ବାରିପଦା , ୨୯।୧୨ : ବହୁ ପ୍ରୟାସ ପରେ ମିଳିଲା ସଫଳତା। ଧରାପଡିଲା ବାଘୁଣୀ ଜିନ୍ନତ। ବନ ବିଭାଗର ସ୍ଵତନ୍ତ୍ର ଟିମ୍ ବାଙ୍କୁଡ଼ାର କଂସାବତୀ ଜଳଭଣ୍ଡାର ନିକଟରେ ଟ୍ରାଙ୍କୁଲାଇଜ୍ କରି ଜିନ୍ନତକୁ ଧରିଲେ। ସ୍ଵତନ୍ତ୍ର ପିଞ୍ଜରାରେ ଅଣାଯିବ ଶିମିଳିପାଳ ବୋଲି ଆରସିସିଏଫ ପ୍ରକାଶ ଚାନ୍ଦ ଗୋଗୀନେନୀ ସୂଚନା ଦେଇଛନ୍ତି।
ପଶ୍ଚିମବଙ୍ଗର ପୁରୁଲିଆ ଜିଲ୍ଲା ଅନ୍ତର୍ଗତ ରାଇକିଆ ପାହାଡ଼ ଗୁମ୍ଫାରେ ଜିନ୍ନତ ଲୁଚି ରହିଥିଲା। ଶୁକ୍ରବାର ଜିନ୍ନତ ଉକ୍ତ ଗୁମ୍ଫାରୁ ବାହାରି ସ୍ଥାନୀୟ ମନବଜାର ଫରେଷ୍ଟ ବ୍ଲକ ଅଞ୍ଚଳରେ ଥିବା ଏକ ବାଉଁଶ ବୁଦା ଓ ଡ୍ୟାମ୍ ଏରିଆରେ ବୁଲୁଥିବା ଲୋକେ ଦେଖିଥିଲେ । ଖବର ପାଇ ଉଭୟ ପଶ୍ଚିମବଙ୍ଗ ଓ ଓଡ଼ିଶାର ୪ଟି ଟ୍ରାଙ୍କୁଲାଇଜ୍ ଟିମ୍ ଜିନ୍ନତ ପଛରେ ପଡ଼ିଥିଲେ । ଶନିବାର ଦିନ ତମାମ ଜିନ୍ନତକୁ ଧରିବା ପାଇଁ ଟ୍ରାଙ୍କୁଲାଇଜ୍ ଟିମ୍ କୌଶଳ ଲଗାଇଥିଲେ । ଶନିବାର ଦିନସାରା ଏକାଧିକ ବାର ଟ୍ରାଙ୍କୁଲାଇଜ୍ କରିବାକୁ ଚେଷ୍ଟା କରା ଯାଇଥିଲା । ମାତ୍ର ବିଫଳ ହୋଇଥିଲେ ଉକ୍ତ ଟିମ୍ ।