ଭୁବନେଶ୍ୱର/ଚନ୍ଦକା, ୨୪/୧୨ : ଚନ୍ଦକା କୁମାରଖୁଣ୍ଟି ହାତୀ ପାଠଶାଳାରେ ୬ ମାସର ମା’ ଛେଉଣ୍ଡ ଛୁଆ ହାତୀ ‘ଶମ୍ଭୁ’ର ମୃତ୍ୟୁ ଘଟିଛି । କେଉଁ ରୋଗରେ ଆକ୍ରାନ୍ତ ହୋଇ ଶମ୍ଭୁର ମୃତ୍ୟୁ ହେଲା, ତାହା ବନବିଭାଗ କହିପାରୁନି । ଓୟୁଏଟିର ୫ ଜଣିଆ ଡାକ୍ତର ଟିମ ଦ୍ୱାରା ହାତୀ ଛୁଆର ଶବ ବ୍ୟବଚ୍ଛେଦ କରାଯାଇ ତାକୁ ଜଙ୍ଗଲରେ ପୋତି ଦିଆଯାଇଛି । ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଶମ୍ଭୁ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି ବନବିଭାଗ ସଫେଇ ଦେଇଛି । ସେପଟେ ଶମ୍ଭୁକୁ ଉପଯୁକ୍ତ ଚିକିତ୍ସା ନ କରି ତାକୁ ମାରିଦିଆଗଲା ବୋଲି ବନ୍ୟପ୍ରାଣୀ ବିଶେଷଜ୍ଞମାନେ ମତ ଦେଇଛନ୍ତି ।
ରୋଗ ଜାଣିପାରିଲେନି
ଶମ୍ଭୁ ସୋମବାର ହଠାତ୍ ଅସୁସ୍ଥ ହୋଇ ପଡ଼ିଲା ବୋଲି ଚନ୍ଦକା ବନବିଭାଗ ପକ୍ଷରୁ କୁହାଗଲା। ଶମ୍ଭୁର ପଛଗୋଡ଼ରେ ଅସୁବିଧା ଅଛି, ତା’ର ଚିକିତ୍ସା ଚାଲିଛି । ସାଲାଇନ୍ ଦିଆଯିବା ସହ ତାକୁ ନିରୀକ୍ଷଣରେ ରଖା ଯାଇଛି ବୋଲି କୁହା ଯାଇଥିଲା । ହେଲେ ରାତିକ ଭିତରେ କ’ଣ ଘଟିଲା ଯେ, ସକାଳ ସାଢ଼େ ୭ଟାବେଳେ ହଠାତ୍ ତା’ର ମୃତ୍ୟୁ ଘଟିଥିବା ବନବିଭାଗ ପକ୍ଷରୁ ସୂଚନା ଦିଆଗଲା । ସଫେଇ ଦିଅଗଲା କି, ତା’ର ଉନ୍ନତ ଚିକିତ୍ସା ପାଇଁ ନନ୍ଦନକାନନ ନିଆଯିବା ପାଇଁ ଯୋଜନା ହୋଇଥିଲା । କିନ୍ତୁ ତା’ ପୂର୍ବରୁ ସେ ଆଖିବୁଜିଦେଲା । ଶମ୍ଭୁକୁ ତୁରନ୍ତ ନନ୍ଦନକାନନ ନିଆ ନ ଯାଇ କିମ୍ବା ଓୟୁଏଟିରୁ ବିଶେଷଜ୍ଞ ଡାକ୍ତରଙ୍କୁ ନ ଡାକି ନିକଟରେ ରହୁଥିବା ଜଣେ ଅନଭିଜ୍ଞ ପଶୁ ଡାକ୍ତରଙ୍କୁ ଡକାଇ ତା’କୁ କେବଳ ସାଲାଇନ୍ ଦିଆଯାଇଥିଲା । ତେଣୁ ଉପଯୁକ୍ତ ଚିକିତ୍ସା ନ ପାଇ ଛୁଆ ହାତୀଟିର ମୃତ୍ୟୁ ଘଟିଲା ବୋଲି ବନ୍ୟପ୍ରାଣୀ ବିଶେଷଜ୍ଞମାନେ ମତ ଦେଇଛନ୍ତି ।
ଆସୁ ଆସୁ କୁମ୍କୀ ପ୍ରଶିକ୍ଷଣରେ ସାମିଲ କରିଦେଲେ
କେନ୍ଦୁଝରରୁ ଏକ ପରିତ୍ୟକ୍ତ କୂଅରୁ ଉଦ୍ଧାର ହୋଇଥିବା ଶମ୍ଭୁକୁ ମା’ ହାତୀ ଆଉ ଗ୍ରହଣ ନ କରିବାରୁ ଗତ ୧୪ ତାରିଖରେ ଏହି ପାଠଶାଳାକୁ ଅଣା ଯାଇଥିଲା । ତା’ ସ୍ୱାସ୍ଥ୍ୟାବସ୍ଥା ଭଲରେ ପରୀକ୍ଷା ନ କରି କିମ୍ବା ଏଠାରେ ତାକୁ କିଛିଦିନ ବିଶ୍ରାମ ଦିଆ ନ ଯାଇ ପ୍ରତ୍ୟେହ ତାକୁ କୁମ୍କୀ ପ୍ରଶିକ୍ଷଣରେ ସାମିଲ କରା ଯାଇଥିଲା । ଫଳରେ ଶରୀରରେ କୌଣସି ଆଭ୍ୟନ୍ତରୀଣ ରୋଗରେ ଆକ୍ରାନ୍ତ ହୋଇ ସେ ମୃତ୍ୟୁବରଣ କଲା ବୋଲି ମଧ୍ୟ ଅଭିଯୋଗ ହୋଇଛି ।
