ବଲାଙ୍ଗୀର,୨୪/୦୫: ବଲାଙ୍ଗୀର ଜିଲ୍ଲା ପୁଇଁନ୍ତଳା ଥାନା କୁଲଥିପାଲି ଗ୍ରାମରେ ସାମ୍ବାଦିକ ବିଜୟ ପ୍ରଧାନଙ୍କୁ ହାତଗୋଡ଼ ବାନ୍ଧି ଆକ୍ରମଣ କରାଯାଇଥିବା ଅଭିଯୋଗ । ନିମ୍ନମାନର ସରକାରୀ କାମରେ ଦୁର୍ନୀତି ହେଉଥିବା ଅଭିଯୋଗ ପାଇ ଖବର ସଂଗ୍ରହ ପାଇଁ ଯାଇଥିବା ବେଳେ ସମ୍ବାଦିକକୁ ଠିକାଦାର ଗଜେନ୍ଦ୍ର ଦଳାଇ ଓ ତାଙ୍କ ଗୁଣ୍ଡା ମରଣାନ୍ତକ ଆକ୍ରମଣ କରିଥିଲେ । ସେମାନେ ସାମ୍ବାଦିକଙ୍କ ଦୁଇଟି ମୋବାଇଲ ସହ ବୁମ୍ ଭାଙ୍ଗି ଦେଇଥିଲେ। ଆଉ ଶେଷରେ ସାମ୍ବାଦିକଙ୍କ ହାତଗୋଡ଼ ବାନ୍ଧି ରାସ୍ତା କଡ଼ରେ ପକାଇ ଦେଇ ଫେରାର ହୋଇଯାଇଥିଲେ ।
ଏନେଇ ସାମ୍ବାଦିକ ଜଣଙ୍କୁ କିଛି ଲୋକ ଗୁରୁତର ଅବସ୍ଥାରେ ଉଦ୍ଧାର କରି ପୁଲିସକୁ ଖବର ଦେଇଥିଲେ । ପୁଲିସ ପହଞ୍ଚି ଘଟଣା ନେଇ ପଚରାଉଚୁରା କରିବା ପରେ ମେଡିକାଲରେ ଭର୍ତ୍ତି କରିଥିଲା । ମୁଣ୍ଡ ଓ ଦେହର ବିଭିନ୍ନ ଜାଗାରେ ଗଭୀର ଆଘାତ ଲାଗିଛି । ଏନେଇ ପୁଇଁତଳା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ଆହାତ ସାମ୍ବାଦିକ ବିଜୟ ପ୍ରଧାନ । ଯାହାର ପ୍ରତିବାଦରେ ଆଜି ସାମ୍ବାଦିକ ସଂଘ, ଓୟୁଜେ ଏବଂ ଏସୟୁଜେ ପକ୍ଷରୁ ଏସପି ଅଫିସ ଆଗରେ ଧାରଣା ଦେଇଥିଲେ । ଖବର ପାଇ ଏଏସପି ଆଲୋକ ଜେନା ଆସି ଅଭିଯୁକ୍ତଙ୍କୁ ଶିଘ୍ର ଗିରଫ କରାଯିବ ବୋଲି କହିଥିଲେ ।