ନୂଆଦିଲ୍ଲୀ,୨୦/୧୧: ସାଉଥ ସୁପରଷ୍ଟାର ମହେଶ ବାବୁ ବର୍ତ୍ତମାନ ତାଙ୍କର ଆଗାମୀ ଫିଲ୍ମ ବାରାଣସୀ ସୁଟିଂକୁ ନେଇ ବ୍ୟସ୍ତ ଅଛନ୍ତି। ଆଉ ଏହାରି ମଧ୍ୟରେ ତାଙ୍କର ଯୁବା ଏବଂ ଚମକଦାର ଲୁକ୍‌କୁ ନେଇ ସୋସିଆଲ ମିଡିଆରେ ଚାଲିଛି ଚର୍ଚ୍ଚା। ୫୦ ବର୍ଷ ବୟସରେ ମଧ୍ୟ ସେ  ୨୦ ବର୍ଷର ଦେଖାଯିବାକୁ ନେଇ ତାଙ୍କର ଶୃଙ୍ଖଳିତ ଓ୍ୱାର୍କଆଉଟ ଏବଂ ସନ୍ତୁଳିତ ଖାଦ୍ୟର ପରିଣାମ ବୋଲି କହିଛନ୍ତି ତାଙ୍କର ଫିଟନେସ ଟ୍ରେନର । ସେ ମହେଶଙ୍କ ସମ୍ପୂର୍ଣ୍ଣ ଫିଟନେସ୍ ରୁଟିନ୍ ର ରହସ୍ୟ କହିଛନ୍ତି। 

ମହେଶ ବାବୁ ବର୍ତ୍ତମାନ ଏସଏସ ରାଜମୌଲିଙ୍କ ମେଗା-ଫିଲ୍ମ, ବାରାଣସୀର ସୁଟିଂରେ ବ୍ୟସ୍ତ ଅଛନ୍ତି। ଫିଲ୍ମଟି ନିକଟରେ ହାଇଦ୍ରାବାଦରେ   ଲଞ୍ଚ ହୋଇଥିଲା, ଯେଉଁଠାରେ ତାଙ୍କର ପ୍ରଥମ ଲୁକ୍ ଏବଂ ଟାଇଟଲ୍ ଟିଜର ରିଲିଜ୍ ହୋଇଥିଲା। ଏହି କାର୍ଯ୍ୟକ୍ରମ ପରେ, ସୋସିଆଲ ମିଡିଆରେ କେବଳ ଗୋଟିଏ ଜିନିଷ ଟ୍ରେଣ୍ଡ କରିଥିଲା ତାହା ହେଉଛି ମହେଶ ବାବୁଙ୍କ ହସ ଏବଂ ତାଙ୍କର  ଚମକ। ୫୦ ବର୍ଷ ବୟସରେ ମଧ୍ୟ, ସେ ୨୦ବର୍ଷ ବୟସର ଦେଖାଯାଉଛନ୍ତି। ଏନେଇ  ଏକ ସାକ୍ଷାତକାରରେ ତାଙ୍କ ଟ୍ରେନର  କୁମାର ମାନ୍ନାଭା  ସମ୍ପୂର୍ଣ୍ଣ ଫିଟନେସ୍ ଜୀବନଶୈଳୀର ରହସ୍ୟ ପ୍ରକାଶ କରିଛନ୍ତି।ସେ କହିଛନ୍ତି ଯେ,  ଅଭିନେତା ବର୍ଷସାରା ଟ୍ରେନିଂ ନିଅନ୍ତି। ଅନ୍ୟ ଅଭିନେତାମାନଙ୍କ ପରି, ସେ କେବଳ ଫିଲ୍ମ ପାଇଁ ତାଙ୍କ ଶରୀର ଗଠନ କରନ୍ତି ନାହିଁ, ବରଂ ଫିଟନେସ୍‌କୁ ଏକ ଜୀବନଶୈଳୀ ବୋଲି ବିବେଚନା କରନ୍ତି। ସେ ସପ୍ତାହରେ ପାଞ୍ଚ ଦିନ ଜିମ୍ ଯାଆନ୍ତି, ଏବଂ ପ୍ରତ୍ୟେକ ସେସନ୍ ୬୦-୯୦ ମିନିଟ୍ ପର୍ଯ୍ୟନ୍ତ ରହିଥାଏ। ପ୍ରତ୍ୟେକ ୱାର୍କଆଉଟ୍ ଏକ ନିର୍ଦ୍ଦିଷ୍ଟ ଶରୀର ଅଂଶ ଉପରେ ଧ୍ୟାନ ଦିଏ, ତା’ପରେ ଏକ ଲମ୍ବା ଷ୍ଟ୍ରେଚିଂ ସେସନ୍ ହୋଇଥାଏ। ଏହା ତାଙ୍କ ଶରୀରକୁ ନମନୀୟ ଏବଂ ଆକ୍ସନ୍ ଭୂମିକା ପାଇଁ ପ୍ରସ୍ତୁତ ରଖେ। 

ସେହିପରି ମହେଶ ବାବୁ ତାଙ୍କ ଖାଦ୍ୟପେୟ ପ୍ରତି ବହୁତ କଠୋର । ତାଙ୍କ ପ୍ରଶିକ୍ଷକଙ୍କ ଅନୁସାରେ, ସେ ଦିନକୁ ୫-୬ ଥର ଖାଦ୍ୟ ଖାଆନ୍ତି, ଯେଉଁଥିରେ ଦୁଇଟି ସପ୍ଲିମେଣ୍ଟ ଶେକ୍ ମଧ୍ୟ ସାମିଲ। ପ୍ରତ୍ୟେକ ଭୋଜନରେ ପ୍ରୋଟିନ୍, କାର୍ବୋହାଇଡ୍ରେଟ୍ ଏବଂ ସୁସ୍ଥ ଚର୍ବିର ସନ୍ତୁଳନ ରହିଥାଏ। ତାଙ୍କର
ଦୈନନ୍ଦିନ ଖାଦ୍ୟରେ ସେ ଜଳଖିଆରେ  ଓଟ୍ସ, ଅଣ୍ଡା, ବାଦାମ ଏବଂ ଫଳ ସହିତ ତିଆରି ମୁସ୍, ସେହିପରି ବ୍ୟାୟାମ ପରେ ପ୍ରୋଟିନ୍ ଶେକ୍ ,ମଧ୍ୟାହ୍ନ ଭୋଜନରେ ଚିକେନ୍/ମେଣ୍ଢା/ମାଛ ସହିତ ବ୍ରାଉନ୍ ରାଇସ୍, କ୍ୱିନୋଆ କିମ୍ବା ପୋସ୍ତ ବିହନ । ସେହିପରି ରାତ୍ରୀ ଭୋଜନରେ ସେ  ବ୍ରାଉନ୍ ବ୍ରେଡ୍ ସହିତ ଅଣ୍ଡା କିମ୍ବା ଚିକେନ୍ ଖାଆନ୍ତି ।