୫ ମାସରେ ମଲେଣି ୩ ଛୁଆ ହାତୀ
ଏହା ପୂର୍ବରୁ ଗତ ୫ ମାସ ମଧ୍ୟରେ ଏହି ପାଠଶାଳାରେ ଦୁଇ ଦୁଇଟି ଛୁଆ ହାତୀଙ୍କର ଚିକିତ୍ସା ଅବହେଳାରୁ ମୃତ୍ୟୁ ଘଟିଥିଲା । ଗତବର୍ଷ ମାର୍ଚ୍ଚ ୨୮ରେ ନନ୍ଦନକାନନର ଗେହ୍ଲା ହାତୀ ୭ ବର୍ଷର ‘ମାମା’ ହାତୀ ଏଠାରେ କୁମ୍କୀ ପ୍ରଶିକ୍ଷଣ ନେଉଥିବାବେଳେ ତା’ର ମୃତ୍ୟୁ ଘଟିଥିଲା । ମାମା ହର୍ପିସ ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କଲା ବୋଲି କୁହାଗଲା । ଯଦି ହର୍ପିସ ରୋଗରେ ସେ ଆକ୍ରାନ୍ତ ଥିବା ଜଣା ପଡ଼ିଥିଲା, ତେବେ ତା’ର ଉପଯୁକ୍ତ ଚିକିତ୍ସା କରାଗଲାନି କାହିଁକି ବୋଲି ପ୍ରଶ୍ନ ଉଠିଥିଲା । ସେହିପରି ବଲାଙ୍ଗୀର ବନଖଣ୍ଡ ଦେଓଗାଁ ବନାଞ୍ଚଳରୁ ଉଦ୍ଧାର ହୋଇଥିବା ହାତୀ ଛୁଆ ‘କମଳା’ର ଗତବର୍ଷ ସେପ୍ଟେମ୍ବର ୨ରେ ମୃତ୍ୟୁ ଘଟିଥିଲା । ପାଚିଲା ତାଳ ଖାଇବା ସମୟରେ ତା’ ତଣ୍ଟିରେ ଲାଖି ରହି ସଂକ୍ରମଣ ଯୋଗୁଁ ସେ ମରିଗଲା ବୋଲି କୁହାଗଲା । ତାକୁ ମଧ୍ୟ ଉପଯୁକ୍ତ ଚିକିତ୍ସା ନ କରି ମାରି ଦିଆଗଲା ବୋଲି ଅଭିଯୋଗ ଉଠିଥିଲା ।
ହାତୀ ଯତ୍ନକେନ୍ଦ୍ରରେ ନାହାଁନ୍ତି ଅଭିଜ୍ଞ ଡାକ୍ତର
ଏହି ହାତୀ ପାଠଶାଳାରେ କୁମ୍କୀ ପ୍ରଶିକ୍ଷଣ ପାଇଁ ଆସାମୀ ମାହୁନ୍ତଙ୍କ ଠାରୁ ଆରମ୍ଭ କରି ଓଡ଼ିଆ ମାହୁନ୍ତଙ୍କୁ ମିଶାଇ ୧୬ ମାହୁନ୍ତଙ୍କୁ ନିୟୋଜିତ କରାଯାଇଛି । ସେମାନଙ୍କ ପିଛାରେ ମାସକୁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଉଛି । ହାତୀଙ୍କ ଖାଇବା ପିଇବା ଠାରୁ ଆରମ୍ଭ କରି ବିଭିନ୍ନ ବାବଦରେ ଅଜସ୍ର ଟଙ୍କା ଖର୍ଚ୍ଚ ହେଉଛି । ତେବେ କେବଳ ଉଠୁ ବସ୍ ଓ ସଲାମ୍ରେ ସେମାନଙ୍କ କୁମ୍କୀ ପ୍ରଶିକ୍ଷଣ ସୀମିତ ରହିଛି । ଅଥଚ ହାତୀ ଯତ୍ନକେନ୍ଦ୍ରରେ ଜଣେ ଅଭିଜ୍ଞ ଏବଂ ଦକ୍ଷ ପଶୁ ଡାକ୍ତରଙ୍କୁ ନିଯୁକ୍ତି ଦିଆଯାଇ ନାହିଁ । ଏଠି ହାତୀ କୌଣସି ରୋଗରେ ଆକ୍ରାନ୍ତ ହେବାପରେ ଶେଷ ମୁହୂର୍ତ୍ତରେ ନନ୍ଦନକାନନ କିମ୍ବା ଓୟୁଏଟି ଡାକ୍ତରଙ୍କୁ ଖୋଜା ପଡ଼ୁଛି । ଫଳରେ ଉପଯୁକ୍ତ ଚିକିତ୍ସା ନ ପାଇ ଅକାଳରେ ହାତୀଙ୍କ ଜୀବନ ଯାଉଛି ବୋଲି ପ୍ରାଣୀପ୍ରେମୀମାନେ ମତପ୍ରକାଶ କରିଛନ୍ତି ।
ଏହି ଖବରଟିକୁ ପଢନ୍ତୁ- ହାତୀ ପାଠଶାଳାରେ ‘ଶମ୍ଭୁ’ ଅସୁସ୍ଥ, ଡାକ୍ତରୀ ଟିମ୍ଙ୍କ ଦ୍ୱାରା ଚିକିତ୍ସା ଜାରି