ପୁରୀ, ୨୪/୦୭:  ମହାପ୍ରଭୁଙ୍କ  ବାହୁଡ଼ା ଯାତ୍ରା । ଶନିବାର ସୁନାବେଶ । ଦୁଇଦିନ ଧରି ଶ୍ରୀକ୍ଷେତ୍ରରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହେବ । ବାହୁଡ଼ା ପରିବର୍ତ୍ତେ ସୁନାବେଶରେ ୧୦ଲକ୍ଷରୁ ଅଧିକ ସଂଖ୍ୟକ ଶ୍ରଦ୍ଧାଳୁଙ୍କ ଭିଡ଼  ଜମିବ ବୋଲି ଆକଳନ କରିଛି ପୁଲିସ  ପ୍ରଶାସନ । ହଜାର ହଜାର ସଂଖ୍ୟାର ଗାଡ଼ିର  ସୁଅ ଛୁଟିବ । ଏହାକୁ ଦୃଷ୍ଟିରେ ରଖି ପୁଲିସ  ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇ ଥିବା ଗୁରୁବାର ଗଣମାଧ୍ୟମକୁ ସୂଚନା ଦେଇ  କହିଛନ୍ତି ଏଡିଜି ତଥା ରଥ ପରିଚାଳନା  ସ୍ୱତନ୍ତ୍ର ଅଧିକାରୀ ସୌମେନ୍ଦ୍ର ପ୍ରିୟଦର୍ଶୀ ।

ଶ୍ରୀ ପ୍ରିୟଦର୍ଶୀଙ୍କ କହିବାନୁଯାୟୀ, ବାହୁଡ଼ା  ଓ ସୁନାବେଶ ଲାଗି ଶ୍ରୀକ୍ଷେତ୍ରକୁ କଡ଼ା ସୁରକ୍ଷା  ବଳୟରେ ରଖାଯାଇଛି । ଟ୍ରାଫିକ ସୁପରିଚାଳନାଠୁ ଆରମ୍ଭକରି ସୁରକ୍ଷା ଲାଗି ବ୍ୟପକ ବ୍ୟବସ୍ଥା ଗ୍ରହଣ  କରାଯାଇଛି । ଏଥିଲାଗି ୧୯ଜଣ ଆଇପିଏସ୍‌  ଅଧିକାରୀ ଓ ୧୩ ହଜାର ପୁଲିସ କର୍ମଚାରୀ ଓ  ୨୦୫ ପ୍ଲାଟୁନ୍‌ ଫୋର୍ସଙ୍କୁ ମୁତୟନ କରାଯାଇଛି । ସେହିଭଳି ସେଣ୍ଟ୍ରାଲ ଫୋର୍ସର ୧୫ କମ୍ପାନୀ ଫୋର୍ସ  ମୁତୟନ । ଏହାମଧ୍ୟରେ ସିଆର୍‌ପିଏଫ୍‌,  ବିଏସ୍‌ଏଫ୍‌, ଆର୍‌ପିଏଏଫ୍‌, ଏନ୍‌ଏସ୍‌ଜି ମୁତୟନ  କରାଯାଇଛି । ୩ ରଥ ଲାଗି ୨ଟି କର୍ଡନ କରାଯାଇଛି ।  ଭିତର ଓ ବାହାର କର୍ଡନ । ବଡ଼ଦାଣ୍ଡକୁ  ସେକ୍ଟର ଅନୁଯାୟୀ ବଣ୍ଟନ କରାଯାଇଛି ।  ପ୍ରତ୍ୟେକ ସେକ୍ଟରରେ ଜଣେ ଲେଖାଏଁ ବରିଷ୍ଠ  ଅଧିକାରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅଧିକାରୀ  ଓ କର୍ମଚାରୀ ମୁତୟନ ଅଛନ୍ତି । ସେମାନେ  ଭିଡ଼କୁ ନିୟନ୍ତ୍ରଣ କରିବେ ।

ଅଧିକ ପଢ଼ନ୍ତୁ :-  Bahuda Yatra : ସରିଲା ମହାପ୍ରଭୁଙ୍କ ଜନ୍ମବେଦି ଲୀଳା, ଶ୍ରୀମନ୍ଦିର ଅଭିମୁଖେ ବାହୁଡ଼ିବେ ଦାରୁବ୍ରହ୍ମ, ୧୨ଟାରେ ବାହୁଡ଼ା ପହଣ୍ଡି , ୪ଟାରେ ରଥଟଣା

ଅନ୍ୟପକ୍ଷରେ  ଶ୍ରଦ୍ଧାଳୁ ଅଚେତ୍‌ ହୋଇପଡ଼ିଲେ ସେମାନଙ୍କୁ  ତ୍ୱରିତ ସେବା ଯୋଗାଇବା ଲାଗି ଅଗ୍ନିଶମ  କର୍ମଚାରୀ ଓ ସ୍ୱେଚ୍ଛାସେବୀ ମୁତୟନ ରହିବେ । ସେହିପରି ସମୁଦ୍ର ଉପକୂଳ ଅଞ୍ଚଳରେ ନ୍ୟାଭି ଓ  ଏୟାରଫୋର୍ସ ଏବଂ ମେରାଇନ୍‌ ପୁଲିସ ସଜାଗ  ରହିଛନ୍ତି । ବେଳାଭୂମିରେ ପର୍ଯ୍ୟଟକଙ୍କ ସୁରକ୍ଷା  ଲାଗି ଲାଇଫଗାର୍ଡମାନଙ୍କୁ ନିୟୋଜିତ କରାଯାଇଛି ।  ବମ୍‌ସ୍କ୍ୱାଡ, ଡଗ୍‌ ସ୍କ୍ୱାଡମାନଙ୍କୁ ନିୟୋଜିତ  କରାଯାଇଛି । ସେମାନେ ବିଭିନ୍ନ ଅଞ୍ଚଳ ପରିଦର୍ଶନ  କରି ସନ୍ଦେହପୂର୍ଣ୍ଣ ଜାଗାକୁ ତନ୍ନତନ୍ନ କରି ଯାଞ୍ଚ  କରିବେ । ପୁଲିସ ପକ୍ଷରୁ ଜାରି ହୋଇଥିବା  ବାହୁଡ଼ା ଓ ସୁନାବେଶ ଟ୍ରାଫିକ କଟକଣାକୁ ମାନି  ପୁଲିସକୁ ସହଯୋଗ କରିବାକୁ ସେ ଅନୁରୋଧ କରିଛନ୍ତି । ଏହି ସମୟରେ ଟ୍ରାଫିକ ସୁପରିଚାଳନା  ଦାୟିତ୍ୱରେ ରହିଥିବା ବରିଷ୍ଠ ଆଇପିଏସ୍‌  ଅଧିକାରୀ ଅମିତାଭ ଠାକୁର ଉପସ୍ଥିତ ଥିଲେ ।