ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ମାଟିରୁ କକ୍ଷପଥରେ ପହଞ୍ଚିବା ପାଇଁ ପ୍ରୟାସରେ ଉତକ୍ଷେପଣ ହୋଇଥିବା ପ୍ରଥମ ଅଷ୍ଟ୍ରେଲିୟ ନିର୍ମିତ ରକେଟ୍ ଉଡ଼ାଣ ଆରମ୍ଭ ହେବାର ମାତ୍ର ୧୪ ସେକେଣ୍ଡ ପରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ରକେଟ୍ ର ନାମ ଏରିସ୍ ଥିଲା, ଯାହା ଗିଲମୋର୍ ସ୍ପେସ୍ ଟେକ୍ନୋଲୋଜି ଦ୍ୱାରା ଡିଜାଇନ୍ ଏବଂ ନିର୍ମିତ ହୋଇଥିଲା। ଏହି ରକେଟ୍ ଛୋଟ ଉପଗ୍ରହକୁ କକ୍ଷପଥରେ ପହଞ୍ଚାଇବା ପାଇଁ ବନା ଯାଇଥିଲା । ଏହାକୁ କ୍ୱିନ୍ସଲ୍ୟାଣ୍ଡ ରାଜ୍ୟର ଉତ୍ତର ଭାଗରେ ଥିବା ଛୋଟ ସହର ବୋୱେନ୍ ନିକଟସ୍ଥ ଏକ ସ୍ପେସପୋର୍ଟରୁ ଏକ ପରୀକ୍ଷଣ ଉଡ଼ାଣର ଅଂଶ ଭାବରେ ଉତକ୍ଷେପଣ କରାଯାଇଥିଲା।

ଅଷ୍ଟ୍ରେଲିୟ ନ୍ୟୁଜ୍ ଏଜେନ୍ସି ଦ୍ୱାରା ପ୍ରକାଶିତ ଭିଡିଓ ଗୁଡ଼ିକରେ ଦେଖାଯାଇଛି ଯେ, ୨୩ ମିଟର (୭୫ ଫୁଟ) ଲମ୍ବା ରକେଟ୍ ଲଞ୍ଚ ଟାୱାର ଅତିକ୍ରମ କରୁଛି ଏବଂ କିଛି ସମୟ ପାଇଁ ବାୟୁରେ ଘୂରି ବୁଲିବା ପରେ ଅଦୃଶ୍ୟ ହୋଇଯାଉଛି । ଏହା ପରେ, ଲଞ୍ଚ ସ୍ଥାନରୁ ଧୂଆଁର ବାଦଲ ଉଠିବା ଦେଖିବାକୁ ମିଳୁଛି। କୌଣସି ଆହତ ହୋଇଥିବାର ସୂଚନା ଏପର୍ଯ୍ୟନ୍ତ ନାହିଁ । ଏହା ପୂର୍ବରୁ ମେ'ର ଆରମ୍ଭରେ ଏବଂ ଜୁଲାଇ ଆରମ୍ଭରେ, ଗିଲମୋର୍ ସ୍ପେସ୍ ଯାନ୍ତ୍ରିକ ସମସ୍ୟା ଏବଂ ଖରାପ ପାଗ ଯୋଗୁଁ ଲଞ୍ଚକୁ ସ୍ଥଗିତ ରଖିଥିଲା।

କମ୍ପାନୀର ସିଇଓ ଆଡାମ ଗିଲମୋର୍ କହିଛନ୍ତି କି," ମୁଁ ଚାହୁଁଥିଲି ଯେ ରକେଟ୍ ଅଧିକ ସମୟ ପାଇଁ ଉଡ଼ିବ,କିନ୍ତୁ ମୁଁ ଲଞ୍ଚପ୍ୟାଡ୍ ରୁ ଏହାକୁ ଉଡ଼ାଣ କରୁଥିବା ଦେଖି ଖୁସି।" ସେ ଫେବୃଆରୀରେ କହିଥିଲେ ଯେ, ପ୍ରଥମ ପ୍ରୟାସରେ ଏକ ଘରୋଇ କମ୍ପାନୀ ପାଇଁ ସଫଳତାର ସହ କକ୍ଷପଥକୁ ରକେଟ୍ ପଠାଇବା ପ୍ରାୟ ଅସମ୍ଭବ । କମ୍ପାନୀ ପୂର୍ବରୁ କହିସାରିଛି ଯେ, ଯଦି ରକେଟ୍ ଭୂମିରୁ ଉଠିଯାଏ, ତେବେ ଏହାକୁ ସଫଳତା ବୋଲି ବିବେଚନା କରାଯିବ । ବିବୃତ୍ତିରେ ଏହା ମଧ୍ୟ କୁହାଯାଇଛି ଯେ, ପ୍ରକ୍ଷେପଣ ସ୍ଥାନର ଗଠନ ସୁରକ୍ଷିତ ରହିଛି। ସ୍ଥାନୀୟ ହ୍ୱିଟସଣ୍ଡ ଆଞ୍ଚଳିକ ପରିଷଦର ମେୟର ରୟ କଲିନ୍ସ କହିଛନ୍ତି ଯେ ଯଦିଓ ରକେଟ୍ କକ୍ଷପଥରେ ପହଞ୍ଚି ପାରିନାହିଁ, ଏହି ପ୍ରକ୍ଷେପଣ "ଏକ ବଡ ଉପଲବ୍ଧି।