ମାଲକାନଗିରି, ୬/୭ (ଆ.ପ୍ର); ବଣପାହଡ ଘେରା ବନାନିର ବନବାସୀଙ୍କ ପାଇଁ ପ୍ରକୃତି ମେଳି ଦେଇଛି ଜଙ୍ଗଲଜାତର ପସରା । ଆଉ ଯୋଗାଇ ଦେଇଛି ବର୍ଷକ ୧୨ ମାସପାଇଁ ପେଟକୁ ଦାନା । ଆଦିବାସୀଙ୍କ ପେଟର ଭୋକ ମେଟାଂଇବାକୁ ପ୍ରକୃତି ସାଇତି ରଖିଛି ଅନେକ ପ୍ରକାର ଜଙ୍ଗଲଜାତ ଦ୍ରବ୍ୟ । ସେଥିମଧ୍ୟରୁ ସର୍ଗୀ(ଶାଳ)ଗଛ ଅନ୍ୟତମ। ଖରା ଦିନେ ଏହି ଗଛରୁ ଫୁଲ ଓ ମଞ୍ଜି ସଂଗ୍ରହକରି ସାରିବାପରେ ବର୍ଷାଦିନେ ଗରିବ ଆଦିବାସୀ ମାନେ ଗଛ ମୂଳରୁ ବଡା ଛତୁ ସଂଗ୍ରହ କରି ନିଜପରିବାର ପାଇଁ ୩ମାସର ଦାନା ଯୋଗାଡକରିଥାନ୍ତି ।
ମାଲକାନଗିରି ଜିଲ୍ଲାରେ ପ୍ରଚୁର ପରିମାଣରେ ଶାଳଗଛ ଭରପୁର । ଏହାକୁ ଆଦିବାସୀମାନେ ସର୍ଗୀ ଗଛ ବୋଲି କହିଥାନ୍ତି । ଏହିଗଛରେ ଫୁଲରପସରା ମେଲି ମେ ମାସ ଶେଷପର୍ଯ୍ୟନ୍ତ ଫୁଲ ଫୁଟିଥାଏ। ବିଭିନ୍ନ ଗାଁର ଆଦିବାସୀ ଲୋକେ ପିଲାଛୁଆ ଧରି ସକାଳୁ ନିକଟସ୍ଥ ଜଙ୍ଗଲକୁ ଯାଇ ଶାଳ ଫୁଲ ସଂଗ୍ରହକରି ଘରକୁ ଆଣିଥାନ୍ତି । ଫୁଲକୁ ପୋଡି ସେଥିରୁ ମଞ୍ଜି ବାହର କରିଥାନ୍ତି। ଏହାକୁ ଖରାରେ ଶୁଖାଇ ବିକ୍ରି ଯୋଗ୍ୟ କଲାପରେ ଗାଁ ପାଖ ହାଟକୁ ମୁଣ୍ଡାଇ ନେଇଥାନ୍ତି । ଶାଳମଞ୍ଜି ଆଦିବାସୀ ଅଚଂଳର ଏକ ପ୍ରମୁଖ ବନଜାତ ଦ୍ରବ୍ୟ। ଗଛରୁ ଫୁଲ ମଞ୍ଜି ସରିଗଲାପରେ, ବର୍ଷାହେଲେ ଗଛମୂଳେ ଛତୁ ଫୁଟିଥାଏ। ଏହି ଛତୁକୁ ସାଧାରଣତ ଆଦିବାସୀମାନେ ବଡାଛତୁ ବୋଲି କହିଥାନ୍ତି ।ଏହି ଛତୁ ଦେଖିବାକୁ ଠିକ୍ କୁଣ୍ଡା ଛତୁ ଭଳି ଧଳା ମାଟିଆ ଗୋଲ ଗୋଲ,ଅନ୍ୟାନ ଛତୁ ଠାରୁ ଏହା ଅତ୍ୟନ୍ତ ସ୍ୱାଦିଷ୍ଠ ଥିବାରୁ ହାଟବଜାରରେ ବଡାଛତୁର ଚାହିଦା ଅଧିକ ଓ ଅଧିକ ଦାମରେ ବିକ୍ରୀହୋଇଥାଏ ।
ଆଦିବାସୀ ମାନେ ସକାଳୁ ଡାଲା ପାଛିଆ ଧରି ଜଙ୍ଗଲକୁ ଚାଲିଯାଆନ୍ତି। ଶାଳଗଛ ଖୋଜି ଖୋଜି ତାର ମୂଳକୁ ଏକ ଲୁହାପାତିଆରେ ବାରେଇଥାନ୍ତି। ଉପରୁ କିଛି ମାଟି ଉଠିଗଲାପରେ ଦେଖିଥାନ୍ତି ବଡାଛତୁକୁ। ଦିନତମାମ ବୁଲି କେହି ୩୦୦ ଗ୍ରାମ ତ ଆଉକିଏ ୫୦୦ ଗ୍ରାମ ପର୍ଯ୍ୟନ୍ତ ଛତୁ ସଂଗ୍ରହ କରିଥାନ୍ତି । ହାଟ ବଜାରରେ ଶାଳପତ୍ର ଦନାରେ ଛତୁରଖି ଗୋଟିଏ କୁଡିଆକୁ୫୦ଟଙ୍କା ମୂଲ୍ୟରେ ବିକ୍ରୀ କରିଥାନ୍ତି । ଜଣେ ଜଣେ ଲୋକ ଦିନକୁ ବଡାଛତୁ ବିକ୍ରୀକରି ପ୍ରାୟ ୧୦୦୦ରୁ ୨୦୦୦ଟଙ୍କା ଲେଖା ରୋଜଗାର କରିଥାନ୍ତି ।
ବର୍ଷାଦିନେ ଅନେକପ୍ରକାର ଛତୁ ଫୁଟିଥାଏ ହେଲେ ଅନ୍ୟାନ ଛତୁ ଠାରୁ ବଡାଛତୁରେ ଔଷଧୀୟ ଗୁଣ ଥାଇ ଏହା ନିରୋଗ । ମାଂସ ତରକାରି ପରି ସୁସ୍ୱାଦୁ ହୋଇଥିବା ରୁ ଅଧିକ ଦାମ ହୋଇଥିଲେ ମଧ୍ୟ ଏହି ଛତୁର ବଜାରରେ ଅଧିକ ଚାହିଦା ଥାଏ । ବେପାରିମାନେ ଗାଁ ଗହଳରୁ ଆଦିବାସୀମାନଙ୍କ ଠାରୁ ବଡା ଛତୁକୁ କମ୍ ମୂଲ୍ୟରେ କିଣିନେଇ ତାକୁ ସଫାସୁତୁରା କରି ଦୋକାନ ବଜାରରେ କିଲୋପିଛା, ୭୦୦ରୁ ୮୦୦ଟଙ୍କା ଦରରେ ବିକ୍ରୀ କରି ବେସ ଲାଭବାନ ହୋଇଥାନ୍ତି । ଗରିବ ଲୋକମାନେ ଜଙ୍ଗଲ ଜାତ ଦ୍ରବ୍ୟ ଉପରେ ନିର୍ଭରକରି ନିଜର ପରିବାର ପ୍ରତିପୋଷଣ କେଉଁ ଆବାହନକାଳରୁ କରିଆସୁଛନ୍ତି । ତେଣୁ ଗରିବ ଆଦିବାସୀ ମାନେ ବଣ ଜଙ୍ଗଲକୁ ନିଜର ମା ଭଳି ଡଙ୍ଗର ଦେବୀ କହି ପୂଜାକରିଥାନ୍ତି ।