ଭୁବନେଶ୍ୱର,୨୩/୧୨: ଚନ୍ଦକା କୁମାରଖୁଣ୍ଟି ହାତୀ ପାଠଶାଳାକୁ ନୂଆକରି ଆସିଥିବା ଛୁଆ ହାତୀ ‘ଶମ୍ଭୁ’ ଅସୁସ୍ଥ ହୋଇ ପଡ଼ିଛି । ତା’ ପଛ ଡାହାଣ ଗୋଡ଼ ଜଖମ ହୋଇଥିବା ଜଣାପଡ଼ିଛି । ଡାକ୍ତରୀ ଟିମ୍ଙ୍କୁ ଦ୍ୱାରା ଶମ୍ଭୁର ଚିକିତ୍ସା ଜାରି ରହିଥିବା ଚନ୍ଦକା ବନବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଗତମାସ ୨୪ରେ କେନ୍ଦୁଝର ବନଖଣ୍ଡର ଭୂୟାଁ ଜୁଆଙ୍ଗ ପୀଢ଼ (ବିଜେପି) ବନାଞ୍ଚଳର ଶୁକଡୋଳା ଖସରା ଜଙ୍ଗଲରେ ଛୁଆ ହାତୀଟି ଏକ ପରିତ୍ୟକ୍ତ କୂଅରେ ପଡିଯାଇଥିଲା । ଖବରପାଇ ବନବିଭାଗ ଜେସିବି ଦ୍ୱାରା ତାକୁ ଉଦ୍ଧାର କରି ଜଙ୍ଗଲରେ ଛାଡ଼ି ଦେଇଥିଲା । ହେଲେ ହାତୀ ଛୁଆକୁ ମା’ ହାତୀ କିମ୍ବା ପଲ ଆଉ ଗୋଠରେ ପୁରାଇ ନଥିଲେ । ବନ କର୍ମଚାରୀମାନେ ଛୁଆ ହାତୀକୁ ପଲରେ ଛାଡ଼ିବା ପାଇଁ ଉଦ୍ୟମ କରିଥିଲେ ମଧ୍ୟ ବିଫଳ ହୋଇଥିଲେ । ଶେଷରେ ଚଳିତମାସ ୧ ତାରିଖରେ ହାତୀ ଶାବକକୁ ପଦ୍ମପୁରସ୍ଥିତ ହାତୀ ଯତ୍ନ କେନ୍ଦ୍ରରେ ରଖା ଯାଇଥିଲା । ସେଠାରେ ବନ କର୍ମଚାରୀମାନେ ତା’ ନାମ ‘ଶମ୍ଭୁ’ ରଖିଥିଲେ ।
ଶମ୍ଭୁକୁ କୁମ୍କୀ ପ୍ରଶିକ୍ଷଣ ଦେବା ପାଇଁ ପିସିସିଏଫ୍ ନିଷ୍ପତ୍ତି ନେବା ପରେ କେନ୍ଦୁଝର ବନବିଭାଗ ପକ୍ଷରୁ ଗତ ୧୪ ତାରିଖରେ ଶମ୍ଭୁକୁ ଏକ ସ୍ୱତନ୍ତ୍ର ଗାଡ଼ିରେ ଆଣି କୁମାରଖୁଣ୍ଟି ହାତୀ ପାଠଶାଳାରେ ଛଡ଼ା ଯାଇଥିଲା । ଏଠାରେ ଥିବା ଅନ୍ୟ ୭ କୁମ୍କୀ ହାତୀ ‘ଚନ୍ଦୁ’, ‘ସୀମା’, ‘ଜଗା’, ‘ଉମା’, ‘କାହ୍ନା’, ‘ରାଧିକା’ ଓ ‘କାର୍ତ୍ତିକ’ଙ୍କ ସହ ଶମ୍ଭୁକୁ କୁମକୀ ପ୍ରଶିକ୍ଷଣ ଦିଆଯାଉଛି । ମାତ୍ର ୬ ମାସର ଛୁଆ ହାତୀ ଶମ୍ଭୁ ଏଠାରେ ଥିବା ଅନ୍ୟ ହାତୀମାନଙ୍କ ଠାରୁ ସବୁଠାରୁ ଛୋଟ ଥିବାରୁ ମାହୁନ୍ତଙ୍କ ଠାରୁ ଆରମ୍ଭ କରି ବନ କର୍ମଚାରୀଙ୍କର ସେ ଗେହ୍ଲା ଥିଲା ।
ତେବେ ଗତକାଲି ଠାରୁ ଶମ୍ଭୁ ଭଲରେ ଚଲାବୁଲା କରୁ ନଥିବା ବେଳେ ଆଜି ସକାଳେ ହଠାତ୍ ଅସୁସ୍ଥ ହୋଇ ପଡ଼ିଥିଲା । ପଛ ଡାହାଣ ଗୋଡ଼ ଘୋଷାଡ଼ି ଘୋଷାଡ଼ି ଚାଲିବା ସହ ହଠାତ୍ ତଳେ ଶୋଇ ପଡ଼ିଥିଲା । ତାର ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ କରିବାକୁ ସ୍ଥାନୀୟ ପଶୁ ଡାକ୍ତରଙ୍କୁ ଡକା ଯାଇଥିଲା। ଏକ ସ୍ୱତନ୍ତ୍ର ଡାକ୍ତରୀ ଟିମ୍ଙ୍କ ଦ୍ୱାରା ଶମ୍ଭୁକୁ ସାଲାଇନ୍ ଦିଆଯିବା ସହ ନିରୀକ୍ଷଣରେ ରଖାଯାଇଛି ।