ଭୁବନେଶ୍ବର, ୨୩/୦୭: ବିଶ୍ବ ପ୍ରସିଦ୍ଧ ଘୋଷଯାତ୍ରା ପାଇଁ ୨ ଦିନ ହେଉ ସରକାରୀ ଛୁଟି । ଶ୍ରୀଗୁଣ୍ଡିଚା ଭଳି ବାହୁଡ଼ା ଯାତ୍ରାରେ ମଧ୍ୟ ଛୁଟି ଘୋଷଣା କରିବାକୁ ସାଧାରଣରେ ଉଠିଛି ସ୍ବର । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା ଅତ୍ୟନ୍ତ ଉତ୍ସାହ ଓ ଶ୍ରଦ୍ଧାର ସହ ଚାଲିଛି । କେବଳ ଓଡ଼ିଶା ନୁହେଁ, ଦେଶର ଅନେକ ସ୍ଥାନ ସହ ବିଦେଶୀ ମାଟିରେ ମଧ୍ୟ ଧୁମ୍ ଧାମ୍ ରେ ରଥଯାତ୍ରା ପାଳିତ ହେଉଛି। ସାରା ବିଶ୍ୱରୁ ଭକ୍ତଙ୍କ ସୁଅ ଶ୍ରୀକ୍ଷେତ୍ରକୁ ଛୁଟୁଥିବା ବେଳେ, ଶ୍ରୀଗୁଣ୍ଡିଚା ଭଳି ମହାପ୍ରଭୁଙ୍କ 'ବାହୁଡ଼ା ଯାତ୍ରା' ଦିନକୁ ମଧ୍ୟ ସରକାରୀ ଛୁଟି ଘୋଷଣା କରିବାକୁ ବିଭିନ୍ନ ମହଲରେ ଦାବି ଜୋର୍ ଧରିଛି । ଶ୍ରୀଗୁଣ୍ଡିଚା ଓ ବାହୁଡ଼ା ଯାତ୍ରା ଦୁଇ ଦିନ ଧରି ରଥଟଣା ହେଉଛି । ତେଣୁ ବାହୁଡ଼ାରେ ଛୁଟି ମିଳିଲେ ଶ୍ରୀଗୁଣ୍ଡିଚା ଭଳି ବାହୁଡ଼ାରେ ମଧ୍ୟ ଅଧିକ ଭକ୍ତ ପୁରୀ ଯାଇ ରଥଯାତ୍ରାରେ ସାମିଲ ହୋଇପାରିବେ।
ପଶ୍ଚିମବଙ୍ଗରେ ଦୁର୍ଗାପୂଜା ପାଇଁ ୧୨ ଦିନ ଏବଂ ମହାରାଷ୍ଟ୍ରରେ ଦୀପାବଳି ପାଇଁ ୨ ଦିନ ଛୁଟି ଦିଆଯାଉଥିବା ବେଳେ, ଓଡ଼ିଆ ଜାତିର ସର୍ବଶ୍ରେଷ୍ଠ ପର୍ବ ରଥଯାତ୍ରା ପାଇଁ କାହିଁକି ୨ ଦିନ ଛୁଟି ଘୋଷଣା କରାଯିବ ନାହିଁ ବୋଲି ଓଡ଼ିଶା ସଚିବାଳୟ ସେବା ସଂଘ ସଭାପତି ବିବେକାନନ୍ଦ ସାମଲଙ୍କ ସହ ଅନେକ ବୁଦ୍ଧିଜୀବୀ ପ୍ରଶ୍ନ ଉଠାଇଛନ୍ତି। ଏହି ଦାବି ସମ୍ପର୍କରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ବିଷୟଟି ସରକାରଙ୍କ ବିଚାରାଧୀନ ଅଛି। ଶ୍ରଦ୍ଧାଳୁ ଓ ଜଗନ୍ନାଥପ୍ରେମୀଙ୍କ ଆଶା-ଆକାଂକ୍ଷାକୁ ଦୃଷ୍ଟିରେ ରଖି ସରକାର ଠିକ୍ ସମୟରେ ଉଚିତ୍ ନିଷ୍ପତ୍ତି ନେବେ ବୋଲି ସେ ସୂଚନା ଦେଇଛନ୍ତି। ତମାମ୍ ଭକ୍ତ ଏବେ ବାହୁଡ଼ା ଯାତ୍ରା ଛୁଟି ଘୋଷଣାକୁ ନେଇ ଆଶାବାଦୀ ଅଛନ୍ତି।
ଅଧିକ ପଢନ୍ତୁ- Bahuda Yatra: ଶ୍ରୀମନ୍ଦିର ଫେରିବେ ଚତୁର୍ଦ୍ଧାମୂର୍ତ୍ତି, ବାହୁଡ଼ା ଯାତ୍ରା ପାଇଁ ସରକାରୀ ଛୁଟି ନ ଥିବାରୁ ଜଗନ୍ନାଥପ୍ରେମୀଙ୍କ କ୍ଷୋଭ