ବେଙ୍ଗାଲୁରୁ,୦୭/୦୪: ବେଙ୍ଗାଲୁରୁରେ  ୧୬ ବର୍ଷୀୟା ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗରେ ଜଣେ ୨୬ ବର୍ଷୀୟ  ବ୍ୟାଡମିଣ୍ଟନ କୋଚଙ୍କୁ ଗିରଫ କରାଯାଇଛି ।  ତାଙ୍କ ଫୋନ୍‌ରୁ ଅନ୍ୟ ୮ ନାବାଳିକାଙ୍କ  ଅଶ୍ଳୀଳ ଫଟୋ ମଧ୍ୟ ଜବତ ହୋଇଛି ।  ଅଭିଯୁକ୍ତଙ୍କ ନାମ ସୁରେଶ ବାଲାଜୀ।  ଘର ତାମିଲନାଡୁରେ । ସେ ଏକ  ସ୍ଥାନୀୟ କୋଚିଙ୍ଗ୍‌ ସେଣ୍ଟରରେ କାର୍ଯ୍ୟ  କରୁଛନ୍ତି । 

ଅଭିଯୋଗ ମୁତାବକ, ପୀଡ଼ିତା  ନାବାଳିକା ୨ ବର୍ଷ ତଳେ କୋଚିଂ ସେଣ୍ଟରରେ  ଯୋଗଦେଇଥିଲେ । ଦିନେ ସୁରେଶ  ନାବାଳିକାଙ୍କୁ ତାଲିମ ଦେବା ବାହାନାରେ ନିଜ  ଘରକୁ ନେଇଯାଇଥିଲେ । ସେଠାରେ ତାଙ୍କୁ  ଦୁଷ୍କର୍ମ କରିଥିଲେ । କାହାକୁ ନ କହିବା  ପାଇଁ ସେ ଧମକ ବି ଦେଇଥିଲେ । ଏହାପରେ ଛୁଟି ଯୋଗୁ ନାବାଳିକା ଜଣକ ନିଜ ଆଈଘରକୁ ବୁଲିବାକୁ ଯାଇଥିଲେ । ସେ ଭୁଲରେ ତାଙ୍କ  ଆଈଙ୍କ ଫୋନ୍‌ରୁ କୋଚ ସୁରେଶଙ୍କୁ ଏକ ଅଶ୍ଳୀଳ ଫଟୋ ପଠାଇ ଦେଇଥିଲେ । ଆଈ  ତାହା ଦେଖିନେବା ପରେ ନାବାଳିକାଙ୍କ  ପିତାମାତାଙ୍କୁ ଅବଗତ କରିଥିଲେ । ଏହାପରେ  ସେମାନେ ପୁଲିସରେ ଅଭିଯୋଗ କରିଥିଲେ । ଅଭିଯୋଗକୁ ଆଧାର କରି ପୁଲିସ ତାଙ୍କୁ  ଗିରଫ କରିଛି । କୋର୍ଟ ତାଙ୍କୁ ୮ ଦିନ ପାଇଁ ପୁଲିସ ରିମାଣ୍ଡରେ ପଠାଇଛନ୍ତି ।