ନୂଆଦିଲ୍ଲୀ: ଅତୁଲ ସୁବାସ ହତ୍ୟା ଘଟଣାରେ ରୋଚକ ମୋଡ। ନିକଟରେ ପୋଲିସ ଅତୁଲଙ୍କ ସ୍ତ୍ରୀ ନିକିତା, ତାଙ୍କ ମା ଓ ଭାଇକୁ ଗିରଫ କରିଥିଲା। ଏହାପରେ ଅତୁଲଙ୍କ ମା ନିଜ ନାତିକୁ ହେପାଜତକୁ ନେବା ପାଇଁ ସୁପ୍ରିମ କୋର୍ଟରେ ଆବେଦନ କରିଥିଲେ। ଏହି ଆବେଦନର ଶୁଣାଣି କରି ସୁପ୍ରିମ କୋର୍ଟ ଶୁକ୍ରବାର ଉତ୍ତର ପ୍ରଦେଶ, ହରିୟାନା ଓ କର୍ଣ୍ଣାଟକର ସରକାର ପାଇଁ ନୋଟିସ ଜାରି କରିଛନ୍ତି। 

ଅତୁଲଙ୍କ ମା’ ନିଜ ସାଢେଚାରି ବର୍ଷର ନାତିର ଭରଣପୋଷଣ ପାଇଁ ନାତିକୁ ନିଜ ହେପାଜତକୁ ନବାପାଇଁ ସୁପ୍ରିମ କୋର୍ଟରେ ଏକ ଅପିଲ ଆବେଦନ କରିଥିଲେ। କିନ୍ତୁ ନାତି କେଉଁଠି ଅଛି ସେ ଜାଣିନଥିବା ନେଇ ଏହି ଅପିଲରେ ଉଲ୍ଲେଖ କରିଥିଲେ। ବୋହୁ ନିକିତାଙ୍କ ସମେତ ତାଙ୍କ ପରିବାରର ଅନ୍ୟମାନେ ମଧ୍ୟ ପିଲାଙ୍କୁ କୋଉଠି ରଖିଛନ୍ତି ତାହା ଜଣାଉନାହାନ୍ତି ବୋଲି ଏହି ଅପିଲରେ ଉଲ୍ଲେଖ ରହିଥିଲା। 

ଖବର ମୁତାବକ, ବେଙ୍ଗାଲୁରୁରେ ସଫ୍ଟଓୟେର ଇଞ୍ଜିନିୟର ଭାବେ କାମ କରୁଥିଲେ ଅତୁଲ ସୁବାସ। ଚଳିତ ମାସ ପ୍ରାରମ୍ଭରେ ସେ ନିଜ ସ୍ତ୍ରୀଙ୍କ ଅତ୍ୟାଚାରରେ ଅତିଷ୍ଠ ହୋଇ ସେ ଆତ୍ମହତ୍ୟା କରିଥିଲେ। ଆତ୍ମହତ୍ୟା କରିବା ପୁର୍ବରୁ ସେ ୨୪ ପୃଷ୍ଟା ବିଶିଷ୍ଟ ସୁଇସାଇଡ ନୋଟ ଲେଖିବା ସହ ଦେଢ ଘଣ୍ଟାର ଏକ ହୃଦୟ ସ୍ପର୍ଶି ଭିଡିଓ ସେୟାର କରିଥିଲେ। ଯାହା ସାଙ୍ଗେସାଙ୍ଗେ ଭାଇରାଲ ହୋଇଯାଇଥିଲା। ଏହି ଭିଡିଓରେ ସେ ନିଜ ଆତ୍ମହତ୍ୟାପାଇଁ ସ୍ତ୍ରୀ ନିକିତା ସିଂହାନିଆ ଓ ତାଙ୍କ ପରିବାର ଲୋକଙ୍କୁ ଦାୟୀ କରିଥିଲେ। 

ସାରା ଦେଶରେ ଏହି ଘଟଣାକୁ ନେଇ ଚର୍ଚ୍ଚା ଜୋର ଧରିବା ପରେ ବେଙ୍ଗାଲୁରୁ ପୋଲିସ ଅତୁଲଙ୍କ ସ୍ତ୍ରୀଙ୍କୁ ଗୁରଗାଓଁ(ହରିୟାନା)ରୁ ଗିରଫ କରିଥିଲା। ଅନ୍ୟପଟେ ନିକିତାଙ୍କ ମା ଓ ଭାଇଙ୍କୁ ବେଙ୍ଗାଲୁରୁ ପୋଲିସ ଉତ୍ତରପ୍ରଦେଶର ଆହ୍ଲାବାଦରୁ ଗିରଫ କରିଥିଲା। ଅତୁଲଙ୍କର ଭାଇଙ୍କ କେସ ଆଧାରରେ ଏହି ତିନିଜଣକୁ ବେଙ୍ଗାଲୁରୁ ପୋଲିସ ଗିରଫ କରିଥିଲା। ପୋଲିସ ସେମାନଙ୍କୁ ଗିରଫ କରିବା ପରେ ବେଙ୍ଗାଲୁରୁ ନ୍ୟାୟାଳୟକୁ ପଠାଇବା ପୁର୍ବରୁ ୧୪ ଦିନିଆ ବିଚାର ବିଭାଗ ହାଜତକୁ ପଠାଇଥିଲା। 

ତାଙ୍କ ଆବେଦନରେ ଅତୁଲଙ୍କ ମା ଯୁକ୍ତି କରିଛନ୍ତି ଯେ ଉତ୍ତରପ୍ରଦେଶ, ହରିୟାଣା ଏବଂ କର୍ଣ୍ଣାଟକ ଭଳି ତିନୋଟି ରାଜ୍ୟର ଏହି ଘଟଣାରେ ସମ୍ପୃକ୍ତି ରହିଛି। ଏଣୁ ଏହି ସମସ୍ୟାର ସମାଧାନ ତଥା ନ୍ୟାୟ ପାଇଁ ଏହି ଘଟଣାରେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ ଜରୁରୀ ଅଟେ। ଏହି ଆବେଦନର ଶୁଣାଣି ବେଳେ ସୁପ୍ରିମ କୋର୍ଟ ଉକ୍ତ ତିନି ରାଜ୍ୟକୁ ନୋଟିସ ଜାରି କରିଥିଲେ। ତେବେ ଏହି ଘଟଣାର ପରବର୍ତ୍ତୀ ଶୁଣାଣି ଆସନ୍ତା ବର୍ଷ ଜାନୁଆରି ମାସରେ ହେବ ବୋଲି ତାରିଖ ଧାର୍ଯ୍ୟ ହୋଇଛି। 

ସୂଚନା ଥାଉକି, ଅତୁଲ ସୁବାସ ୨୦୧୯ ମସିହାରେ ସଫ୍ଟୱେୟାର ପ୍ରଫେସନାଲ ନିକିତା ସିଂହାନିଆଙ୍କୁ ବିବାହ କରିଥିଲେ। ବିବାହର ଦୁଇ ବର୍ଷପରେ ପାରିବାରିକ ଗଣ୍ଡଗୋଳ ଆରମ୍ଭ ହୋଇଯାଇଥିଲା। ଏହା ପରେ ନିକିତା ଅତୁଲଙ୍କ ଉପରେ ଆଟେମ୍ପ୍ଟ ଟୁ ମର୍ଡର, ଯୌତୁକ ନିର୍ଯାତନା, ଅପ୍ରାକୃତିକ ଯୌନକ୍ରିୟା ଇତ୍ୟାଦି ଭଳି ମୋଟ ୯ ଟି କେସ ଫାଇଲ କରିଥିଲେ।