ନୂଆଦିଲ୍ଲୀ,୨୭/୦୩; ସ୍ପେନର ପ୍ରସିଦ୍ଧ ବ୍ୟାଡମିଣ୍ଟନ ଖେଳାଳି କାରୋଲିନା ମାରିନ ଅବସର ଘୋଷଣା କରିଛନ୍ତି । ବିଶ୍ୱର ସବୁଠୁ ସଫଳ ମହିଳା ବ୍ୟାଡମିଣ୍ଟନ ଖେଳାଳି ଭାବେ ପରିଚିତ ମାରିନ ଗତ ପ୍ୟାରିସ୍ ଅଲିମ୍ପିକ୍ସ ପରଠୁ ଅର୍ନ୍ତଜାତୀୟ ପ୍ରତିଯୋଗିତାରେ ଭାଗ ନେଇ ନାହାନ୍ତି । ଆଣ୍ଠୁରେ ଆଘାତ ଓ ଅସ୍ତ୍ରୋପଚାର ପରଠୁ ସେ ଗତ ୨ବର୍ଷ ହେଲା କୋର୍ଟକୁ ଓହ୍ଲାଇ ନପାରି ଶେଷରେ ଅବସର ନେଇଛନ୍ତି । ସେ କହିଛନ୍ତି ଯେ, ସେ ତାଙ୍କ କ୍ୟାରିୟରକୁ ଭିନ୍ନ ଭାବରେ ଶେଷ କରିବାକୁ ଚାହୁଁଥିଲେ, କିନ୍ତୁ ପରିସ୍ଥିତି ତାଙ୍କୁ ଏପରି କରିବାକୁ ବାଧା ଦେଇଥିଲା । ଭାରତୀୟ ତାରକା ପିଭି ସିନ୍ଧୁଙ୍କ ସହ ତାଙ୍କର ପ୍ରତିଦ୍ୱନ୍ଦ୍ୱିତା ବ୍ୟାଡମିଣ୍ଟନ ଇତିହାସରେ ସବୁଠାରୁ ବଡ଼ ମ୍ୟାଚ ମଧ୍ୟରୁ ଗୋଟିଏ । ୨୦୧୬ ରିଓ ଅଲିମ୍ପିକ୍ସ ବ୍ୟାଡମିଣ୍ଟନ ସିଙ୍ଗଲ୍ସ ଫାଇନାଲରେ ସିନ୍ଧୁଙ୍କ ପରାସ୍ତ କରି ସ୍ୱର୍ଣ୍ଣ ପଦକ ଜିତିଥିଲା ମାରିନ ।

ସେ ପ୍ରଥମ ଏସିଆ ବାହାର ମହିଳା ଖେଳାଳି ଭାବେ ୨୦୧୬ ରିଓ ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ । ପ୍ରଥମ ମହିଳା ଖେଳାଳି ଭାବେ ୩ଥର ବିଶ୍ୱ ଚାମ୍ପିଅନ୍ସିପ ଟାଇଟଲ (୨୦୧୪, ୨୦୧୫ ଓ ୨୦୧୮) ହାସଲ କରିଥିଲେ । ଖାଲି ସେତିକି ନୁହେଁ ସେ ୭ଥର ୟୁରୋପୀୟ ଚାମ୍ପିଅନ୍ ଆଖ୍ୟା ଅର୍ଜନ କରିଛନ୍ତି । ୧୫ ବର୍ଷର କ୍ୟାରିୟର ମଧ୍ୟରେ ସେ ୬୬ ସପ୍ତାହ ଧରି ମାନ୍ୟତା ତାଲିକାର ଶୀର୍ଷ ସ୍ଥାନ ହାସଲ କରିଥିଲେ । ମାରିନ ଆଜି ସୋସିଆଲ ମିଡ଼ିଆ ଜରିଆରେ ଅବସର ଘୋଷଣା କରିଥିଲେ । ସେ ଲେଖିଥିଲେ, ‘ଭାଗ୍ୟ ସବୁବେଳେ ସାଥ୍ ଦିଏନି । ଯେଉଁଭଳି ଭାବେ ଅବସର ନେବାକୁ ଚାହୁଁଥିଲି, ତାହା ହୁଏତ ମୋ ଭାଗ୍ୟରେ ନଥିଲା । ଏହା ମୋତେ ଗ୍ରହଣ କରିବାକୁ ହେବ ।’

ଏହା ବି ପଢନ୍ତୁ...ଆଇପିଏଲକୁ ୧ଦିନ ; ମାର୍ଚ୍ଚ ୨୮ରୁ ମେ’୨୪ ଯାଏ ୭୦ ମ୍ୟାଚ, ସିଏସକେ-ମୁମ୍ବାଇ ଡେବଲ ହେଡର

ସୂଚନାଯୋଗ୍ୟ, ମାରିନ ଆଗାମୀ ୟୁରୋପୀୟ ଚାମ୍ପିଅନସିପ ଖେଳି ଅବସର ନେବାକୁ ଯୋଜନା କରିଥିଲେ । ହେଲେ ସଠିକ ସମୟରେ ସେ ଫିଟ୍ ହୋଇ ପାରି ନଥିବାରୁ ଅବସର ନେଇଛନ୍ତି ।କାରୋଲିନା ମାରିନଙ୍କ ଅବସରରେ ବ୍ୟାଡମିଣ୍ଟନର ଏକ ସ୍ବର୍ଣ୍ଣିମ ଯୁଗର ଅନ୍ତ ହୋଇଛି । ସେ କେବଳ ଟ୍ରଫି ନୁହେଁ ତାଙ୍କ ଖେଳ ଏବଂ ଆଗ୍ରହ ସହ ବିଶ୍ୱର ଖେଳାଳିମାନଙ୍କୁ ପ୍ରେରଣା ଦେଇଛନ୍ତି ।