ନୂଆଦିଲ୍ଲୀ,୧୨।୫: ପାକିସ୍ତାନୀ ଆତଙ୍କବାଦୀଙ୍କ ହମଲା ପରେ ହୋଇଥିବା ‘ଅପରେସନ୍ ସିନ୍ଦୂର’ରେ ଭାରତୀୟ ଯବାନ ଦେଖାଇଛନ୍ତି ନିଜର ପରାକ୍ରମ। ବାୟୁସେନାର ଡିଜିଏମ୍ଓ ଏୟାର ମାର୍ଶଲ ଏକେ ଭାରତୀ ସୋମବାର କହିଛନ୍ତି, ପାକିସ୍ତାନର ସେନାର ଆକ୍ରମଣ ପରେ ଭାରତୀୟ ସେନା ବହୁ ସ୍ଥାନରେ କରିଥିଲା ଏୟାରଷ୍ଟ୍ରାଇକ୍। କରାଚୀ ସ୍ଥିତ ମଲିର କେଣ୍ଟନମେଣ୍ଟକୁ ଟାର୍ଗେଟ କରିଥିଲୁ। ଏୟାରଫୋର୍ସ ଏହାର ଡିଫେନ୍ସ ସିଷ୍ଟମ ଉପରେ ଆକ୍ରମଣ କରି ତାକୁ ନଷ୍ଟ କରିଦେଇଥିଲା।
ସାମ୍ମାଦିକ ସମ୍ମିଳନୀରେ ଏୟାର ମାର୍ଶଲ ଏକେ ଭାରତୀ କହିଛନ୍ତି, ‘କରାଚୀ ସହରରୁ ପ୍ରାୟ ୩୫ କିଲୋମିଟର ଦୂରରେ ଅବସ୍ଥିତ ମଲିର କ୍ୟାଣ୍ଟନମେଣ୍ଟରେ ଗୁରୁତ୍ୱପୂର୍ଣ୍ଣ ସାମରିକ ଭିତ୍ତିଭୂମି ରହିଛି। ସେଠାରେ ଭାରତୀୟ ବାୟୁସେନାର ଆକ୍ରମଣ ଏକ ବ୍ୟାପକ ଅଭିଯାନର ଅଂଶ ଥିଲା। ଯାହାର ଉଦ୍ଦେଶ୍ୟ ଜୈଶ-ଏ-ମହମ୍ମଦ ଏବଂ ଲସ୍କର-ଇ-ତୋଇବା ଭଳି ଗୋଷ୍ଠୀ ସହ ଜଡିତ ଆତଙ୍କୀ ଭିତ୍ତିଭୂମିକୁ ଧ୍ୱଂସ କରିବା ।ଯେଉଁମାନେ କି ପହଲଗାମ ଆକ୍ରମଣରେ ସାମିଲ ଥିଲେ। ତାଙ୍କ ଆକ୍ରମଣରେ ୨୬ ଜଣ ନାଗରିକଙ୍କ ମୃତ୍ୟୁ ହୋଇଥିଲା।
ଏୟାର ମାର୍ଶଲ କହିଛନ୍ତି, ସରଗୋଧା, ରହିମ ୟାର ଖାନ୍,ଚକଲାଲାରେ ନୂର ଖାନ୍, ସୁକୁର, ଭୋଲାରି ଓ ଜ୍ୟାକୋବାଦର ଏୟାରବେସ୍ ଆମର ପ୍ରମୁଖ ଟାର୍ଗେଟ ଥିଲା। ଏହି ପାକିସ୍ତାନୀ ଏୟାରବେସ୍କୁ ଆମେ ପ୍ରବଳ ଭାବରେ କ୍ଷତି ପହଁଞ୍ଚାଇଛୁ। ଆମ ଆକ୍ରମଣରେ ଏହି ଏୟାରବେସ୍ର ସଞ୍ଚାର କେନ୍ଦ୍ର, ରାଡାର ସାଇଟ୍, ଜେଟ୍ ହ୍ୟାଙ୍ଗର ଓ ବହୁ ଆଡ୍ଡା ଧ୍ବଂସ ହୋଇଛି। ଏହାଛଡା ଆମର ଆକ୍ରମଣରେ ପାକିସ୍ତାନର ପସରୁର ଚୁନିୟନ ଓ ଆରିଫଭାଲା ମଧ୍ୟ ପ୍ରଭାବିତ ହୋଇଛି।