ବଳଙ୍ଗା,୨୮/୦୭ : ବଳଙ୍ଗା ନାବାଳିକା ପୋଡ଼ି ମାମଲା। ପୀଡିତାଙ୍କ ଘରେ ବଢ଼ିଲା ସୁରକ୍ଷା ବ୍ୟବସ୍ଥା। ୨୪ ଘଣ୍ଟିଆ ସୁରକ୍ଷା ଯୋଗାଉଛି ପୁଲିସ।  ସକାଳ ୬ଟାରୁ ରାତି ୧୦ଟା ଯାଏ, ପରେ ରାତି ୧୦ଟାରୁ ସକାଳ ୬ଟା ଯାଏ ପଇଁତରା ଦେବେ ପୁଲିସ।

ବଳଙ୍ଗା ଥାନା ନୂଆଗୋପାଳପୁର ବସ୍ତିର ନାବାଳିକାଙ୍କୁ  ଦୁର୍ବୃତ୍ତମାନେ ପୋଡ଼ି ମାମଲାର ରହସ୍ୟ ଉନ୍ମୋଚନ କରିବାରେ ନାକେଦମ ହେଲାଣି ପୁଲିସ । ୧୦ ଦିନ ପରେ ବି ହାତ ଖାଲି।  ପୀଡ଼ିତା ନାବାଳିକା ଏବଂ ପରିବାର ଲୋକଙ୍କ ବୟାନରେ  ତାଳମେଳ ରହୁ ନ ଥିବାରୁ ତଦନ୍ତକାରୀ କ୍ରାଇମ୍‌ବ୍ରାଞ୍ଚ ଏବଂ ଥାନା ଅଧିକାରୀମାନେ  ଏକାଧିକବାର ସେମାନଙ୍କୁ ଜେରା କରୁଛନ୍ତି । ନାବାଳିକା ପୀଡ଼ିତାଙ୍କୁ ପୁଣି ଜେରା କରିବାକୁ ତଦନ୍ତକାରୀ ଅଧିକାରୀଙ୍କ ଏକ ଟିମ୍‌ ପୁଣି ଦିଲ୍ଲୀ ଏମ୍‌ସକୁ ଯାଇଛନ୍ତି ।  

ଘଟଣା ଦିନ ନାବାଳିକା ପୀଡ଼ିତା ଭୁବନେଶ୍ୱର ଏମ୍‌ସରେ ପୁଲିସକୁ ଦେଇଥିବା  ବୟାନ ଏବଂ ପରେ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସିବା ପରେ ଦିଲ୍ଲୀ ଏମ୍‌ସରେ  କ୍ରାଇମ୍‌ବ୍ରାଞ୍ଚ ଏବଂ ପୁଲିସ ଅଧିକାରୀଙ୍କୁ ଦେଇଥିବା ବୟାନରେ ତାଳମେଳ ରହୁ  ନଥିବା ଜଣାପଡ଼ିଛି । ପୀଡ଼ିତା ଓ ପରିବାର ଲୋକଙ୍କ ବୟାନରେ ପାର୍ଥକ୍ୟ ରହୁଥିବାରୁ  ତଦନ୍ତକାରୀ ଟିମ୍‌ ପୁଣି ଥରେ ପୀଡ଼ିତାଙ୍କ ବୟାନ ନେବାକୁ ନୂଆଦିଲ୍ଲୀ ଯାଇଥିବା  ଜଣାପଡ଼ିଛି । ନାବଳିକା ସୁସ୍ଥ ହେବା ପରେ ପ୍ରକୃତ ରହସ୍ୟ ଉନ୍ମୋଚନ ପାଇଁ  ପୁନର୍ବାର ପୀଡ଼ିତାଙ୍କ ବୟାନ ରେକର୍ଡ କରାଯିବ ବୋଲି ରବିବାର ବଳଙ୍ଗା ଥାନା  ଗସ୍ତ କରି ଏସ୍‌ପି ପିନାକ ମିଶ୍ର ସୂଚନା ଦେଇଥିଲେ । ତେଣୁ ରବିବାର ବଳଙ୍ଗା ଥାନା  ଅଧିକାରୀ ଦିବ୍ୟରଞ୍ଜନ ପଣ୍ଡା ଓ ମାମଲାର ତଦନ୍ତକାରୀ ଅଧିକାରୀ ତଥା ପୁରୀ  ହେଡ୍‌ କ୍ୱାର୍ଟର୍ସର ଡିଏସ୍‌ପି କଳ୍ପନା କାଆଁରୀ ଦିଲ୍ଲୀ ଗସ୍ତରେ ଯାଇଛନ୍ତି। ସେଠାରେ ଆଜି ଦିଲ୍ଲୀ ଏମ୍‌ସରେ ପୀଡ଼ିତାଙ୍କ ବୟାନ ରେକର୍ଡ କରାଯିବା ବୋଲି ଜଣାପଡ଼ିଛି।