ମୁମ୍ୱାଇ : ମୁମ୍ୱାଇର ଏକ ବିଶେଷ ମକୋକା କୋର୍ଟ ଶନିବାର ବାବା ସିଦ୍ଦିକୀଙ୍କ ହତ୍ୟାକାଣ୍ଡରେ ୮ ଅଭିଯୁକ୍ତଙ୍କୁ ୧୬ ଡିସେମ୍ୱର ଯାଏ ନ୍ୟାୟିକ ହେପାଜତକୁ ପଠାଇ ଦେଇଛନ୍ତି। ମୁମ୍ୱାଇ ପୋଲିସ ଏହି ମାମଲାରେ ଏବେସୁଦ୍ଧା ୨୬ଲୋକଙ୍କୁ ଗିରଫ କରିଛି । ୩୦ ନଭେମ୍ୱରରେ ସମସ୍ତଙ୍କ ବିରୋଧରେ ମହାରାଷ୍ଟ୍ର ସଙ୍ଗଠିତ ଅପରାଧ ନିୟନ୍ତ୍ରଣ ଅଧିନିୟମ (ମକୋକା) ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଅଭିଯୁକ୍ତଙ୍କୁ ପୋଲିସ ରିମାଣ୍ଡ ଶେଷ ହେବା ପରେ ମକୋକା କୋର୍ଟର ସ୍ୱତନ୍ତ୍ର ବିଚାରପତି ଏଏମ୍ ପାଟିଲଙ୍କ ସମ୍ମୁଖରେ ହାଜର କରାଯାଇଛି।

ଏହି ମାମଲାରେ ମୁମ୍ୱାଇ ପୋଲିସ ୨୬ ଅଭିଯୁକ୍ତଙ୍କ ଉପରେ ମହାରାଷ୍ଟ୍ର ସଙ୍ଗଠିତ ଅପରାଧ ନିୟନ୍ତ୍ରଣ (ମକୋକା) ଅନୁସାରେ କଠୋର ଧାରା ଲଗାଇଛି। ମୁମ୍ୱାଇ ପୋଲିସର ଜଣେ ଅଧିକାରୀ କହିଛନ୍ତି ଯେ ବାବା ସିଦ୍ଦିକୀ ହତ୍ୟାକାଣ୍ଡରେ ମକୋକା ଅନୁସାରେ କଠୋର ଧାରା ଲଗାଯାଇଛି। ଏହା ଧ୍ୟାନ ରଖିବା ଗୁରୁତ୍ୱପୂର୍ଣ୍ଣ ଯେ, ମକୋକା ଅନୁସାରେ ପୋଲିସ ସମ୍ମୁଖରେ ଦିଆ ଯାଇଥିବା ବୟାନ କୋର୍ଟରେ ପ୍ରମାଣ ଭାବେ ସ୍ୱୀକାର୍ଯ୍ୟ ଅଛି। ମକୋକା ଅନୁସାରେ କୌଣସି ଅପରାଧ ପାଇଁ ଜାମିନ ନେବା ମଧ୍ୟ ମୁସ୍କିଲ ହୋଇଥାଏ ।
ଏହି ମାମଲାରେ ତିନି ଜଣ ଅଭିଯୁକ୍ତ ଶୁଭମ ରାମେଶ୍ୱର ଲୋନକର , ଜିଶାନ ମହମ୍ମଦ ଅଖତର ଓ ଅନମୋଲ ବିଷ୍ଣୋଇ ୱାଣ୍ଟେଡ୍ ଅଭିଯୁକ୍ତ। ହେଲେ ଅନମୋଲକୁ ଆମେରିକାରେ ଗିରଫ କରାଯାଇଛି। ଭାରତୀୟ ଏଜେନ୍ସିମାନେ ଏହାର ପ୍ରତ୍ୟର୍ପଣ ନେଇ ଚେଷ୍ଟା କରୁଛନ୍ତି। ଅନମୋଲ ଜୀଶାନ ଅଖତର ଜରିଆରେ ଏହି ଜଘନ୍ୟ ହତ୍ୟାକାଣ୍ଡ କରିଛି। ବାବା ସିଦ୍ଦିକୀଙ୍କୁ ମୁମ୍ୱାଇର ବାନ୍ଦ୍ରା ଇଷ୍ଟରେ ଥିବା ତାଙ୍କ ପୁଅ ଜିଶାନ ସିଦ୍ଦିକୀଙ୍କ ଅଫିସ ବାହାରେ ୩ ଆକ୍ରମଣକାରୀ ହତ୍ୟା କରିଥିଲେ।