । ମୋଟାମୋଟି ଭାବରେ କହିବାକୁ  ଗଲେ କୃତ୍ରିମ ତନ୍ତୁଗୁଡିକର ଇଲାଷ୍ଟିକ୍‌ପଣ, ଦାଗ  ନରହିବା, ଶିଘ୍ର ନଷ୍ଟ ନହେବା, ଆରାମରେ ମିଳିପାରିବା,  ମଜବୁତ୍‌ ହେବା ଏବଂ ଶସ୍ତା ହେବା ଭଳି ଗୁଣ  ଏହାର ଲୋକପ୍ରିୟତାର ଆଧାର ହୋଇଥିବା  ବେଳେ ଆରାମଦାୟକ ହେବା, ଏଲର୍ଜି ନହେବା  ଓ ପରିବେଶ ଅନୁକୂଳ ହେବା ପ୍ରାକୃତିକ ତନ୍ତୁର  ବିଶେଷତା ରୂପେ ନିଆଯାଇପାରେ । କିନ୍ତୁ ଆମେ  ଜାଣିବା ଉଚିତ ଯେ ପାଣି ବା ଝାଳକୁ ଶୋଷଣ  କରିନପାରିବା, ନିଆଁ ପ୍ରଭାବରେ ଶିଘ୍ର ତରଳିଯିବା  ବା ଜଳିଉଠିବା ବା ଦେହରେ ଲାଖିଯିବା, ପରିବେଶ  ଅନୁକୂଳ ନହେବା ଆଦିକୁ କୃତ୍ରିମ ତନ୍ତୁର ଖରାପ  ଗୁଣ ହିସାବରେ ନିଆଯାଉଥିବା ବେଳେ ମହଙ୍ଗା  ହେବା, ଧୋଇଲେ ଛୋଟ ହୋଇଯିବା, ଷ୍ଟ୍ରେଚ୍‌  ହୋଇନପାରିବା, ଦାଗ ରହିଯିବା, ଉଭୟ ଉତ୍ପାଦନ  ଏବଂ କ୍ୱାଲିଟି ପରିବେଶ ଉପରେ ନିର୍ଭର କରିବା  ଭଳି ଗୁଣଗୁଡିକ ହେତୁ ପ୍ରାକୃତିକ ତନ୍ତୁ କେତେକ  ଜାଗାରେ ବ୍ୟବହାରୋପଯୋଗୀ ହୋଇପାରିନଥାଏ ।

 ଏବେ ଟିକିଏ ଅଳ୍ପରେ ବୁଝିନେବା ନିତି ବ୍ୟବହାରରେ  ଆସୁଥିବା ଏ ପିନ୍ଧାଲୁଗା ଆଦି ଆମ ଶରୀର ପାଇଁ  କେତେଦୂର ଗ୍ରହଣୀୟ, ସେ କଥାକୁ । ସୂତା ବା ସିଲ୍କ  ପରି ପ୍ରାକୃତିକ ତନ୍ତୁଗୁଡ଼ିକ ସ୍ୱତଃ ଶରୀର ପାଇଁ ବିଶେଷ  କ୍ଷତିକାରକ ହୋଇନଥାନ୍ତି ବୋଲି ବୁଢ଼ାବୁଢ଼ୀଠୁ ଆରମ୍ଭକରି  ବିଶାରଦଗଣ ମନେକରନ୍ତି । ଯଦିବି ଏ ସମ୍ପର୍କିତ କିଛି ବିଷୟ  ଜଣାପଡ଼େ, ତେବେ ଭଲକରି ବୁଝିବା ବେଳକୁ ଏପରି  ତନ୍ତୁଗୁଡ଼ିକର ପ୍ରକ୍ରିୟାକରଣ ସମୟରେ ବା ଏହାକୁ ରଙ୍ଗ  ଦେବାରେ ବ୍ୟବହାର ହେଉଥିବା ରାସାୟନିକ ଚିଜ ସବୁର  ଦୁର୍ଗୁଣ ଯେତିକି ନଜରକୁ ଆସେ ସିନା ତହିଁ ଥିବା ବୃକ୍ଷଜାତ  ପଦାର୍ଥ ଯଥା- ସେଲ୍ୟୁଲୋଜ୍‌, ହେମିସେଲ୍ୟୁଲୋଜ୍‌ ବା  ଲିଗ୍ନିନ୍‌ ପ୍ରଭୃତିର ଦୋଷ ସେଥିରେ ଜମାରୁ ନଥାଏ । ୨୦୨୫  ମସିହାରେ ସାଇନ୍ସ ଅଫ୍‌ ଦ ଟୋଟାଲ୍‌ ଏନଭିରନମେଣ୍ଟ  ପରି ପ୍ରତିଷ୍ଠିତ ଜର୍ଣ୍ଣାଲରେ ଏନ୍‌ଡ୍ରିଉ ବାରିକ୍‌ ଏବଂ  ସାଥୀଙ୍କ ‘ଡାଫ୍‌ନିଆ' ବୋଲି ଏକ କ୍ଷୁଦ୍ର ଜଳଚର ଜୀବ  ଉପରେ ହୋଇଥିବା ଗବେଷଣାରୁ ଜଣାଯାଏ ଯେ ଯହିଁ  କଟନ୍‌ ଓ ସିଲ୍କ ପରି ପ୍ରାକୃତିକ ତନ୍ତୁରୁ ଜାତ ଅତି ସାନ  ତନ୍ତୁକଣିକା ଏହି ଜୀବଟି ଉପରେ କୌଣସି ପ୍ରଭାବ ବିସ୍ତାର  କରିନଥାଏ । ନାଇଲନ୍‌ ପରି କୃତ୍ରିମ ତନ୍ତୁର କ୍ଷୁଦ୍ରାତିକ୍ଷୁଦ୍ର  କଣିକା ସବୁ ତା'ଠାରେ ଯଥେଷ୍ଟ ବିଷକ୍ରିୟା ଜାତ କରିବାର  ସାମର୍ଥ୍ୟ ରଖନ୍ତି ।

ମନୁଷ୍ୟ କ୍ଷେତ୍ରରେ ଏହି କୃତ୍ରିମ ତନ୍ତୁର  ରୀତିମତ ବ୍ୟବହାର ଯେ କି କି ପ୍ରକାର ସମସ୍ୟା ସୃଷ୍ଟି  କରିପାରେ ତାର ଏକ ନିଚ୍ଛକ ପ୍ରତିଚ୍ଛବି ଆମେ ଏଡଭାନ୍ସ  ରିସର୍ଚ୍ଚ ଇନ୍‌ ଟେକ୍ସଟାଇଲ୍‌ ଇଂଜିନିୟରିଂ ନାମକ ପତ୍ରିକାରେ  ଜୋରାୱର୍‌ ସିଂଙ୍କ ତରଫରୁ ୨୦୧୭ ମସିହାରେ ପ୍ରକାଶିତ  ଅନ୍ୟ ଏକ ଲେଖାରୁ ବେଶ୍‌ ଜାଣିପାରିବା । ସାମଗ୍ରିକ  ଭାବରେ କହିବାକୁ ଗଲେ ଏସବୁ କୃତ୍ରିମ ତନ୍ତୁ ତିଆରିରେ  ବ୍ୟବହାର କରାଯାଉଥିବା ସଲ୍‌ଫ୍ୟୁରିକ୍‌ ବା ନାଇଟ୍ରିକ୍‌ ବା  ଟେରେପ୍‌ଥାଲିକ୍‌ ପରି ଏସିଡ୍‌, କାର୍ବନ ଡାଇସଲ୍‌ଫାଇଡ୍‌,  ଡାଇଏମିନ୍‌, ଏଥିଲିନ୍‌ ଗ୍ଲାଏକଲ୍‌, ଡାଇମିଥାଇଲ୍‌  ଫର୍ମାଇଡ୍‌, ଏକ୍ରିଲୋନାଇଟ୍ରାଇଲ୍‌ ଆଦି ରାସାୟନିକ ପଦାର୍ଥ  ଚମଡ଼ା ଫଳିଯିବା, ନାଲିଆ ହେବା, ଜଳାପୋଡ଼ା ହେବା  ବା ଶୁଷ୍କ ହୋଇଯିବା, ଅହେତୁକ ଓଜନ ହ୍ରାସ, ବାନ୍ତି  ଦେଖାଇବା ବା ବାନ୍ତି ହେବା, ଛାତି ତଥା ମାଂସପେଶୀରେ  କଷ୍ଟ ହେବା, ମୁଣ୍ଡବଥା, ନିଦ୍ରାହୀନତା, ଚର୍ମ ସହ ନାସା,  ଗଳା ଏବଂ ଫୁସଫୁସ୍‌ରେ ଅସ୍ୱାଭାବିକତା, ଆଖିର ବିଭିନ୍ନ  ପରିବର୍ତ୍ତନ, ଲିଭର୍‌ ତଥା କିଡନୀ ରୋଗ, ଏପରିକି  ସ୍ନାୟୁଗତ ରୋଗ ଓ କର୍କଟ ପରି କେତେ ରୋଗକୁ  ନିଉତା ଦେଇଥାଏ । ଏନ୍‌ଭିରନ୍‌ମେଣ୍ଟାଲ ସାଇନ୍ସ ୟୁରୋପ  ଜର୍ଣ୍ଣାଲରେ ୨୦୨୧ ମସିହାରେ ପ୍ରକାଶିତ ପାଲାସିଓସ୍‌ମାଟିଓ ଏବଂ ସାଥୀଙ୍କ ବିସ୍ତୃତ ରିପୋର୍ଟ ତଥା ଅନ୍ୟ ଅନେକ  ଲେଖାରୁ ପୋଲିଇଷ୍ଟର ଭଳି କୃତ୍ରିମ ତନ୍ତୁ ସବୁର ଉଭୟ  ଶରୀରର ସଂସ୍ଥାନ ଉପରେ କୁପ୍ରଭାବ ତଥା ପରିବେଶକୁ  ପ୍ରଦୂଷିତ କରିବାର କ୍ଷମତା ବିଷୟରେ ଅନେକ କଥା  ଜଣାପଡ଼େ । ଏହି ତନ୍ତୁ ତିଆରିରେ ନିୟୋଜିତ ଥିବା  ଶ୍ରମିକମାନଙ୍କ ଠାରେ ଏପରି କୁପ୍ରଭାବ ଏକରକମ ନିଶ୍ଚିତ  ହୋଇଥିଲେ ହେଁ ବ୍ୟବହାର ସମୟରେ ଏଥିରୁ ନିର୍ଗତ  ଅତି ସାନ ସାନ ଉପାଦାନ (ମାଇକ୍ରୋପ୍ଲାଷ୍ଟିକ କଣ)ଗୁଡ଼ିକ  ବାୟୁ, ଜଳ ଅବା ଖାଦ୍ୟ ବାଟରେ ଆମ ଶରୀର ଭିତରକୁ  ଆସିଲେ ତତ୍‌-ସମ୍ପର୍କିତ ଲକ୍ଷଣଗୁଡ଼ିକ ପ୍ରକାଶ ପାଇବାରେ  ଲାଗେ । ଠିକ୍‌ ସେହିପରି ଲୁଗାକୁ ଶକ୍ତ ଅବା ରଙ୍ଗୀନ  କରିବା ପାଇଁ ବ୍ୟବହାରରେ ଆସୁଥିବା ନାନାଦି ପଦାର୍ଥ  ତଥା ବାୟୁ ଚଳାଚଳକୁ ପ୍ରତିହତ କରିବାର ଦୁର୍ଗୁଣଟି ମଧ୍ୟ  ସିଧାସଳଖ ଆମ ଦେହରେ ଚର୍ମ ଏଲର୍ଜି ଜାତ କରିବାର  ବାଟ ଫିଟାଇ ଦେଇଥାଏ ।

ଏ ପରିସ୍ଥିତିରେ କୃତ୍ରିମ ତନ୍ତୁର ବ୍ୟବହାରକୁ  ଯଥାସମ୍ଭବ ପରିହାର କରି ପ୍ରାକୃତିକ ତନ୍ତୁରୁ ଆନୀତ  ଲୁଗାସବୁକୁ ଆପଣେଇଲେ ଆମ ପାଇଁ ମଙ୍ଗଳକର  ହେବ । ଏକଥା ତ ଆପେ ବୁଝାପଡ଼ିଯାଉଛି, ଏଥିସହ  ଆମ ଅଞ୍ଚଳର ବୁଣାକାରିତାର ପୁନରୁତ୍‌ଥାନ ତଥା  ପ୍ଲାଷ୍ଟିକ ପ୍ରଦୂଷଣର ନିରାକରଣ ରୂପରେ ସୁକାର୍ଯ୍ୟ ଦୁଇଟି  ବି ଆମଦ୍ୱାରା ଛାଏଁ ହୋଇଯିବ ବୋଲି ଏ ବିବେକ ଭିତରୁ  ପଦୁଟିଏ ବାହାରି ଆସୁଛି ।