ଭୋଗରାଇ,୨୬/୧୨ : ଜଣେ ୫ବର୍ଷର ଶିଶୁକନ୍ୟାକୁ ତା'ର ସମ୍ପର୍କୀୟ ଅଜା ପ୍ରଲୋଭନ ଦେଖାଇ ଅସଦାଚରଣ ଉଦ୍ୟମ କରିଥିବା ଥାନାରେ ଅଭିଯୋଗ ହୋଇଛି । ଶିଶୁକନ୍ୟାର ମା’ ଏ ନେଇ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ପକ୍ଷରୁ ଉକ୍ତ ଘଟଣାକୁ ନେଇ ତଦନ୍ତ ଆରମ୍ଭ କରାଯାଇଛି । ଫଳରେ ଅଭିଯୁକ୍ତ ବ୍ୟକ୍ତି ଜଣଙ୍କ ଘରୁ କେଉଁଆଡ଼େ ଫେରାର ହୋଇଯାଇଥିବା ଜଣାପଡ଼ିଛି । ଅପରପକ୍ଷରେ ପୀଡ଼ିତାଙ୍କ ପରିବାର ପକ୍ଷରୁ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଥିବାବେଳେ ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି ।
ଅଭିଯୋଗ ଅନୁସାରେ, ଗତ ୧୮ତାରିଖ ଅପରାହ୍ନରେ ଭୋଗରାଇ ଥାନା ନାଇଦୋଳି ଗ୍ରାମର ସୁଧୀର କୁମାର ମଣ୍ଡଳ ଉକ୍ତ ଶିଶୁକନ୍ୟା ଜଣଙ୍କୁ ପ୍ରଲୋଭନ ଦେଖାଇ ଏକ କୁଣ୍ଡା ଦୋକାନ ଭିତରକୁ ନେଇ ଅସଦାଚରଣ ଉଦ୍ୟମ କରିଥିଲେ । ଘରକୁ ଫେରି ଶିଶୁକନ୍ୟା ଜଣଙ୍କ ନିଜ ଜେଜେମାଙ୍କୁ ଘଟଣା ସମ୍ପର୍କରେ କହିବାରୁ ଘରଲୋକେ ଏ ନେଇ ପ୍ରଥମେ ନିଜ ଗାଁ ଲୋକଙ୍କୁ ଜଣାଇଥିଲେ । ଗାଁରେ ଏ ନେଇ ବୈଠକ କରାଯାଇଥିଲେ ସୁଦ୍ଧା ସମାଧାନର କୌଣସି ବାଟ ନ ଫିଟିବାରୁ ବାଧ୍ୟ ହୋଇ ପୀଡ଼ିତାଙ୍କ ମା’ ଗୁରୁବାର ଭୋଗରାଇ ଥାନାରେ ପହଞ୍ଚି ଶ୍ରୀ ମଣ୍ଡଳଙ୍କ ନାଁରେ ଏକ ଲିଖିତ ଅଭିଯୋଗ କରିଥିଲେ ।
ଅଭିଯୋଗକୁ ଭିତ୍ତି କରି ପୁଲିସ ପକ୍ଷରୁ କେଶ ନଂ ୩୯୩/୨୫ରେ ଏକ ମାମଲା ରୁଜୁ କରାଯିବା ସହ ତଦନ୍ତ ଆରମ୍ଭ କରାଯାଇଥିଲା । ତେବେ ଏହା ଜାଣିପାରି ଶ୍ରୀ ମଣ୍ଡଳ ଘରୁ କେଉଁଆଡ଼େ ଫେରାର ହୋଇଯାଇଥିବାବେଳେ ଖୁବଶୀଘ୍ର ତାଙ୍କୁ ଗିରଫ କରାଯିବ ବୋଲି ଭୋଗରାଇ ଥାନାଧିକାରୀ ରୋହିତ କୁମାର ବଳ କହିଛନ୍ତି ।