ପୁରୀ/ବଳଙ୍ଗା,୧୮/୦୮: ସାଙ୍ଗ ଘରୁ ବହି ଧରି ନିଜ  ଘରକୁ ଯାଉଥିଲି । ବାଇକରେ କିଛି ଜଣ ଆସିଲେ । ସେମାନେ ମୁହଁରେ ରୁମାଲ ବାନ୍ଧିଥିଲେ ଓ ମୋ ମୁହଁରେ ମଧ୍ୟ ରୁମାଲ ପକେଇ ବଡ଼ବନ୍ଧ  ନିକଟ ଜଙ୍ଗଲକୁ ଉଠେଇ ନେଲେ । ଦେହରେ କିରାସିନି ଢାଳି ନିଆଁ ଲଗେଇ ପଳେଇଲେ । ହୋସ ଆସିବାରୁ.. ଏତିକିରେ ଭିଡିଓଟି ଶେଷ ହୋଇଯାଉଛି । ୧ ମିନିଟ ୩୦ ସେକେଣ୍ଡର ଭିଡିଓକୁ ନେଇ  ପୁଣି ଚର୍ଚ୍ଚାକୁ ଫେରିଲା ବଳଙ୍ଗା ନାବାଳିକା  ପୋଡ଼ି ମୃତ୍ୟୁ ଘଟଣା । ବଳଙ୍ଗା ପୀଡ଼ିତା  ଡାକ୍ତରଖାନାରେ ଚିକିତ୍ସିତ ଥିବା ସମୟରେ  ପୁଲିସ କରିଥିବା ବୟାନ ରେକର୍ଡ ସମୟର  ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍‌  ହୋଇଛି । ଏହି ଘଟଣାକୁ ଆଉ ମାତ୍ର ୨  ଦିନ ପରେ ମାସେ ପୂରିବାକୁ ଯାଉଛି। ପୁଲିସ ଘଟଣାର ତଦନ୍ତ ଶେଷରେ କ’ଣ  ପାଇଲା ଏପର୍ଯ୍ୟନ୍ତ କହିନି । ତେବେ ଆଇସିୟୁରେ ଚିକିତ୍ସାଧୀନ ଥିବା ବେଳର ପୀଡ଼ିତାଙ୍କ ବୟାନ ସୋସିଆଲ ମିଡିଆରେ  ଦ୍ରୁତ ଗତିରେ ଭାଇରାଲ ହେଉଛି । କିଏ  ଓ କେଉଁ ଉଦ୍ଦେଶ୍ୟରେ ଏହା ଭାଇରଲ  କରିଛି ଜଣାପଡିନି । ତେବେ ଭିଡିଓଟି ଡାକ୍ତରଖାନା ଭିତରେ ରେକର୍ଡିଂ ହୋଇଛି । 

ଉକ୍ତ ଭିଡିଓଟି ତଦନ୍ତ ସମୟର  ବୋଲି ଜଣାପଡୁଛି । ଭୁବନେଶ୍ୱର କିମ୍ବା  ଦିଲ୍ଲୀ ଏମ୍‌ସରେ ପୀଡ଼ିତା ଚିକିତ୍ସିତ  ହେଉଥିବା ସମୟରେ ଏହି ଭିଡିଓ  ରେକର୍ଡିଂ ହୋଇଛି । ଏଥିରେ ଜଣେ  ମହିଳା ଅଧିକାରୀ ପୀଡ଼ିତାଙ୍କଠାରୁ ବୟାନ  ରେକର୍ଡ କରୁଛନ୍ତି । ସେ ପୀଡ଼ିତାଙ୍କୁ ବିଭିନ୍ନ  ପ୍ରଶ୍ନ କରୁଛନ୍ତି । ଘଟଣା ଘଟିବା ସମୟରେ  ପୀଡ଼ିତା କେଉଁଠି ଥିଲେ ପ୍ରଶ୍ନରେ ପୀଡ଼ିତା  କହୁଛନ୍ତି, ସେ ସାଙ୍ଗ ଘରୁ ବହି ଧରି ନିଜ  ଘରକୁ ଯାଉଥିଲେ । ବାଇକରେ କିଛି ଜଣ  ଆସି ତାଙ୍କ ପାଖେ ପହଞ୍ଚିଲେ । ସେମାନେ  ମୁହଁରେ ରୁମାଲ ବାନ୍ଧିଥିଲେ ଓ ପୀଡ଼ିତାଙ୍କ  ମୁହଁରେ ମଧ୍ୟ ରୁମାଲ ପକେଇ ବଡ଼ବନ୍ଧ  ନିକଟ ଜଙ୍ଗଲକୁ ଉଠେଇ ନେଲେ । ତାଙ୍କ  ଦେହରେ କିରାସିନି ଢାଳି ନିଆଁ ଲଗେଇ  ପଳେଇଲେ । ହୋସ ଆସିବାରୁ..   ଏତିକିରେ ଭିଡିଓଟି ଶେଷ ହୋଇଯାଉଛି ।  ୧ ମିନିଟ ୩୦ ସେକେଣ୍ଡର ଏହି  ଭିଡିଓ ସୋସିଆଲ ମିଡିଆରେ ଘୁରି ବୁଲୁଛି । ତେବେ ସୂତ୍ର ଅନୁସାରେ ଏହି ଭିଡିଓ  ଭୁବନେଶ୍ୱର ଏମ୍‌ସରେ କ୍ରାଇମବ୍ରାଞ୍ଚ ତଦନ୍ତ  ସମୟର । ପୀଡ଼ିତାଙ୍କୁ ମହିଳା ଅଧିକାରୀ  ହିନ୍ଦୀରେ ପ୍ରଶ୍ନ କରୁଥିଲା ବେଳେ ପୀଡ଼ିତା  ମଧ୍ୟ ହିନ୍ଦୀରେ ଉତ୍ତର ଦେଉଛନ୍ତି । ଭିଡିଓ  ସମ୍ପର୍କରେ ଏସ୍‌ପି ପିନାକ ମିଶ୍ର କହିଛନ୍ତି,  ଏହାକୁ କିଏ ଭାଇରାଲ୍‌ କଲା ଓ ଏହା  ସତ୍ୟକି ନୁହେଁ ଜଣାନାହିଁ । ତେବେ ଏହା  ଫେକ୍‌ ଭଳି ଲାଗୁଛି । ପୀଡ଼ିତା ବୟାନ ଦେବା  ବେଳେ ବାରମ୍ବାର ମତ ବଦଳାଉ ଥିଲେ ।  ତେବେ ଘଟଣାର ନିଷ୍କର୍ସ ୨୦ ତାରିଖ ସୁଦ୍ଧା  ଜଣାଇ ଦିଆଯିବ ବୋଲି ଏସ୍‌ପି କହିଛନ୍ତି।