ସିମୁଳିଆ:୧୦।୮ (ଆପ୍ର) : ସିମୁଳିଆ ଥାନା ଅନ୍ତରା ପଞ୍ଚାୟତ ଅଞ୍ଚଳର ଜଣେ ନବମ ଶ୍ରେଣୀ ଛାତ୍ରୀ ଟ୍ୟୁସନରୁ ଘରକୁ ଫେରିବା ବେଳେ ଜଣେ ଯୁବକ ଦୁଷ୍କର୍ମ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି।ଏଭଳି କାଣ୍ଡ ଘଟାଇଥିବା ଯୁବକ ଖସି ପଳାଇ ଯାଉଥିବା ବେଳେ ଗ୍ରାମବାସୀ ହାତରେ ଧରାପଡି ନିର୍ଧୂମ ଛେଚା ଖାଇଛି। ଏପରିକି ଲୋକମାନେ ଉତ୍ତ୍ୟକ୍ତ ହୋଇ ଯୁବକଙ୍କ ବାଇକକୁ ଜାଳି ଦେଇଥିଲେ। ଘଟଣା ସ୍ଥଳରେ ସିମୁଳିଆ ପୁଲିସ ଟିମ ପହଞ୍ଚି ଯୁବକଙ୍କୁ ଥାନାକୁ ଆଣିଛି । ଗୁରୁତର ଛାତ୍ରୀଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାକୁ ପଠାଯାଇଛି। ଯୁବକ ଜଣକ ହେଉଛନ୍ତି ଅନ୍ତରା ଗ୍ରାମର ପ୍ରଶାନ୍ତ କୁମାର ସାମଲ(୨୪) ।
ମିଳିଥିବା ସୂଚନା ଅନୁଯାୟୀ ଛାତ୍ରୀ ଜଣଙ୍କ ଟ୍ୟୁସନ ହୋଇ ଅପରାହ୍ଣ ରେ ଘରକୁ ଫେରୁଥିଲେ। ଅନ୍ତରା-ବରୋଦା କେନାଲ ବନ୍ଧ ନିକଟରେ ଛାତ୍ରୀଙ୍କୁ ଭୟଭୀତ କରି ସାଇକେଲ ଓ ବହିଙ୍କୁ କେନାଲଙ୍କୁ ଫିଙ୍ଗି ଦେଇଥିଲେ। ଯୁବକ ଜଣକ ଛାତ୍ରୀଙ୍କୁ ଦୁଷ୍କର୍ମ ଉଦ୍ୟମ କରିଥିଲେ। ଟ୍ୟୁସନରୁ ଛାତ୍ରୀ ଜଣଙ୍କ ଘରକୁ ନଫେରିବାରୁ ଘର ଲୋକେ ଟ୍ୟୁସନ ସାରଙ୍କୁ ଫୋନ କରିଥିଲେ। ଟ୍ୟୁସନ ସାର ଏବଂ ସମ୍ପର୍କୀୟ ମାନେ ଖୋଜା ଖୋଜି କରିବା ପରେ କେନାଲ ନିକଟରେ ଛାତ୍ରୀଙ୍କୁ ଉଦ୍ଧାର କରିଥିଲେ। ଯୁବକ ଜଣଙ୍କ ଲୋକମାନଙ୍କୁ ଦେଖି ବିଲରେ ଦୌଡ଼ି ଖସି ଯିବାକୁ ଉଦ୍ୟମ କରୁଥିବା ବେଳେ ଲୋକମାନେ ତାଙ୍କୁ ଏକ ପୋଖରୀରୁ କାବୁ କରି ଥିଲେ। ଉତ୍ତ୍ୟକ୍ତ ଲୋକେ ଯୁବକକୁ ଗଛରେ ବାନ୍ଧି ଉତ୍ତମ ମଧ୍ୟମ ଦେବା ସହିତ ତାଙ୍କ ବାଇକକୁ ପୋଡି ଦେଇଥିବାର ଜଣା ପଡିଛି। ସିମୁଳିଆ ପୁଲିସ ଖବର ପାଇବା ପରେ ଆଇଆଇସି ଶ୍ରବଣ କୁମାର ମହାରଣା ଏବଂ ଟିମ ସେଠାରେ ପହଁଚି ଯୁବକ କୁ ଥାନା କୁ ଆଣିବା ସହିତ ଛାତ୍ରୀ ଙ୍କୁ ପଚରା ଉଚୁରା କରି ଭଦ୍ରକ ଡାକ୍ତରଖାନା କୁ ଚିକିତ୍ସା ପାଇଁ ପଠାଇଥିବାର ସୂଚନା ମିଳିଛି ।