ପାତ୍ରପୁର, ୧୦/୦୭ : ସରକାର୍‌ କା ମାଲ୍‌ ଦରିୟା ମେ ଡାଲ୍‌ ନ୍ୟାୟରେ ନିର୍ମାଣ ପରଠୁ ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ୍‌ର ବାଦପୁର ଠାରେ ନିର୍ମିତ ସବ୍‌ଜେଲ୍‌ ଅବ୍ୟବହୃତ ଅବସ୍ଥାରେ ପଡ଼ିରହିଛି। ଆରମ୍ଭରୁ ଜଣେ ବି କଏଦୀ ଏଠି ରହିନାହାନ୍ତି। କର୍ମଚାରୀ ନିୟୋଜିତ ହୋଇନାହାନ୍ତି । ଶେଷରେ ସରକାର ଏହି ସବ୍‌ଜେଲ୍‌କୁ ସବୁଦିନ ପାଇଁ ବନ୍ଦ କରିଦେବାକୁ ନିଷ୍ପତ୍ତି ନେଇଛନ୍ତି । ଏହି ଅବ୍ୟବହୃତ୍‌ ସବ୍‌ଜେଲ୍‌ ଏବେ ଭୂତକୋଠି ପାଲଟିଛି । ଲଟାବୁଦା ମାଳି ପରିତ୍ୟକ୍ତ ଅବସ୍ଥାରେ ପହଞ୍ଚିଗଲାଣି। ପ୍ରାୟ ୪ କୋଟି ଟଙ୍କାରେ ନିର୍ମିତ କୋଠା ଖତ ଖାଉଛି। 

ଜଙ୍ଗଲିଆ ପରିବେଶରେ ଘେରି ରହିଛି ସବ୍‌ଜେଲ୍‌। ନିର୍ମାଣ ସମ୍ପୂର୍ଣ୍ଣ ହୋଇଥିବା ବେଳେ କେଉଁ କାରଣରୁ ଏହି ଜେଲ୍‌କୁ କାର୍ଯ୍ୟକ୍ଷମ କରାଗଲା ନାହିଁ ତାହା ପ୍ରଶ୍ନବାଚୀ । ତେବେ ପୂର୍ବରୁ ଗଞ୍ଜାମ-ଗଜପତି ଜିଲ୍ଲା ସୀମାବର୍ତ୍ତୀ ଅଞ୍ଚଳର ଜରଡ଼ା ଥାନା ମାଓବାଦୀଙ୍କ ଟାର୍ଗେଟରେ ରହିଥିବା ଆଶଙ୍କାରୁ ଜେଲ୍‌ କାର୍ଯ୍ୟକ୍ଷମ କରାଯାଇ ନଥିଲା ବୋଲି ଶୁଣିବାକୁ ମିଳିଛି । ଫଳରେ ଜେଲ୍‌ କୋଠା ଥାଇ ସୁଦ୍ଧା ଅଞ୍ଚଳର ଅଭିଯୁକ୍ତମାନଙ୍କୁ ୪୫ କିଲୋମିଟର ଦୂର ବ୍ରହ୍ମପୁର ମଣ୍ଡଳ କାରାଗାରକୁ ପଠାଯାଉଛି । ଯଦି ଏହି ଜେଲ୍‌ କାର୍ଯ୍ୟକ୍ଷମ ହୁଅନ୍ତା ତେବେ ନିକଟବର୍ତ୍ତୀ କେ.ନୂଆଗାଁ ଥାନା, ଜରଡ଼ା ଥାନା ପୁଲିସ ଦ୍ୱାରା ଗିରଫ ଅଭିଯୁକ୍ତ ତଥା ପାତ୍ରପୁର କୋର୍ଟରେ ଶୁଣାଣି ହେଉଥିବା ବିଚାରାଧୀନ କଏଦୀ ବା ବନ୍ଦୀଙ୍କୁ ଏହି ଜେଲ୍‌ରେ ରଖିବା ସୁବିଧାଜନକ ହୁଅନ୍ତା । 

ବାଦପୁର ଠାରେ ଜେଲ୍‌ ନିର୍ମାଣ କାର୍ଯ୍ୟ ୨୦୦୮ ମସିହାରୁ ଆରମ୍ଭ ହୋଇ ୨୦୧୧ ମସିହାରେ ସମ୍ପୂର୍ଣ୍ଣ ହୋଇଥିଲା । ଓଡ଼ିଶା ପୁଲିସ ହାଉସିଂ କର୍ପୋରେସନ୍‌ କାର୍ଯ୍ୟ ସାରି ଜେଲ ବିଭାଗକୁ କୋଠା ହସ୍ତାନ୍ତର କରିଥିଲା । ଜେଲ୍‌ ପ୍ରଶାସନିକ କାଠା, ଉଭୟ ମହିଳା ଓ ପୁରୁଷ ୱାର୍ଡ, ଡାକ୍ତରଖାନା, ସହ-ଜେଲ୍‌ ଅଧୀକ୍ଷକଙ୍କ ସମେତ ଅନ୍ୟ କର୍ମଚାରୀଙ୍କ ପାଇଁ କ୍ୱାର୍ଟର୍‌ ବି ନିର୍ମିତ ହୋଇଛି । ଅଥଚ ୧୪ ବର୍ଷ ପରେ ମଧ୍ୟ ଥରୁଟିଏ ବି ଜେଲ୍‌ କାର୍ଯ୍ୟକ୍ଷମ ହୋଇନି । ସନ୍ଧ୍ୟା ହେଲେ ସେଠାରେ ଅସାମାଜିକଙ୍କ ଭିଡ଼ ଜମୁଛି । କେବଳ ଜଣେ ଜଗୁଆଳ ହିଁ ବେସରକାରୀ ଭାବେ ରହୁଥିବାର ନଜିର ରହିଛି । ରାଜନୈତିକ ଇଚ୍ଛା ଶକ୍ତିର ଅଭାବ ହେଉ ଅଥବା ପ୍ରଶାସନିକ ଅସୁବିଧା ଯୋଗୁଁ ୪ କୋଟି ଟଙ୍କାରେ ନିର୍ମିତ ବାଦପୁର ଜେଲ୍‌ ଖୋଲିବା ପୂର୍ବରୁ ବନ୍ଦ ହୋଇଯିବା ପ୍ରଶ୍ନବାଚୀ ସୃଷ୍ଟି କରିଛି।