ନୂଆଦିଲ୍ଲୀ,୨୭।୧୦: ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ଆଣ୍ଟୋନି ଆଲବାନିଜ୍ ଆଶା ପ୍ରକାଶ କରିଛନ୍ତି ଯେ ପରବର୍ତ୍ତୀ କ୍ୱାଡ୍ ବୈଠକ ଆସନ୍ତା ବର୍ଷର ପ୍ରଥମ ତ୍ରୟମାସରେ ଅନୁଷ୍ଠିତ ହୋଇପାରେ। ସେ ଅଷ୍ଟ୍ରେଲିଆ, ଭାରତ, ଆମେରିକା ଏବଂ ଜାପାନକୁ ନେଇ ଗଠିତ ଏହି ଗୋଷ୍ଠୀକୁ ଏକ ଗୁରୁତ୍ୱପୂର୍ଣ୍ଣ ମଞ୍ଚ ବୋଲି କହିଛନ୍ତି। କ୍ୱାଡ୍ ସମ୍ମିଳନୀ ଚଳିତ ବର୍ଷ ଭାରତରେ ଅନୁଷ୍ଠିତ ହେବାର ଯୋଜନା ଥିଲା। ତେବେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଆଭିମୁଖ୍ୟ ଏବଂ ଜାପାନରେ ଚାଲିଥିବା ରାଜନୈତିକ ଅସ୍ଥିରତା ଯୋଗୁଁ, ଏହି ବୈଠକ ଏବେ ହେବାର ସମ୍ଭାବନା କମ୍ ରହିଛି।
ଆଲବାନିଜ୍ ରବିବାର ଆସିୟାନ୍ ସମ୍ମିଳନୀ ବେଳେ କହିଥିଲ,‘କ୍ୱାଡ୍’ ଏକ ଗୁରୁତ୍ୱପୂର୍ଣ୍ଣ ମଞ୍ଚ ଯାହା ଅଷ୍ଟ୍ରେଲିଆ, ଆମେରିକା, ଜାପାନ ଏବଂ ଭାରତକୁ ସଂଯୋଗ କରେ। ମୁଁ ଆଶା କରୁଛି ଏହା ଆସନ୍ତା ବର୍ଷର ପ୍ରଥମ ତ୍ରୟମାସରେ ଅନୁଷ୍ଠିତ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ବୈଠକର ଆୟୋଜନ କରିବେ। କ୍ୱାଡ୍ ସମ୍ମିଳନୀ ବିଳମ୍ବ ବିଷୟରେ ପଚରାଯିବାରୁ, ଆଲବାନିଜ୍ କହିଛନ୍ତି, ବ୍ୟସ୍ତବହୁଳ ଶିଖର ସମ୍ମିଳନୀର ଅଧିବେଶନ ରହିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କର ମଧ୍ୟ ଖୁବ୍ ବ୍ୟସ୍ତବହୁଳ କାର୍ଯ୍ୟସୂଚୀ ଅଛି।
ଉଲ୍ଲେଖନୀୟ ଯେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବର୍ତ୍ତମାନ ଏସିଆର ତିନିଟି ରାଷ୍ଟ୍ର ଗସ୍ତରେ ଅଛନ୍ତି। ମାଲେସିଆରେ ଅନୁଷ୍ଠିତ ଆସିଆନ୍ ସମ୍ମିଳନୀରେ ଯୋଗ ଦେବା ପରେ ସେ ଜାପାନ ଏବଂ ସେଠାରୁ ଦକ୍ଷିଣ କୋରିଆ ଯିବେ, ଯେଉଁଠାରେ ସେ ଏସିଆ-ପ୍ରଶାନ୍ତ ମହାସାଗରୀୟ ଆର୍ଥିକ ସହଯୋଗ (APEC) ଶିଖର ସମ୍ମିଳନୀରେ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ସହ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି।