ନୂଆଦିଲ୍ଲୀ: ନାବାଳକ, ନାବାଳିକାଙ୍କ ପାଇଁ ସୋସିଆଲ୍ ମିଡିଆ ବ୍ୟାନ୍ କଲେ ଅଷ୍ଟ୍ରେଲିଆ ସରକାର। ଏନେଇ ଅଷ୍ଟ୍ର୍ରେଲିଆ ସଂସଦରେ ଏକ ବିଲ୍ ପାସ୍ ହୋଇଛି। ବିଲ୍ରେ ଥିବା ନିୟମ ଅନୁସାରେ ୧୬ ବୟସରୁ କମ ବୟସ ପିଲାଙ୍କ ପାଇଁ ସୋସିଆଲ୍ ମିଡିଆ ବ୍ୟବହାର ବ୍ୟାନ୍ କରାଯାଇଛି। ତେବେ ୟୁଟ୍ୟୁବ୍ ଓ ହ୍ୱାଟ୍ସଆପ୍ ଭଳି ସୋସିଆଲ୍ ମିଡିଆ ପାଇଁ କିଛି କ୍ଷେତ୍ରରେ କୋହଳ କରାଯାଇଛି।
ବୁଧବାର ସଂସଦର ନିମ୍ନ ସଦନରେ ପ୍ରଥମେ ଏହି ବିଲ୍ ପାସ ହୋଇଥିବା ବେଳେ ଗୁରୁବାର ସିନେଟ୍ର ମଧ୍ୟ ସର୍ବସମ୍ମତି କ୍ରମେ ବିଲ୍ ପାସ କରାଯାଇଛି। ଖୁବ୍ଶୀଘ୍ର ଏହା ଆଇନରେ ପରଣତି ହୋଇ କାର୍ଯ୍ୟକାରୀ କରାଯିବ। ଆଇନ ଅନୁସାରେ, କମ୍ପାନୀମାନେ ମଧ୍ୟ ନିଜର ଦାୟିତ୍ୱ ନିର୍ବାହ କରିବେ। ୧୬ ବର୍ଷରୁ କମ ବୟସର ପିଲାଙ୍କୁ କୌଣସି ସୋସିଆଲ ମିଡିଆ ଆକାଉଣ୍ଟ ଖୋଲିବାକୁ ଦେବେ ନାହିଁ। ଯଦି ନିୟମର ଅବମାନନା କରାଯାଏ ତେବେ କମ୍ପାନୀଗୁଡ଼ିକ ଉପରେ ୫୦ ମିଲିଅନ ଅଷ୍ଟ୍ରେଲିଆ ଡଲାର (୩୨.୫ ମିଲିଅନ ଆମେରିକୀୟ ଡାଲର) ଫାଇନ ଲଗାଯିବ ବୋଲି ଅଷ୍ଟ୍ରେଲିଆର ପ୍ରଧାନ ମନ୍ତ୍ରୀ ଏନ୍ଥୋନି ଆଲବାନୀ ଘୋଷଣା କରିଛନ୍ତି।
ପାସ୍ ହୋଇଥିବା ବିଲ୍ରେ ଅନୁସାରେ ୧୬ ବର୍ଷ ବୟସରୁ କମ ବୟସର ପିଲା ଫେସବୁକ, ଇନଷ୍ଟାଗ୍ରାମ, ଟିକ୍ଟକ୍ ଓ ଏକ୍ସ ଭଳି ଲୋକପ୍ରିୟ ସୋସିଆଲ୍ ମିଡିଆ ବ୍ୟବହାର କରିପାରିବେ ନାହିଁ। ତେବେ ଏହା ପୂର୍ବରୁ ଅଷ୍ଟ୍ରେଲିଆ ସରକାର ଏହାକୁ ନେଇ ଏକ ସର୍ଭେ କରିଥିଲେ। ଉକ୍ତ ସର୍ଭେକୁ କେତେକ ଓକିଲ ଓ ଶିଶୁ ଅଧିକାରୀ ବିରୋଧ କରିଥିବା ବେଳେ ଦେଶର ୭୭ ପ୍ରତିଶତ ଲୋକେ ସମର୍ଥନ କରିଥିଲେ। ଅନ୍ୟପଟେ ଆସନ୍ତା ବର୍ଷ ଅଷ୍ଟ୍ରେଲିଆ ନିର୍ବାଚନ ଥିବାରୁ ଏହା ଆନ୍ଥୋନୀଙ୍କ ଏକ ନିର୍ବାଚନୀ ଷ୍ଟଣ୍ଟ ବୋଲି କୁହାଯାଉଛି।
ନାବାଳକଙ୍କ ପାଇଁ ସୋସିଆଲ୍ ମିଡିଆ ବ୍ୟବହାରରେ କଟକଣା ନୂଆ ନୁହେଁ। ଏହା ପୂର୍ବରୁ ଫ୍ରାନ୍ସ ଓ ଆମେରିକାର କେତୋଟି ରାଜ୍ୟରେ ମଧ୍ୟ ଏହି ନିୟମ ରହିଛି। ଏଠାରେ ଅଭିବାବକଙ୍କ ବିନା ଅନୁମତିରେ ନାବାଳକମାନେ ସୋସିଆଲ ମିଡିଆର ବ୍ୟବହାର କରିପାରନ୍ତି ନାହିଁ। କିନ୍ତୁ ଅଷ୍ଟ୍ରେଲିଆରେ ଏହା ଉପରେ ସମ୍ପୂର୍ଣ୍ଣ ବ୍ୟାନ ଲଗାଇଦିଆ ଯାଇଛି।
ତେବେ ଅଷ୍ଟ୍ରେଲିଆ ସରକାରଙ୍କର ଏହି ନିଷ୍ପତ୍ତିରେ ସେଠାକାର କିଶୋର ବର୍ଗ ଖୁସୀ ନଥିବା ନେଇ ସର୍ଭେରୁ ଜଣା ପଡ଼ିଛି। ତେବେ ୟୁଟ୍ୟୁବ ଓ ଗୁଗୁଲ କ୍ଷେତ୍ରରେ କଟକଣା କୋହଳ କରାଯାଇଛି। କାରଣ ବିଭିନ୍ନ ସ୍କୁଲ ଓ ପ୍ରତିଷ୍ଠାନର ଶିକ୍ଷଣ କ୍ଷେତ୍ରରେ ଏହାର ବ୍ୟବହାର କରାଯାଇଥାଏ।
ଅଷ୍ଟ୍ରେଲିଆରେ ଏହି ନିଷେଧାଦେଶ ଜାରି ହେବା ପରେ ଭାରତରେ ଲୋକମାନଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି। ଏହି ଖବର ମିଳିବା ପରେ ସୋସିଆଲ ମିଡିଆରେ ଏହାକୁ ଅନେକ ଏକ ଯୁଗାନ୍ତକାରୀ ପଦକ୍ଷେପ କହିବା ସହିତ ଏହିଭଳି କିଛି ପଦକ୍ଷେପ ଭାରତରେ ଲାଗୁ ହେବା ଦରକାର ବୋଲି ଲୋକମାନେ ମତ ଦେଇଛନ୍ତି।