ନୂଆଦିଲ୍ଲୀ: ଭାରତକୁ ପ୍ରଶଂସାରେ ପୋତି ପକାଇଲେ ଅଷ୍ଟ୍ରେଲିଆର ପୂର୍ବତନ ପ୍ରଧାନମନ୍ତ୍ରୀ ଟୋନି ଆବୋଟ୍। ସେ କହିଛନ୍ତି ଯେ ଏକବିଂଶ ଶତାବ୍ଦୀ ହେଉଛି ଭାରତର ଶତାବ୍ଦୀ । ଆଗାମୀ ଚାରିରୁ ପାଞ୍ଚ ଦଶନ୍ଧି ମଧ୍ୟରେ ବିଶ୍ୱର ନେତୃତ୍ୱ ନେଇ ପାରନ୍ତି ଭାରତର ପ୍ରଧାନମନ୍ତ୍ରୀ । ଆବୋଟ୍ ଆହୁରି ମଧ୍ୟ କହିଛନ୍ତି ଯେ, ଭାରତ ଏବେ ଏକ ବିଶ୍ୱ ଶକ୍ତି ଭାବରେ ଉଭା ହେଉଛି ଏବଂ ଏସିଆ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ଏକ ଗଣତାନ୍ତ୍ରିକ ଶକ୍ତି ଭାବରେ ଏହାର ଭୂମିକା ଗ୍ରହଣ କରିବା ଉଚିତ ।
ଟୋନି ଆବୋଟ୍ କହିଛନ୍ତି ଯେ, ଅଷ୍ଟ୍ରେଲିଆ ସହିତ ଭାରତର ମୁକ୍ତ ବାଣିଜ୍ୟ ଚୁକ୍ତି (୨୦୨୨) ଏବଂ ବ୍ରିଟେନ (୨୦୨୪) ଏକ ସଙ୍କେତ ଯେ ଗଣତାନ୍ତ୍ରିକ ବିଶ୍ୱ ଏବେ ଚୀନଠାରୁ ନିଜକୁ ଦୂରେଇ ନେଉଛି। ସେ ଚୀନ୍, ପାକିସ୍ତାନ ଏବଂ ଆମେରିକା ସହିତ ଭାରତର ସମ୍ପର୍କ ବିଷୟରେ ମଧ୍ୟ ଆଲୋଚନା କରିଥିଲେ ଏବଂ କହିଥିଲେ ଯେ ଦିଲ୍ଲୀ ବେଜିଂର "ବିଶ୍ୱ ଆଧିପତ୍ୟ" ର ମହତ୍ତ୍ୱାକାଂକ୍ଷାକୁ ମୁକାବିଲା କରିବାର ଚାବିକାଠି ରଖିଛି । ସେ କହିଛନ୍ତି ଯେ ଚୀନ୍ ର ପ୍ରାଧାନ୍ୟ ବିସ୍ତାର କରିବା ଇଚ୍ଛା ଏହାର ସମସ୍ତ ପଡ଼ୋଶୀଙ୍କ ପାଇଁ ଚିନ୍ତାଜନକ।
ଶୁକ୍ରବାର ଏକ ଜାତୀୟ ଗଣମାଧ୍ୟମର ବାର୍ଷିକ ସମ୍ମିଳନୀରେ ଆବୋଟ୍ କହିଛନ୍ତି ଯେ ଭାରତ ଚୀନ୍ ପାଇଁ ଏକ ଦୃଢ଼ ସନ୍ତୁଳନ ଭାବରେ ଉଭା ହେଉଛି। ଭାରତ ଏବେ ବିଶ୍ୱର ସବୁଠାରୁ ଜନସଂଖ୍ୟା ବିଶିଷ୍ଟ ଦେଶ, ଏବଂ ସାରା ଦେଶରେ ପ୍ରମୁଖ ଭିତ୍ତିଭୂମି ପ୍ରକଳ୍ପ ଗୁଡ଼ିକ ଚାଲିଛି । ନୂତନ ବିମାନବନ୍ଦର, ରାସ୍ତା ଏବଂ ବିକାଶ ପ୍ରକଳ୍ପ ଗୁଡ଼ିକ ଦ୍ରୁତ ଗତିରେ ଆଗକୁ ବଢ଼ୁଛି। ସେ କହିଛନ୍ତି କି, ଭାରତରେ ତିନୋଟି ପ୍ରମୁଖ ଶକ୍ତି ଅଛି: ଗଣତନ୍ତ୍ର, ଆଇନର ଶାସନ ଏବଂ ଇଂରାଜୀ ଭାଷାର ଜ୍ଞାନ। ଏହି ଶକ୍ତି ଦ୍ବାରା ଭାରତ ସେହି ଆର୍ଥିକ ଏବଂ ସାମରିକ ସଫଳତା ହାସଲ କରିବାକୁ ପ୍ରସ୍ତୁତ, ଯାହା କିଛି ଦଶନ୍ଧି ପୂର୍ବରୁ ଚୀନ୍ ହାସଲ କରିଥିଲା । ସେ କହିଛନ୍ତି କି, "ଯେତେବେଳେ ମୁଁ ପ୍ରଧାନମନ୍ତ୍ରୀ ଥିଲି, ମୁଁ କହୁଥିଲି ଯେ ଭାରତ ଏକ ଗଣତାନ୍ତ୍ରିକ ମହାଶକ୍ତି ଭାବରେ ଉଭା ହେବ।"
ଆବଟ୍ କହିଛନ୍ତି ଯେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତର ରୁଷୀୟ ତୈଳ କ୍ରୟ ଉପରେ ୨୫% ଟିକସ ଲଗାଇ ଭୁଲ କରିଛନ୍ତି। ସେ କହିଛନ୍ତି, "ମୁଁ ଟ୍ରମ୍ପଙ୍କୁ ସମର୍ଥନ କରେ, କିନ୍ତୁ ସେ ଭାରତ ସହିତ ଏକ ଭୁଲ ପଦକ୍ଷେପ ନେଇଛନ୍ତି, ଯେତେବେଳେ ଚୀନ୍ ଭଳି ଦେଶ ଅଧିକ ତେଲ କିଣୁଛନ୍ତି ଏବଂ ଏପରି ଟିକସ ତାଙ୍କ ପାଇଁ ଲାଗୁ ହୋଇନାହିଁ । ସେ ଏହା ମଧ୍ୟ କହିଛନ୍ତି ଯେ ଯୁଦ୍ଧ ସମୟରେ ଭାରତ ପରିବର୍ତ୍ତେ ପାକିସ୍ତାନକୁ ସମର୍ଥନ କରି ଆମେରିକା ଏକ ବଡ଼ ରଣନୈତିକ ଭୁଲ କରିଛି ।