ପୁରୀ,୧୬/୧୨ : ସୋମବାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଚାଷୀଙ୍କ ନିମନ୍ତେ ସଚେତନତା ରଥ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ଶୁଭାରମ୍ଭ କରିଥିଲେ । ଚଳିତ ବର୍ଷ ଧାନ ସଂଗ୍ରହ କାର୍ଯ୍ୟକ୍ରମ ଜିଲ୍ଲାରେ ଆସନ୍ତା ଜାନୁଆରୀ ମାସ ୩ ତାରିଖରୁ ଆରମ୍ଭ ହେବ । କେନ୍ଦ୍ର ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ ଧାନର ସର୍ବନିମ୍ନ ସହାୟକ ମୁଲ୍ୟ କୁଇଣ୍ଟାଲ ପିଛା ୨୩୦୦ ଟଙ୍କା ଅଛି । ଏହା ଉପରେ ରାଜ୍ୟ ସରକାରଙ୍କ ତରଫରୁ ଚାଷୀ ବିକ୍ରି କରିଥିବା ପ୍ରତି କୁଇଣ୍ଟାଲ ପିଛା ୮୦୦ ଟଙ୍କା ଇନପୁଟ୍ ସହାୟତା ରାଶି ପ୍ରଦାନ କରାଯିବ । ଏହିପରି ଭାବେ ପ୍ରତ୍ୟେକ ବିକ୍ରି ହୋଇଥିବା ଧାନ ବାବଦରେ ଚାଷୀ କୁଇଣ୍ଟାଲ ପିଛା ୩୧୦୦ ଟଙ୍କା ପାଇବେ ।
ଏହା ସାଧାରଣ କିସମ ଓ ଏଫଏକ୍ୟୁ ମାନର ଧାନ ନିମନ୍ତେ ପ୍ରଯୁଜ୍ୟ ଅଟେ । ସମସ୍ତ ଚାଷୀ ଧାନକୁ ଭଲ ଭାବରେ ଶୁଖାଇ ଓ ସଫା କରି ମଣ୍ଡିକୁ ଆଣିବା ପାଇଁ ଏହି ରଥ ପ୍ରତ୍ୟେକ ଗ୍ରାମ ବୁଲି ମାଇକ ଓ ପ୍ରଚାର ପତ୍ର ମାଧ୍ୟମରେ ସଚେତନତା ସୃଷ୍ଟି କରିବ । ଏଫଏକ୍ୟୁ ମାନର ଧାନ ସମ୍ବନ୍ଧରେ ମଧ୍ୟ ସଚେତନତା ସୃଷ୍ଟି କରାଯିବ । ନିୟନ୍ତ୍ରିତ ବଜାର କମିଟି, ସାକ୍ଷୀଗୋପାଳ ଓ ନିମାପଡା ତରଫରୁ ଦୁଇଟି ପ୍ରଚାର ରଥ ଏହି ସଚେତନତା କାର୍ଯ୍ୟକ୍ରମ ପାଇଁ ନିୟୋଜିତ ହୋଇଛି । ଏହି ଜିଲ୍ଲାରେ ଆସନ୍ତା ଜାନୁଆରୀ ୩ ତାରିଖରୁ ପିପିଲି, ବ୍ରହ୍ମଗିରି ଓ କୃଷ୍ଣପ୍ରସାଦ ବ୍ଲକ ଅଞ୍ଚଳରେ ମଣ୍ଡି ଆରମ୍ଭ ହେବାର କାର୍ଯ୍ୟକ୍ରମ ରହିଥିବା ବେଳେ ପୁରୀ ସଦର ଓ ସତ୍ୟବାଦୀ ବ୍ଲକ୍ ଅଞ୍ଚଳରେ ଜାନୁଆରୀ ୬ ତାରିଖରୁ ଏବଂ ଅନ୍ୟାନ୍ୟ ବ୍ଲକ୍ ଅଞ୍ଚଳ ଯଥା କଣାସ, ଗୋପ, ଅସ୍ତରଙ୍ଗ, କାକଟପୁର, ନିମାପଡା ଓ ଡେଲାଙ୍ଗ ବ୍ଲକ୍ ଅଞ୍ଚଳରେ ଜାନୁଆରୀ ୭ ତାରିଖରୁ ମଣ୍ଡି ଆରମ୍ଭ ହେବ।
ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶରତ ଚନ୍ଦ୍ର ବେହେରା, ଅତିରିକ୍ତ ଜିଲ୍ଲାପାଳ ପ୍ରୋଟୋକଲ ନୀଳମାଧବ ଭୋଇ, ଜିଲ୍ଲା ଯୋଗାଣ ଅଧିକାରୀ ସୁବୋଧ ହୋତା, ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ, ସମବାୟ ସମିତି ସମୂହର ଉପ ନିର୍ଦ୍ଦେଶକ ସୁନିତା ପତି, ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ପ୍ରଦୀପ କୁମାର ଦାସ, ବରିଷ୍ଠ ସହକାରୀ ନିବନ୍ଧକ ସ୍ବରୂପ କୁମାର କର,ସାକ୍ଷୀ ଗୋପାଳ ନିୟନ୍ତ୍ରିତ ବଜାର କମିଟିର ସମ୍ପାଦକ ଜିତେନ୍ଦୁ ଦାସ, ନିମାପଡା ନିୟନ୍ତ୍ରିତ ବଜାର କମିଟିର ସମ୍ପାଦକ ସୁଶାନ୍ତ ରାଉତ ପ୍ରମୁଖ ଯୋଗ ଦେଇଥିଲେ।